ହକି ବିଶ୍ୱକପ୍‌ ଉଦ୍‌ଘାଟନ ଉତ୍ସବ ଟିକେଟ ନ ମିଳିବାରୁ କାଉଣ୍ଟରରେ ଭଙ୍ଗାରୁଜା

ଭୁବନେଶ୍ୱର: ରାତି ପାହିବା ଆଗାରୁ ଆସି ଧାଡ଼ିରେ ଠିଆ ହୋଇଛନ୍ତି। ମାତ୍ର ହକି ବିଶ୍ୱକପ୍‌ର ଉଦ୍‌ଘାଟନ ଉତ୍ସବର ଟିକଟ ମିଳିଲା ନାହିଁ। ଏହାର ପ୍ରତିବାଦରେ ଆଜି କେତେକ ଦର୍ଶକ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମର ୯ ନମ୍ବର ଗେଟ୍‌ ପାଖ ଟିକେଟ କାଉଣ୍ଟରରେ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇ ଦେଇଛି। ତଥାପି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅର୍ଥାତ ୧୫ ତାରିଖ ସକାଳେ କଳିଙ୍ଗ ଷ୍ଟାଡୀୟମର ୯ ନମ୍ବର ଗେଟ୍‌ ପାଖ କାଉଣ୍ଟରରେ ହକି ବିଶ୍ୱ୍ଵକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ସାଧାରଣ ଲୋକଙ୍କୁ ଟିକେଟ ମିଳିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଏଥିପାଇଁ ଗତକାଲି ରାତିରୁ ଲୋକେ ୯ ନମ୍ବର ଗେଟ ପାଖ କାଉଣ୍ଟର ସାମ୍‌ନାରେ ଧାଡି ଲଗାଇଇଥିଲେ। ମାତ୍ର ଆଜି ସକାଳେ ୯ ନମ୍ବର ଗେଟ୍‌୍‌ ପାଖରେ ‘ଟିକଟ ନଟ୍‌ ଆଭଲେବଲ୍‌’ ବୋଲି ଏକ ନୋଟିସ୍‌ ମାରି ଦେଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଲୋକେ କାଉଣ୍ଟରରେ ଭଙ୍ଗାରୁଜା କରିଛନ୍ତି। ଏପରିକି କେତେକ ଦର୍ଶକ ସେଠାରେ ଧାରଣା ଦେଇଛନ୍ତି।

ସମ୍ବନ୍ଧିତ ଖବର