ବାଘ ମୃତ୍ୟୁ: ୩ ଅଟକଙ୍କୁ ମାରାଥନ ଜେରା

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ରେଞ୍ଜ୍‌ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଂଗଲରୁ ବାଘର ଗଳିତ ଶବ ମିଳିବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ ଜୋରଦାର ଆରମ୍ଭ ହୋଇଛି। ପୂର୍ବରୁ କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଏବଂ ଖଜୁରିଆ ବିଟ୍ ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ଆଜି ସକାଳୁ ବନବିଭାଗ ଡେବ୍ରିଗଡ଼ ଅଭୟାରଣ୍ୟ ନିକଟବର୍ତୀ ଲେଲେହର ଏବଂ ଆଖପାଖ ଗାଁରୁ ୩ଜଣଙ୍କୁ ଉଠାଇ ଆଣିଛି। ସମସ୍ତଙ୍କୁ ବରାହଗୋଡ଼ାସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଅଟକ ରଖି ମାରାଥନ ଜେରା ଚାଲିଛି। ମାମଲା ସମ୍ବେଦନଶୀଳ ଥିବାରୁ ଅତ୍ୟନ୍ତ ଗୋପନୀୟ ଭାବେ ବନ ବିଭାଗ ଜେରା କରୁଛି।

ଅନ୍ୟପକ୍ଷରେ, ବାଘ ହେଉକି ମହାବଳ, ତାକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଯାଇଛି। ବାଘର ଦାନ୍ତ, ନଖ ମଧ୍ୟ କଢ଼ା ହୋଇଥିବା ଗଳିତ ଶବ ଦେଖି ଜଣାପଡ଼ିଛି। ତେଣୁ ଏହି ଶିକାରୀମାନଙ୍କ ଠାରୁ ତଥ୍ୟ ଆଦାୟ କରିବା ପାଇଁ ବନ ବିଭାଗ କସରତ ଚଳାଇଛି। ଅନ୍ୟପକ୍ଷରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ଦୁଇ ଜଣିଆ ଟିମ୍ ବାଘ ହତ୍ୟା ମାମଲାର ସରଜମିନ ତଦନ୍ତ କରିବ। ଏହି ଟିମ୍ ଆସନ୍ତାକାଲି ବରଗଡ଼ ପହଞ୍ଚିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର