ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ: କାଳଜୟୀ ସାହିତ୍ୟ ଚିରସବୁଜ ଚଳଚ୍ଚିତ୍ର ହୋଇପାରେ

ଭୁବନେଶ୍ବର : କାଳଜୟୀ ଉପନ୍ୟାସ ବା ଗଳ୍ପ ଏକ ଚିରସବୁଜ ଚଳଚ୍ଚିତ୍ର ହୋଇପାରେ। କିନ୍ତୁ ଏକ ପ୍ରସିଦ୍ଧ ସିନେମା କେବେ ବି ଏକ କାଳଜୟୀ ସାହିତ୍ୟକୃତି ହୋଇପାରିବ ନାହିଁ ବୋଲି କହିଛନ୍ତି ବିଶିଷ୍ଟ ବଲିଉଡ୍‌ ଅଭିନେତା ପଙ୍କଜ କପୁର।

ଭୁବନେଶ୍ବର କ୍ଲବ୍‌ରେ ଚାଲିଥିବା ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବରେ ‘ସାହିତ୍ୟକୁ ନେଇ ଅଭିନୟ’ ଶୀର୍ଷକ ଆଲୋଚନାରେ ଯୋଗଦେଇ ଶ୍ରୀ କପୁର କହିଥିଲେ, ସାହିତ୍ୟ ଓ ସାହିତ୍ୟର ଭାବନାକୁ ଚଳଚ୍ଚିତ୍ରରେ ଉତାରିବା ଏତେ ସହଜ ନୁହେଁ। ଲେଖକଟିଏ ଏକ ଗଳ୍ପ ବା ଚରିତ୍ର ଲେଖିବା ବେଳେ ତା’ର ମାସନପଟ୍ଟରେ ସେ ଚରିତ୍ରକୁ ନେଇ ଅନେକ ଖିଆଲ ଗତିଶୀଳ ହୁଏ। ସେଇ ଖିଆଲକୁ ଚଳଚ୍ଚିତ୍ରର ସ୍ବଳ୍ପ ସମୟରେ ଉପସ୍ଥାପିତ କରିବା ଏତେ ସହଜ ନୁହେଁ। ପୂର୍ବରୁ ନିର୍ମିତ କିଛି ସିନେମାରେ ସାହିତ୍ୟର ଛାପ ରହିଛି। ଅନେକ ଉପନ୍ୟାସକୁ ନେଇ ପ୍ରସିଦ୍ଧ ସିନେମା ବି ନିର୍ମିତ ହୋଇଛି। କିନ୍ତୁ ଏବେ ଚଳଚ୍ଚିତ୍ରରେ କାହାଣୀ ଅପେକ୍ଷା ଗ୍ରାଫିକ୍ସ ଅଧିକ ରହୁଛି। କାହାଣୀ ଓ ଚରିତ୍ରକୁ ନେଇ ଖୁବ୍‌ କମ୍‌ ସିନେମା ନିର୍ମିତ ହେଉଥିବା ବେଳେ ସାହିତ୍ୟକୁ ସିନେମାରେ ଉତାରିବାକୁ ଏବେ ଆଉ କୌଣସି ନିର୍ମାତା ଚାହୁନାହାନ୍ତି। ଏଥିପାଇଁ ‌କାହାଣୀର ସମସ୍ତ ଚରିତ୍ରକୁ ଭଲ ଭାବେ ବୁଝିବା ସହ ସମାନ ଭାବେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କିନ୍ତୁ ଆମର ସିନେମା ହିରୋ, ହିରୋଇନ୍‌ ବା ଖଳନ‌ାୟକକୈନ୍ଦ୍ରିକ ହୋଇଯାଇଛି। ଏଣୁ ସାହିତ୍ୟର ଛାପ ଆଉ ସିନେମାରେ ଦେଖାବାକୁ ମିଳୁ ନାହିଁ।

ଅଭିନେତ୍ରୀ ସୁପ୍ରିୟା ପାଠକ ଯୋଗଦେଇ କହିଲେ, ସିନେମାରେ ସାହିତ୍ୟର ଛାପ ଦେଖିବାର ବିଶେଷ ସୁଯୋଗ ନାହିଁ। କିନ୍ତୁ ଟେଲିଭିଜନ୍‌ ଧାରାବାହିକ ଓ ଓଟିଟି ପ୍ଲାଟଫର୍ମରେ ସାହିତ୍ୟକୁ କାହାଣୀରେ ଉତାରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି। ନୂଆ ନୂଆ କାହାଣୀ ସହ ଭିନ୍ନ ଚରିତ୍ର ସବୁ ଏହି ମାଧ୍ୟମରେ ହିଁ ଚିତ୍ରିତ କରାଯାଇପାରୁଛି। କାହାଣୀର ପ୍ରତିଟି ଚରିତ୍ର ନ୍ୟାୟ ପାଇବା ସହ ପ୍ରତିଟି ଚରିତ୍ରର ଭାବନାକୁ ଏହି ଦୁଇ ମାଧ୍ୟମ ଦ୍ବାରା ପରିପ୍ରକାଶ କରାଯାଇପାରୁଛି। ଏଥିସହ ଉପନ୍ୟାସରେ ସ୍ଥାନ ପାଇଥିବା ବିଭିନ୍ନ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ବ୍ୟକ୍ତିଗତ ପ୍ରସଙ୍ଗକୁ ଲେଖାଗୁଡ଼ିକ ଅପେକ୍ଷା ଭିଜୁଆଲ୍‌ ମାଧ୍ୟମ ଭଲ ଭାବେ ଲୋକମାନଙ୍କୁ ବୁଝାଇ ପାରୁଛି। ଏଣୁ ସାହିତ୍ୟ ପାଇଁ ଆଗକୁ ଓଟିଟି ପ୍ଲାଟ୍‌ଫର୍ମ ଉତ୍ତମ ମାଧ୍ୟମ ହେବ ବୋଲି ଆଶା କରାଯାଉଛି। ଏଥିସହ ପଢ଼ିବା ପସନ୍ଦ ନଥିବା ବା ପଢ଼ି ପାରୁନଥିବା ଦର୍ଶକଙ୍କୁ ଏହି ମାଧ୍ୟମ ହିଁ ଏବେ ସାହିତ୍ୟ ପାଖ‌‌ରେ ପହଞ୍ଚାଇ ପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଅଧିବେଶନକୁ ଉତ୍ସବର ନିର୍ଦ୍ଦେଶିକା ମାଳବିକା ବାନାର୍ଜୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର