ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ରକୁ ଯାଉ ନାହାନ୍ତି ପର୍ଯ୍ୟଟକ, ଯାତ୍ରୀ

ଖର୍ଚ୍ଚ ହୋଇଛି ୧.୪୦ କ‌ୋଟିରୁ ଅଧିକ, ଏଯାଏଁ ହେଲାନି ଜଳ ପାନର ବ୍ୟବସ୍ଥା

ରାଉରକେଲା: ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ବରେ ନିର୍ମାଣ କରିଛନ୍ତି ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ର ( ୱେ ସାଇଡ୍‌ ଏମିନିଟି ସେଣ୍ଟର)। ଗତ ୨୦୧୮ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌‌ଫରେନ୍ସିଂ ଜରିଆରେ ରାଜ୍ୟର ୩୪ରୁ ଅଧିକ ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ଏସବୁ କେନ୍ଦ୍ର ନିର୍ମାଣ ବାବଦରେ ୭୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରତ୍ୟେକ କେନ୍ଦ୍ରରେ ରହିଛି ଜଳପାନ, ଶୌଚାଳୟ, ପାର୍କିଂର ବ୍ୟବସ୍ଥା। ପିଲାଙ୍କ ମନୋରଞ୍ଜନ ପାଇଁ ଶିଶୁ ଉଦ୍ୟାନ। ରକ୍ଷଣାବେକ୍ଷଣ ଦାୟିତ୍ବ ଘରୋଇ ସଂସ୍ଥାକୁ ଦିଆଯାଇଛି। ଲକ୍ଷ୍ୟ ରହିଛି ରାସ୍ତାରେ ଯାଉଥିବା ପର୍ଯ୍ୟଟକ, ଯାତ୍ରୀ କିଛି ସମୟ ବିଶ୍ରାମ ନେବେ। ନିତ୍ୟକର୍ମ ସାରି ପୁଣି ନିଜ ଗନ୍ତବ୍ୟ ସ୍ଥାନକୁ ଫେରିଯିବେ।

ଉଦ୍‌ଘାଟନକୁ ଇତି ମଧ୍ୟରେ ୩ ବିର୍ଷ ବିତିଯାଇଛି। କିନ୍ତୁ ଆଜି ଯାଏ ଅଧିକାଂଶ ଲୋକ ଏହି କେନ୍ଦ୍ର କାହିଁକି ସ୍ଥାପନା ଜାଣି ନାହାନ୍ତି। ଆବଶ୍ୟକୀୟ ସୁବିଧା ନଥିବାରୁ ପର୍ଯ୍ୟଟକ, ଯାତ୍ରୀମାନେ କେନ୍ଦ୍ରକୁ ଯାଇ ଅଧା ବାଟରୁ ଫେରି ଆସୁଛନ୍ତି। ଏଭଳି ଅବ୍ୟବସ୍ଥା ଦେଖାଦେଇଛି ସୁନ୍ଦରଗଡ ଜିଲ୍ଲାରେ ସ୍ଥାପନା ଦୁଇଟି ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ରରେ। ଗୋଟିଏ ରହିଛି ଲାଠିକଟା-ବାରକୋଟ୍‌ ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ଡା ନିକଟ ବିରତୋଳାରେ। ଅନ୍ୟଟି ରହିଛି ୧୦ ନଂ ରାଜ୍ୟ ରାଜପଥ (କ)ର ବାରକୋଟ୍‌-ଦର୍ଦିଂ ରୋଡ ବଣାଇଁ ନିକଟ ଲଲେଇରେ। ଗତ ୨୦୧୬-୧୭ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୮ ପ୍ରଥମ ମାସ ସୁଦ୍ଧା ଶେଷ ହୋଇଥିଲା। ଖର୍ଚ୍ଚ ହୋଇଛି ୬୨ ଲକ୍ଷରୁ ଅଧିକ। ଏଥିସହ ପାର୍କିଂ, ଶିଶୁ ଉଦ୍ୟାନ ଅନ୍ୟାନ୍ୟ ବିକାଶ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ମୁମ୍ବାଇର ପ୍ରୋପର୍ଟି ସଲ୍ୟୁସନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥାକୁ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଇଛି। ସଂସ୍ଥା ପକ୍ଷରୁ ପ୍ରତ୍ୟେକ କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୬ ଜଣ ଲେଖାଏଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ପାଣ୍ଠିରୁ ପ୍ରତ୍ୟେକ କେନ୍ଦ୍ରରେ ରକ୍ଷଣାବେକ୍ଷଣ ବାବଦରେ ମାସକୁ ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି।

ବିଡମ୍ବନା, ମାସ ମଧ୍ୟରେ ଆସିଛନ୍ତି ମାତ୍ର ୧୦୦ । ଅର୍ଥାତ୍‌ ଦିନକୁ ମାତ୍ର ୩ରୁ ୪ ଜଣ ପର୍ଯ୍ୟଟକ ଆସୁଛନ୍ତି। ଲଲେଇ କେନ୍ଦ୍ରର ପ୍ରାୟ ୩ ମାସ ହେଲା ବିଜୁଳି ସମସ୍ୟା ଲାଗି ରହିଛି। ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିବା କର୍ମଚାରୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କେହି ଶୁଣୁ ନାହାନ୍ତି। ରାତିରେ ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ର ଠାରୁ ବାହାର ଓ ଭିତର ଅଧିକାଂଶ ସମୟରେ ଅନ୍ଧାର ରହୁଛି। ରାତି ସମୟରେ ସାମୟିକ ବିଶ୍ରାମ ନେବାକୁ ଚାହୁଁଥିବା ପରିବାର ଭୟରେ ଯାଉ ନାହାନ୍ତି। ଉଦ୍ୟାନର ସ୍ଥିତି ନ କହିବା ଭଲ। ଯେଉଁସବୁ ଫୁଲଗଛଗୁଡ଼ିକ ଲାଗିଥିଲା ତାହା ଦିଶୁନି। ଜଳପାନ ପାଇଁ ରୋଷେଇ ଘର ନିର୍ମାଣ ହୋଇଛି। ଆଜି ଯାଏଁ ଏସବୁ ବ୍ୟବସ୍ଥା କରାଯାଇ ନାହିଁ। କେବେ ବିଭାଗୀୟ ଅଧିକାରୀ କହି ପାରୁ ନାହାନ୍ତି। ବାସ୍ତବ ସ୍ଥିତିକିୁ ଦେଖିଲେ କେବଳ ଠିକା ସଂସ୍ଥାକୁ ପୋଷିବାକୁ ଏହି ଦୁଇଟି କେନ୍ଦ୍ର ନିର୍ମାଣ କରାଯାଇଥିଲା ବୋଲି ମନେ ହେଉଛି।

ନିର୍ମାଣ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ କାର୍ଯ୍ୟବ୍ୟସ୍ତତା ଦର୍ଶାଇ କେନ୍ଦ୍ର ନିର୍ମାଣ ସଂକ୍ରାନ୍ତରେ କିଛି କହିବାକୁ ରୋକ୍‌ଠୋକ୍‌ ମନା କରି ଦେଇଛନ୍ତି। ଏଥିରୁ ଯାହାର ବୁଝାପଡୁଛି ବିଭାଗୀୟ ଅଧିକାରୀ ଯେମିତି ରାସ୍ତା ପାର୍ଶ୍ବ ଅବସ୍ଥାନ କେନ୍ଦ୍ର ନିର୍ମାଣ କରି ତାଙ୍କର କାମ ସାରି ଦେଇଛନ୍ତି। ରାସ୍ତା ପାର୍ଶ୍ବରେ ନିର୍ମାଣ ଅବସ୍ଥାନ କେନ୍ଦ୍ର ପଥଚାରୀ, ପର୍ଯ୍ୟଟକଙ୍କୁ ଆଜି ଯାଏ ସୁବିଧା ଦେଇ ପାରି ନାହିଁ। ତେବେ ଜିଲ୍ଲାର ନିର୍ମାଣ ‌ହୋଇଥିବା ଏହି ଦୁଇଟି କେନ୍ଦ୍ର କାହା ସ୍ବାର୍ଥ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର