ପଶ୍ଚିମା ଝଡ଼ର ପ୍ରଭାବ: ଆଜିଠାରୁ କୁଆପଥର ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଯିବ ପଶ୍ଚିମ ଝଡ଼ର ପ୍ରଭାବ। ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବିଶେଷ କରି ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ଯାଏ ରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆଜି(ରବିବାର) କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ‌କନ୍ଧମାଳ, ଗଞ୍ଜା‌ମ, ଗଜପତି, ନୟାଗଡ଼ ଓ ଖୋର୍ଧା ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବ। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଏଣୁ ଉପରୋକ୍ତ ସମସ୍ତ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହଭଳି ରାଜ୍ୟରେ ୨୭ ତାରିଖ ଦିନ ଏହାର ପ୍ରଭାବ ଅଧିକ ରହିବ। ସମଗ୍ର ଉପକୂଳ ଓ ପାଖାପାଖି ଜିଲ୍ଲାରେ ଝଡ଼ବର୍ଷା ହେବ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ପର୍ଯ୍ୟନ୍ତ ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାଛଡ଼ା ରାଜ୍ୟର ବାକି ସମସ୍ତ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ଆସନ୍ତା ୩୦ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ଭାରତକୁ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବିତ କରିବ। ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ରହିବ ତାହା ଏବେ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର