ଗାଡ଼ି ଚାଳକଙ୍କ ଠାରୁ ଜରିମାନା ଆଦାୟ ପ୍ରସଙ୍ଗ : ରାଜ୍ୟ ସରକାର ନିଜ ବ୍ୟବସ୍ଥାକୁ ସଜାଡ଼ନ୍ତୁ – ବିଜେପି

ଭୁବନେଶ୍ବର : ନୂଆ ମଟର ଯାନ ଆଇନ୍‌କୁ ବିଜେପି ସମର୍ଥନ କରିଛି। କିନ୍ତୁ ଆଇନ୍ କାର୍ଯ୍ୟକାରୀ କରିବା ବେଳେ ମାତ୍ରାଧିକ ଜରିମାନା ଆଦାୟକୁ ଦଳ ସମାଲୋଚନା କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ନୂଆ ଆଇନ୍ କାର୍ଯ୍ୟକାରୀ କରିବା ପୂର୍ବରୁ ସରକାର ନିଜସ୍ବ ବ୍ୟବସ୍ଥାକୁ ସଜାଡ଼ିବା ସହ ଲୋକଙ୍କୁ ବ୍ୟାପକ ଭାବେ ସଚେତନ କରାଇବା ଆବଶ୍ୟକ ଥିଲା। କିନ୍ତୁ ତାହା ନ କରି ରାଜ୍ୟ ସରକାର ଓ ପୁଲିସ୍‌ ପ୍ରଶାସନ ତରବରିଆ ଭାବେ ଆଇନ୍‌କୁ ଲାଗୁ କରାଇ ଜରିମାନା ଆଦାୟ କରିବା ଦୁର୍ଭାଗ୍ୟଜନକ। ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟ ସରକାର ବିନା ପ୍ରସ୍ତୁତିରେ ନିରୀହ ଲୋକଙ୍କ ଠାରୁ ଜରିମାନା ଆଦାୟ କରିଚାଲିଛନ୍ତି। ପୁଲିସ୍‌ର ମାତ୍ରାଧିକ ଫାଇନ୍‌ ଆଦାୟ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି କରିଛି। ଆଜି ତାହାର ପ୍ରତିଫଳନ ରାଜମହଲ ଛକରେ ଦେଖିବାକୁ ମିଳିଛି। ସେଠାରେ ପୁଲିସ୍‌ ଲାଠିଚାର୍ଜ କରି ଲୋକଙ୍କ ମନ‌େର ଭୟର ବାତାବରଣ ସୃଷ୍ଟି କରିବା ଗ୍ରହଣୀୟ ନୁହେଁ। ପୁଲିସ୍‌ର ଗଣମାଧ୍ୟମରେ ବୟାନ ଓ ତାହାର କାର୍ଯ୍ୟକାରିତା ଭିତରେ ତାଳମେଳ ରହୁ ନାହିଁ। ଯେଉଁ ଆଇନ୍ ସାଧାରଣ ଲୋକଙ୍କ ପାଇଁ ଲାଗୁ ହେଉଛି, ତାହା ସରକାରୀ ଗାଡ଼ି ପାଇଁ ମଧ୍ୟ ଲାଗୁ ହେବା ଦରକାର। ମାତ୍ର ରାଜ୍ୟ ପୁଲିସ୍‌ ଓ ପରିବହନ ବିଭାଗ ସାଧାରଣ ଲୋକଙ୍କ ଉପରେ ଜରିମାନା ଆଦାୟରେ ମାତିଥିଲା ବେଳେ ନିଜେ ସେହି ନିୟମକୁ ନ ମାନିବା ଦୁର୍ଭାଜ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର