ଆଜି ରାତି ୧୦ଟା ଯାଏଁ ୧୭ଟି ଜିଲ୍ଲାରେ ବର୍ଷା ଆଶଙ୍କା, ସତର୍କ କଲା ପାଣିପାଗ ବିଭାଗ

୨୫ରୁ ୨୮ ବର୍ଷିପାରେ

ଭୁବନେଶ୍ୱର: ଟ୍ରାପ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଓଡ଼ିଶାର ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୦ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ୧୫.୦ଡିଗ୍ରି ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି।

ଆଜି ରାତି ୧୦ଟା ଯାଏଁ ୧୭ଟି ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ,ଢ଼େଙ୍କାନାଳ,ଜଗତସିଂହପୁର,କେନ୍ଦ୍ରାପଡ଼ା,ମୟୁରଭଞ୍ଜ,ବାଲେଶ୍ୱର, ଦେବଗଡ଼, ଯାଜପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗିର,ବୈଦ୍ଧ, ଝାରସୁଗୁଡା, ସୁନ୍ଦରଗଡ଼, ଖୋର୍ଦ୍ଧା, ନୟାଗଡ଼ ଓ ବରଗଡ଼ ଆଦି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼ ଆଦି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି। କେନ୍ଦୁଝର,ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, କଟକ, ଅନୁଗୁଳ, କନ୍ଧମାଳ ଆଦି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଗତ ୨ରୁ ୩ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ତେବେ ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇବା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

୨୬ ଓ ୨୭ ତାରିଖରେ ସୁନ୍ଦରଗଡ଼,ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ ଓ ଯାଜପୁର ଆଦି ସ୍ଥାନରେ ବର୍ଷା ଆଶଙ୍କା ରହିଛି। ସେହିପରି ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘୂର୍ଣ୍ଣଝଡ଼ ସହ ବର୍ଷା ହୋଇପାରେ। ଏଥିସହିତ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ବାଲାଙ୍ଗିର, ସୋନପୁର, ବୌଦ୍ଧ ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି। ୨୫ରୁ ୨୮ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାର କାଳବୈଶାଖୀ ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

 

ସମ୍ବନ୍ଧିତ ଖବର