ବାଘ ଗଣନା ପାଇଁ ତାଲିମ

ଜାନୁଆରିରେ ପକ୍ଷୀ, କୁମ୍ଭୀର ଗଣନା; ଫେବ୍ରୁଆରିରେ କୃଷ୍ଣସାର, ମାର୍ଚ୍ଚରେ ହାତୀ

ଭୁବନେଶ୍ବର : ବିଦେଶୀ ପକ୍ଷୀ ଏବେ ଓଡ଼ିଶା ମୁହାଁ। ଧୀରେଧୀରେ ଓଡ଼ିଶାରେ ପାରଦ ଖସୁଥିବାରୁ ପ୍ରମୁଖ ଜଳଭଣ୍ଡାରରେ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳିଲାଣି। ତାହାକୁ ନଜରରେ ରଖି ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ପକ୍ଷୀଙ୍କ ସୁରକ୍ଷା ଓ ଗଣନା ଦିଗରେ ପଦକ୍ଷେପ ନେବାକୁ ଡିଏଫ୍‌ଓମାନଙ୍କୁ କୁହାଯାଇଛି। ୨୦୨୨ ପ୍ରଥମରୁ ତଥା ଜାନୁଆରିରୁ ରାଜ୍ୟରେ ପକ୍ଷୀ ଗଣନା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଜାନୁଆରି ପ୍ରଥମ ସପ୍ତାହ ତଥା ୩ ଓ ୪ରେ ଚିଲିକାରେ ଏବଂ ଏହାପରେ ହୀରାକୁଦ ଜଳଭଣ୍ଡାର, ଭିତରକନିକା ସମେତ ଅନ୍ୟାନ୍ୟ ଜଳଭଣ୍ଡାରରେ ପକ୍ଷୀ ଗଣନା ହେବ। ପରବର୍ତୀ ସମୟରେ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଫେବ୍ରୁଆରି ଶେଷ ଆଡ଼କୁ ରାଜ୍ୟରେ କୃଷ୍ଣସାର ମୃଗ ଗଣନା କରାଯିବ ବୋଲି ଜଣାପଡ଼ିଛି।

Ommcom News

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୫ବର୍ଷ ବ୍ୟବଧାନରେ ଗୋଟିଏ ସମୟରେ ରାଜ୍ୟରେ ହାତୀ ଓ ବାଘ ଗଣନା ହେବାକୁ ଯାଉଛି। ମାର୍ଚ୍ଚରୁ ମେ’ ମଧ୍ୟରେ ରାଜ୍ୟରେ ହାତୀ ଗଣନା କରାଯିବ। ଇତିମଧ୍ୟରେ ଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚରୀଙ୍କ ତାଲିମ୍‌ ମଧ୍ୟ ଦିଆଯାଇଛି। ରାଜ୍ୟର ପ୍ରମୁଖ ଅଭୟାରଣ୍ୟରେ ଗଣନା ହେବାକୁ ଥିବାରୁ ‌ସୁରକ୍ଷା ବ୍ୟବସ୍ଥାକୁ ବି ପ୍ରା‌ଥମିକତା ଦେବାକୁ କୁହାଯାଇଛି। ନିୟମ ଅନୁଯାୟୀ, ପ୍ରତି ଦୁଇ ବର୍ଷ ବ୍ୟବଧାନରେ ହାତୀ ଗଣନା କରାଯିବା କଥା। ଶେଷ ଥର ପାଇଁ ୨୦୧୭ ମେ’ରୁ ଜୁଲାଇ ମଧ୍ୟରେ ହାତୀ ଗଣନା ହୋଇଥିଲା। ତା’ପରଠାରୁ ଆଉ ଗଣନା ହୋଇନାହିଁ। ତଥ୍ୟ କହୁଛି, ଓଡ଼ିଶାରେ ହାତୀଙ୍କ ସଂଖ୍ୟା ବଢ଼ୁଛି। ୨୦୧୫ ଗଣନା ସମୟରେ ଓଡ଼ିଶାରେ ୧୯୫୪ଟି ହାତୀ ରହିଥିଲେ। ୨୦୧୭ ଗଣନା ବେଳକୁ ହାତୀଙ୍କ ସଂଖ୍ୟା ୧୯୭୬କୁ ବୃଦ୍ଧି ପାଇଥିଲା। ଅର୍ଥାତ୍‌ ୨୨ଟି ହାତୀ ବଢ଼ିଥିଲେ। ତେବେ ଗତ ତିନି ବର୍ଷ ହେଲା ହାତୀମୃତ୍ୟୁ ଓଡ଼ିଶାରେ ଅଧିକ ରହିଛି। ତେଣୁ ସଂଖ୍ୟା ବଢ଼ିଥିବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ର୍ରକାଶ କରିଛନ୍ତି।

Big Cats India

ଅନ୍ୟପକ୍ଷରେ ବାଘ ଗଣନା ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ୪ରୁ ୫ମାସ ଧରି ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ବାଘ ଗଣନା କରାଯିବ। ଅକ୍ଟୋବର ମାସରେ ଏନେଇ ଶିମିଳିପାଳ ଅଭୟାରଣ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ବାରିପଦା ବନଖଣ୍ଡ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ୍‌ କାର୍ଯ୍ୟକ୍ରମରେ ଶିମିଳିପାଳ ଅଭୟାରଣ୍ୟର କୋର୍‌ ଓ ବଫର୍‌ ଅଞ୍ଚଳର ୮୫ଜଣ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା। ବାଘ ଗଣନା ଲାଗି ଜଣେ ନୋଡାଲ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ ଜାରି ରହିଛି। ୨୦୧୮ ଗଣନା ବେଳେ ରାଜ୍ୟର ୧୫ଟି ବନଖଣ୍ଡକୁ ସାମିଲ କରାଯାଇଥିଲା। ଏଥର ଅଧିକ ୫ରୁ ୭ଟି ବନଖଣ୍ଡରେ ବାଘ ଗଣନା କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। କେତେକ ବନଖଣ୍ଡରେ ବାଘ ଚଳପ୍ରଚଳ ହେଉଥିବା ନଜରକୁ ଆସିଥିବାରୁ ଏଥର ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଅକ୍ଟୋବରରୁ ପ୍ରଥମ ପର୍ଯ୍ୟାୟ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜିଆଇଏସ୍‌ର ତଥ୍ୟ ଅନୁଯାୟୀ କେଉଁଠାରେ କେତେ ଘନତା ବିଶିଷ୍ଟ ଜଙ୍ଗଲ ଓ ତୃଣଭୋଜି ପ୍ରାଣୀ ଅଛନ୍ତି, ସେସବୁକୁ ଚିହ୍ନଟ କରାଯିବ। ଶେଷ ପର୍ଯ୍ୟାୟରେ କ୍ୟାମେରା ଟ୍ରାପ୍‌ ପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯିବ। ଜାନୁଆରି ଶେଷ ସୁଦ୍ଧା ବିଭିନ୍ନ ବନାଞ୍ଚଳ ଦ୍ବାରା ସମ୍ପୃକ୍ତ ଅଞ୍ଚଳର କ୍ୟାମେରା ତଥ୍ୟକୁ ବିଶ୍ଳେଷଣ ପାଇଁ ଦାଖଲ କରିବାକୁ ହେବ। ସାଇନ୍ ସର୍ଭେ, ପଗ୍ ମାର୍କ (ପାଦ ଚିହ୍ନ) ଓ କ୍ୟାମେରା ଟ୍ରାପ୍‌ ଦ୍ବାରା ବାଘ ଗଣନା କରାଯିବ। ବାଘ ଗଣନାକୁ ତ୍ରୁଟିଶୂନ୍ୟ କରିବା ପାଇଁ ସ୍ବତନ୍ତ୍ର ମୋବାଇଲ୍ ଆପ୍ ବ୍ୟବହାର କରାଯାଉଥିବା ନେଇ ଅଧିକାରୀଜଣକ କହିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୮ ବାଘ ଗଣନା ଅନୁଯାୟୀ ଓଡ଼ିଶା‌ରେ ୨୮ଟି ମହାବଳ ରହିଛନ୍ତି।

ସମ୍ବନ୍ଧିତ ଖବର