ବିଜୟ ଉତ୍ସବ ପାଳନ କରିବେନି ରୁଦ୍ର, କହିଲେ- ପିପିଲି ପାଇଁ କାମ କରିବାର ସମୟ

ପିପିଲି: ପିପିଲି ଉପନିର୍ବାଚନରେ ବିଜୟୀ ହେବା ପରେ ରୁଦ୍ର ମହାରଥୀ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମରେ ରୁଦ୍ର ଡେଲାଙ୍ଗ-ପିପିଲିର ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଆପଣମାନେ ମୋ ଉପରେ ବିଶ୍ୱାସ ଓ ଭରସା ଦେଖିବା ସହିତ ଜୟଯୁକ୍ତ କରାଇଛନ୍ତି। ନିର୍ବାଚନ ପୂର୍ବରୁ ମୁଁ କହିଥିଲି ଯେ, ଏହା ଆପଣମାନଙ୍କର ନିର୍ବାଚନ। ମୋ ପାଇଁ ଆପଣଙ୍କର ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ରହିଛି। ମୋ ଉପରେ ଥିବା ଆପଣଙ୍କର ବିଶ୍ୱାସ ରଖିବି। ପିପିଲିର ବିକାଶ ପାଇଁ କାମ କରିବି।

ରୁଦ୍ର କହିଛନ୍ତି ଯେ, ପିପିଲି ନିର୍ବାଚନରେ ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱର୍ଗତ ପ୍ରଦୀପ ମହରଥୀଙ୍କର। ଯେହେତୁ କୋଭିଡ-୧୯ କଟକଣା ଅଛି, ତେଣୁ ଏବେ ଉତ୍ସବ ପାଳନର ସମୟ ନୁହେଁ। ଏହା କାମ କରିବାର ସମୟ।

ସୂଚନାଯୋଗ୍ୟ, ବିଜେଡି ୨୦ ହଜାର ୯୧୬ ଖଣ୍ଡ ଭୋଟ୍‌ର ବ୍ୟବଧାନରେ ପିପିଲି ନିର୍ବାଚନ ମଣ୍ଡଳୀକୁ ଅଧିକାର କରିଛି। ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୯୭୨ ଖଣ୍ଡ ଭୋଟ ମିଳିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ୩ୟ ସ୍ଥାନରେ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୨୬୧ ଭୋଟ୍‌ ମିଳିଛି।

ସମ୍ବନ୍ଧିତ ଖବର