ମେଲୋଡି ରୋକିବାରୁ ଥାନା ଘେରାଉ, ପୁଲିସକୁ ଢେଲା ମାଡ଼

ବାଲେଶ୍ବର: ବୁଧବାର ସଂଧ୍ୟାରେ ରାଇବଣିଆ ଥାନା ସମ୍ମୁଖରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ଦ୍ବାରା ‌ଏକ ମେଲୋଡି ଆୟୋଜନ କରାଯାଇଥିଲା। ହେଲେ ବର୍ତ୍ତମାନ ପୌର ନିର୍ବାଚନ ଚାଲିଥିବାରୁ ‌ଥାନାରେ ଆବଶ୍ୟକ ପୁଲିସ କର୍ମଚାରୀ ନଥିବା ଏବଂ ଏହି ମେଲୋଡି ପାଇଁ ପୂର୍ବରୁ ଅନୁମତି ନିଆଯାଇ ନଥିବାରୁ ତୁରନ୍ତ ବନ୍ଦ କରିବାକୁ ପୁଲିସ ନିର୍ଦେଶ ଦେଇଥିଲା। ଏହାକୁ ନେଇ ଉକ୍ତ ଯୁବ‌େଗା‌ଷ୍ଠୀ ପୁଲିସ ଉପରେ ତାତି ଉଠି ଉଠିଥିଲେ। ଏଥିସହ ରାଇବଣିଆ ଥାନା ଆଇଆଇସି ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଘେରି ଯାଇଥିଲେ। ମେଲୋଡି ବନ୍ଦ କରାଇ ଆଇଆଇସି ଶ୍ରୀ ମଲ୍ଲିକ ଥାନାରେ ଉପସ୍ଥିତ ଥିବାବେଳେ ସେମାନେ ଥାନା ଘେରାଉ କରି ଟେକାପଥର ମାଡ଼ ଓ ଭଙ୍ଗାରୁଜା କରିଥିବା‌ ଦେଖାଯାଇଥିଲା।

ପୁଲିସ ଉପରକୁ ଯୁବଗୋଷ୍ଠୀଙ୍କ ଏଭଳି ଅଶୋଭନୀୟ ଆଚରଣକୁ ନେଇ ସେଠାକାର ବୁଦ୍ଧିଜୀବୀ ମହଲ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସୂଚନା ଥାଉକି, ରାଇବଣିଆ ଥାନାର ଆଇଆଇସି ଭାବେ ଶ୍ରୀ ମଲ୍ଲିକ ନିକଟରେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ, ଦେଶୀ ମଦ, ଜଙ୍ଗଲୀ କାଠ କାରବାର ଉପରେ ରୋକ ଲଗାଇ ମାଫିଆଙ୍କୁ ସାବାଡ଼ କରିବା ଆରମ୍ଭ କରିଛନ୍ତି। ଏହାର ପ୍ରତିଶୋଧସ୍ବରୂପ ଆଜି ମେଲୋଡ଼ିର ଆୟୋଜନ ଏବଂ ତାହା ରୋକିବାରୁ ଥାନା ଉପରକୁ ଟେକାପଥର ମରାଯାଇଥିବା ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି। ତେବେ ଥାନା ଘେରାଉ ସମ୍ପର୍କରେ ଜଳେଶ୍ବର ଏସ୍‌ଡିପିଓ ଅଙ୍କିତା କୁମ୍ଭାରୀ ଖବର ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଓ ବିକ୍ଷୋଭକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର