ତିନି ବର୍ଷର ଶିଶୁକନ୍ୟାକୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ମଉସାକୁ କୋର୍ଟ ଚାଲାଣ

ଲାଞ୍ଜିଗଡ଼: ଜଣେ ନିଷ୍ପାପ ଶିଶୁକନ୍ୟାକୁ ତାର ମଉସା ଚକଲେଟ୍ କିଣିଦେବା ବାହାନାରେ ଡାକିନେଇ ଅସଦାଚରଣ କରିବା ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, ଶିଶୁକନ୍ୟାଟି ଗତକାଲି ନିଜ ମା’ ସହ ମାମୁଘରକୁ ଝାମୁଯାତ୍ରା ଦେଖିବାକୁ ଆସିଥିଲା । ସନ୍ଧ୍ୟା ସମୟରେ ନର୍ଲା ଥାନା ଶାନ୍ତପୁର ଗାଁର କୁନୁ ମାଝୀ ଶିଶୁକନ୍ୟାଟିର ଅଜା ଘରକୁ ଯାଇ ଶିଶୁକନ୍ୟାଟିକୁ ଚକଲେଟ୍ କିଣିଦେବାକୁ କହି ଡାକିନେଇ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ତେବେ ଶିଶୁକନ୍ୟାଟି ଗୁରୁତର ହୋଇ ପଡିବାରୁ ରାତିରେ ପୀଡିତାର ମା’ ଲାଞ୍ଜିଗଡ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁନୁକୁ ଗିରଫ କରିଛି। ଶିଶୁକନ୍ୟାକୁ ଡାକ୍ତରୀମାଇନା କରାଯାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି ।

ଅନ୍ୟପଟରେ ପୀଡିତାର ଅବସ୍ଥା ସଙ୍ଗୀନ ଥିବାରୁ ପ୍ରଥମେ ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭବାନୀପାଟଣା ଓ ସେଠାରୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

ସୂଚାନାଯୋଗ୍ୟ, ଅଭିଯୁକ୍ତ କୁନୁ ଆଜିକୁ ପ୍ରାୟ ୧୦ ବର୍ଷ ହେଲା ଲାଞ୍ଜିଗଡ ଅଞ୍ଚଳରେ ରହି ମିସ୍ତ୍ରୀ କାମ କରୁଥିଲା। ପ୍ରଥମେ ପୀଡିତାର ମାଉସୀଙ୍କୁ ୧ ବର୍ଷ କାଳ ନିଜ ସ୍ତ୍ରୀ ଭାବେ ରଖିଥିଲା। ସ୍ତ୍ରୀର ମୃତ୍ୟୁ ପରେ ପ୍ରାୟ ୭ ବର୍ଷ ହେବ ଲାଞ୍ଜିଗଡ ଅଞ୍ଚଳର ଅନ୍ୟ ଏକ ଝିଅକୁ ବିବାହ କରିଥିଲା। ଅଭିଯୁକ୍ତର ମଧ୍ୟ ଜଣେ ଛୋଟ ଶିଶୁକନ୍ୟା ଅଛି। ଗତକାଲି ନିଜ ପରିବାରଙ୍କୁ ଯାତ୍ରା ଦେଖାଇ ନେଇ ସେମାନଙ୍କୁ ଘରେ ଛାଡ଼ି ପୁଣି ଯାତ୍ରା ସ୍ଥାନକୁ ଯାଇ ଏହି କାଣ୍ଡ ଘଟାଇଥିଲା। ଘଟଣାସ୍ଥଳରୁ ଫେରାର୍ ହୋଇଥିବା ଅଭିଯୁକ୍ତକୁ ପୁଲିସ ଆଜି ପୂର୍ବାହ୍ନରେ ଗିରଫ କରିଥିଲା। ଏଥି ସହିିତ ପୁଲିସ ବାଇକ୍(ଓଡ଼ି୦୮-ଇ-୬୭୮୨)କୁ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର