ରାଜଧାନୀରେ ଜରିମାନା ନିଆଁ : ପୁଲିସ-ଜନତା ଖଣ୍ଡଯୁଦ୍ଧ, ରାଜମହଲ ଛକ ପାଲଟିଲା ରଣକ୍ଷେତ୍ର

ଉଗ୍ର ରୂପ ନେଲା ପୁଞ୍ଜିଭୂତ ଅସନ୍ତୋଷ, ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ, ୫ ଆହତ, ଢେଲା ଓ ବୋତଲ ମାଡ଼ରେ ୩ ପୁଲିସ ଲହୁଲୁହାଣ

ଭୁବ‌ନେଶ୍ବର : ନୂଆ ମୋଟର ଯାନ ଆଇନ ବଳରେ ସପ୍ତାହେ ହେଲା ମାତିଥିଲେ ପରିବହନ ଅଧିକାରୀ ଓ ପୁଲିସ। ଯାଞ୍ଚ ଆଳରେ ଜୁଲମ୍‌ ଚଳାଇଥିଲେ। ସେମାନଙ୍କ ବ୍ୟବହାର ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ‌ ସାଧାରଣ ଜନତାଙ୍କ ଭିତରେ କୁହୁଳୁଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଛି। ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ ଛକରେ ଜନତା ସେମାନଙ୍କ କ୍ରୋଧ ଓ ଆକ୍ରୋଶକୁ ଖୋଲାଖୋଲି ପ୍ରକାଶ କରିଥିଲେ। ଯାଞ୍ଚରୁ ଉଚ୍ଚବାଚ ଆରମ୍ଭ ହୋଇ କିଛି ସମୟ ମଧ୍ୟ‌େର ଏହା ଏମିତି ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲା ଯେ ପୁଲିସ-ଜନତା ଖଣ୍ଡଯୁଦ୍ଧରୁ ରାଜମହଲ ଛକ ରଣକ୍ଷେତ୍ର ପାଲଟି ଯାଇଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସକୁ ଲାଠି ମାଡ଼ କରିବ‌ାକୁ ପଡ଼ିଥିଲା। ପୁଲିସ ମାଡ଼ରେ ୫ ସାଧାରଣ ଲୋକ ଆହତ ହୋଇଥିଲା ବେଳେ ଢେଲା ମାଡ଼ରେ ୩ ପୁଲିସ ଲହୁଲୁହାଣ ହୋଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ବି ଭାଙ୍ଗିଥିଲା। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଜରିମାନା ଜୁଲମ୍‌କୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ରାଜମହଲ ଛକରେ ଯାଞ୍ଚ ଚାଲିଥିଲା ବେଳେ ସରକାରୀ ଗାଡ଼ିକୁ କାହିଁକି ଛାଡ଼ି ଦିଆଯାଉଛି ବୋଲି ଲୋକମାନେ ପ୍ରଶ୍ନ କରିଥିଲେ। ସେହିପରି ଲୋକଙ୍କୁ ଜରିମାନା କଷୁଥିବା ପୁଲିସ ଓ ପରିବହନ ଅଧିକାରୀଙ୍କ ଗାଡ଼ିର କାଗଜପତ୍ର ଯାଞ୍ଚ ହେଉ ବୋଲି ଲୋକ ଦାବି କରିଥିଲେ। ‘ଆମକୁ କାଗଜ ମାଗୁଛ, ତୁମ ଗାଡ଼ିର ଦେଖାଅ’ ବୋଲି ସମସ୍ତେ ମିଶି ପୁଲିସକୁ ପ୍ରଶ୍ନ କରିଥିଲେ। ସେହି ବାଟ ଦେଇ ଯାଉଥିବା ସରକାରୀ ଗାଡ଼ି ଓ ବସ୍‌କୁ ଲୋକମାନେ ଅଟକାଇଥିଲେ। ଏହାକୁ ନେଇ ପୁଲିସ ଓ ଜନତାଙ୍କ ମଧ୍ୟରେ ଉଚ୍ଚବାଚ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଯୁକ୍ତିତର୍କ ବଢ଼ିବା ସହ ଠେଲାପେଲା ଓ ଧସ୍ତାଧସ୍ତିରେ ପରିଣତ ହେଲା।

କିଛି ସମୟ ମଧ୍ୟରେ ସେହି ବାଟ ଦେଇ ଯାଉଥିବା ଲୋକମାନେ ରାସ୍ତା କଡ଼ରେ ଗାଡ଼ି ରଖି ପୁଲିସ ଆଡ଼କୁ ମାଡ଼ିଗଲେ। ରାଜଧାନୀରେ ପୁଲିସ ଉପରେ ଲୋକଙ୍କ ଏତେ କ୍ରୋଧ ଥିଲା ଯେ ମାତ୍ର କିଛି ମିନିଟ୍‌ ମଧ୍ୟରେ ଶହ ଶହ ଲୋକ ହାତ ମିଳାଇ ପୁଲିସ ଜୁଲମ୍‌ର ତୀବ୍ର ପ୍ରତିବାଦ କରିଥିଲେ। ଅପରାହ୍ନ ପ୍ରାୟ ୧ଟା ୩୦ ବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା। ରାଜମହଲ ଫ୍ଲାଏ ଓଭର୍ ଉପରେ ଶତାଧିକ ଲୋକ ଠିଆ ହୋଇ ପୁଲିସ ବିରୋଧରେ ନାରାବାଜି କରୁଥିଲାବେଳେ ତଳେ ସାଧାରଣ ଜନତା ପୁଲିସ ସହ ମୁହାଁମୁହିଁ ହୋଇଗଲେ। ଛକ ନିକଟରେ ଥିବା ସବୁ ଦୋକାନବଜାର ବନ୍ଦ ହୋଇଗଲା। ଖବର ପାଇ ଡିସିପି ଅନୁପ କୁମାର ସାହୁ, ଡିସିପି(ଟ୍ରାଫିକ୍‌) ସାଗରିକା ନାଥ ଓ ୨ ସେକ୍ସନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଅଧିକ ସଂଖ୍ୟକ ପୁଲିସ ଫୋର୍ସ ମଗାଗଲା। ବରିଷ୍ଠ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିଲେ ବି ସେଠାରେ ସୃଷ୍ଟି ‌େହାଇଥିବା ଜନସମୁଦ୍ର ଆଉ କିଛି ମାନିବା ସ୍ଥିତିରେ ନ ଥିଲେ। ମାର୍ ମାର୍ କହି ପୁଲିସ ଆଡ଼କୁ ମାଡ଼ିଯାଇଥିଲେ।

ଚାହୁଁ ଚାହୁଁ ପୁଲିସ ଓ ଜନତାଙ୍କ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଗଲା। ଜଣେ କନେଷ୍ଟବଳଙ୍କୁ ୫ ଜଣ ଯୁବକ ମିଠା ଦୋକାନ ଭିତରକୁ ଟେକି ନେଇ ନିସ୍ତୁକ ପିଟିଥିଲେ। ପୁଲିସ ଗାଡ଼ିକୁ ଆକ୍ରମଣ କରିଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୁଲିସ ଲାଠିଚା‌ର୍ଜ କରିଥିଲା। ଗୋଟିଏ ପଟେ ପୁଲିସ ଲାଠି ମାଡ଼ କରି ଲୋକଙ୍କ ଆଡ଼କୁ ମାଡ଼ି ଯାଉଥିଲା ବେଳେ ପଛ ପଟେ ଲୋକମାନେ ପୁଲିସ ଆଡ଼କୁ ଝପଟି ଆସିଥିଲେ। ଏହି ସମୟରେ ଫ୍ଲାଏଓଭର ଉପରୁ ପୁଲିସ ଉପରକୁ ଢେଲା ସହ ମଦ ବୋତଲ ମାଡ଼ ହୋଇଥିଲା। ଫଳରେ ପାଖାପାଖି ଘଣ୍ଟାଏ ଧରି ରାଜମହଲ ଛକ ରଣକ୍ଷେତ୍ର ପାଲଟିଥିଲା।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ନାକେଦମ୍‌ ହୋଇ ଯାଇଥିଲା। ପ୍ରାୟ ସାଢ଼େ ଦୁଇଟା ବେଳକୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ୩ଟା ପରେ ରାଜମହଲ ଛକରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପୁଲିସ ଲାଠି ମାଡ଼ରେ ପାଞ୍ଚ ଜଣ ଆହତ ହୋଇଥିଲେ। କିଛି ଲୋକ ଭୟରେ ଦୌଡ଼ିଗଲା ବେଳେ ରାସ୍ତାରେ ପଡ଼ି ଲହୁଲୁହାଣ ହୋଇଥିଲେ। ଖବର ସଂଗ୍ରହ କରୁଥିବା ଦୁଇ ଜଣ ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ। ଲୋକଙ୍କ ଢେଲାପଥର ମାଡ଼ରେ ୫ ଜଣ ପୁଲିସ ଆହତ ହୋଇଥିଲେ। ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ଘଟଣାସ୍ଥଳରୁ ପୁଲିସ ୫ ଜଣଙ୍କୁ ଉଠାଇ ନେଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ଘଟଣାସ୍ଥଳରେ କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଓ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁ୍‌ନଗୋ ପହଞ୍ଚି ସରକାରଙ୍କୁ ସମାଲୋଚନା କରିଥିଲେ। ନୂଆ ଆଇନକୁ ଗୁଜୁରାଟ ଓ ପଶ୍ଚିମବଙ୍ଗ ସମେତ ୪ଟି ରାଜ୍ୟ ଗ୍ରହଣ କରି ନ ଥିବା ବେଳେ ରାଜ୍ୟ ସରକାର ଏହାକୁ ଲାଗୁ କରି ଗାଡ଼ି ଚାଳକଙ୍କୁ ଭାରାକ୍ରାନ୍ତ କରିଛନ୍ତି, ଯାହାର ଏହା ପ୍ରତିଫଳନ ବୋଲି ଉଭୟ କହିଥିଲେ।

ଅନ୍ୟପକ୍ଷରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସରକାର ଆଇନ ଲାଗୁ କରିଛନ୍ତି। ସେଥିରେ ଆମର ଥିବା ଦାୟିତ୍ବ କେବଳ ଆମେ ନିଭାଉଛୁ। ଆମେ ମୋଟାଅଙ୍କର ଜରିମାନା ମଧ୍ୟ କଷୁ ନାହୁଁ। ଆଜି ଜଣଙ୍କଠାରୁ ସର୍ବାଧିକ ୫ଶହ ଟଙ୍କା ହିଁ ଆଦାୟ ହୋଇଛି। ତେବେ ‌େଲାକମାନେ ଯାହା ଅଭିଯୋଗ କରୁଛନ୍ତି ତାହା ଆମ ହାତରେ ନାହିଁ। କେଉଁ ସରକାରୀ ଗାଡ଼ିର ବୀମା ନ ଥିବ ତେବେ ସରକାରୀ ପ୍ରକ୍ରିୟାରେ କେଉଁଠି କେତେବେଳେ ବିଳମ୍ବ ହୋଇଥିବ। କିନ୍ତୁ ଏନ୍‌ଫୋର୍ସମେଣ୍ଟ କରୁଥିବା ଏଜେନ୍ସି ଆଗ ସବୁ ଦିଗରୁ ପରିଷ୍କାର ରହିବା ଉଚିତ। ବର୍ତ୍ତମାନ ବୀମା ଓ ପ୍ରଦୂଷଣ ଯାଞ୍ଚ କରାଯାଉ ନାହିଁ। ହେଲ୍‌ମେଟ୍‌, ମୋଟର୍ ସାଇକେଲ୍‌ରେ ତିନି ଜଣ ବସିବା, ମଦ ପିଇ ଗାଡ଼ି ଚଳାଇବା, ଗାଡ଼ି ଚଳାଇଲା ବେଳେ ମୋ‌ବାଇଲ୍‌ରେ କଥା ହେବା, ସିଟ୍‌ ବେଲ୍ଟ ନ ବାନ୍ଧିବା ଏବଂ ଟ୍ରାଫିକ୍ ନିୟମ ନ ମାନି ଭୁଲ୍‌ ଦିଗରେ ଗାଡ଼ି ଚଳାଇବା ଆଦି ପାଞ୍ଚଟି ଦିଗକୁ ଯାଞ୍ଚ କରାଯାଉଛି ବୋଲି କମିସନର୍ କହିଥିଲେ।

ସମ୍ବନ୍ଧିତ ଖବର