କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୫୫ ଯୋଡ଼ା ଟ୍ରେନ୍‌ ବାତିଲ୍‌; ପୂର୍ବତଟ ରେଳପଥ‌ରେ ୨୪ ଟ୍ରେନ୍‌, ଟିକେଟ୍‌ ବୁକିଂ ରିହାତି ରଦ୍ଦ ନିଷ୍ପତ୍ତି

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ପକ୍ଷରୁ ମାର୍ଚ୍ଚ ୨୦ତାରିଖ ରାତି ୧୨ଟାରୁ ସମସ୍ତ ଯାତ୍ରୀଙ୍କ ସଂରକ୍ଷିତ ଏବଂ ଅସଂରକ୍ଷିତ ବର୍ଗର ଟିକେଟ୍ ବୁକିଂ ରିହାତିକୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଛାତ୍ରୀଛାତ୍ର, ରୋଗୀ ଓ ଦିବ୍ୟାଙ୍ଗଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଏଥିସହ ଆବଶ୍ୟକ ନଥିଲେ, ଟ୍ରେନ୍‌ରେ ଯାତ୍ରା ନ କରିବା ପାଇଁ କୁହାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କମ୍ ଯାତ୍ରୀ ସଂଖ୍ୟା ଥିବା ୧୫୫ ଯୋଡ଼ା ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ଯାତ୍ରୀଙ୍କୁ ଅସୁବିଧା ନହେବା ଲାଗି ଅନ୍ୟ ବିକଳ୍ପକୁ ଗୁରୁତ୍ୱ ଦିଆଯାଇଛି। ବାତିଲ ହୋଇଥିବା ଟ୍ରେନ୍‌ରେ ଯାତ୍ରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ଦେବାର ବ୍ୟବସ୍ଥା ହୋଇଛି। ସେହିପରି ଦେଶର ଦକ୍ଷିଣ ଭାଗରେ ଫସି ରହିଥିବା ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଘରକୁ ଫେରିବାର ବ୍ୟବସ୍ଥା କରାଯାଇଛି ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଅସୁସ୍ଥ ଅନୁଭବ କଲେ, ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପାଇଁ ତୁରନ୍ତ ରେଳ କର୍ମଚାରୀଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଆବଶ୍ୟକତାଠାରୁ କମ୍‌ ସଂଖ୍ୟକ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଯାତାୟାତ କରୁଥିବା ୧୨ଯୋଡ଼ା ଅର୍ଥାତ୍ ମୋଟ ୨୪ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ମାର୍ଚ୍ଚ ୨୩, ୨୫ ଓ ୩୦ ତାରିଖରେ ପୁରୀ-ହାୱଡ଼ା ଗରିବ ରଥ ଏକ୍ସପ୍ରେସ୍ ପୁରୀଠାରୁ ବାତିଲ୍ ହେବାକୁ ଥିବା ବେଳେ ମାର୍ଚ୍ଚ ୨୪, ୨୬ ଓ ୩୧ ତାରିଖରେ ଏହା ହାୱଡ଼ା ପଟୁ ବାତିଲ ହେବ। ସେହିପରି ମାର୍ଚ୍ଚ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର-ଧାନବାଦ ଗରିବ ରଥ ଏକ୍ସପ୍ରେସ୍ ଭୁବନେଶ୍ୱରଠାରୁ ଓ ୨୧ରୁ ୩୦ତାରିଖ ମଧ୍ୟରେ ଓ ଏପ୍ରିଲ୍‌ ପହିଲାରେ ଧାନବାଦଠାରୁ ବାତିଲ ହେବ। ମାର୍ଚ୍ଚ ୨୫ରେ ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ୍ ଭୁବନେଶ୍ୱରଠାରୁ ଏବଂ ୨୬ତାରିଖରେ ନୂଆଦିଲ୍ଲୀଠାରୁ, ମାର୍ଚ୍ଚ ୨୦ରୁ ୩୧ମଧ୍ୟରେ ପୁରୀ-ହାଓ୍ବଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌କୁ ଉଭୟ ପୁରୀ ଓ ହାଓ୍ବଡ଼ାଠାରୁ ବାତିଲ କରାଯାଇଛି। ମାର୍ଚ୍ଚ ୨୦ରୁ ୨୯ ତାରିଖ ମଧ୍ୟରେ ତିରୁପତି-ବିଶାଖାପଟନମ୍ ଏକ୍ସପ୍ରେସ୍‌କୁ ତିରୁପତିଠାରୁ ବାତିଲ୍ କରାଯାଇଥିବା ବେଳେ ୨୧ରୁ ୩୦ ତାରିଖ ମଧ୍ୟରେ ବିଶାଖାପଟନମ୍‌ଠାରୁ ବାତିଲ୍‌ କରାଯାଇଛି। ମାର୍ଚ୍ଚ ୧୭,୨୪ ଓ ୩୧ ତାରିଖରେ ବିଶାଖାପଟନମ୍-ସିକନ୍ଦରାବାଦ୍ ସ୍ବତନ୍ତ୍ର ଟ୍ରେନ୍ ବିଶାଖାପଟନମ୍‌ରୁ ବାତିଲ୍‌ ହୋଇଥିବା ବେଳେ ସିକନ୍ଦରାବାଦ୍‌ଠାରୁ ୧୮, ୨୫ ଓ ଏପ୍ରିଲ୍ ୧ରେ ବାତିଲ ହୋଇଛି। ମାର୍ଚ୍ଚ ୨୩ ଓ ୩୦ରେ ବିଶାଖାପଟନମ୍-ତିରୁପତି ସ୍ବତନ୍ତ୍ର ଟ୍ରେନ୍ ବିଶାଖାପଟନମ୍‌ଠାରୁ ଏବଂ ମାର୍ଚ୍ଚ ୨୪ ଓ ୩୧ରେ ତିରୁପତିରୁ ବାତିଲ ହୋଇଛି। ୧୮ ଓ ୨୫ତାରିଖରେ ସମ୍ବଲପୁର-ବନଶଓ୍ବାଡି ସ୍ବତନ୍ତ୍ର ଟ୍ରେନ୍ ସମ୍ବଲପୁରଠାରୁ, ୧୯ ଓ ୨୬ରେ ବନଶଓ୍ବାଡ଼ିଠାରୁ ବାତିଲ୍‌ ହୋଇଛି। ମାର୍ଚ୍ଚ ୧୯ ଓ ୨୬ରେ ଭୁବନେଶ୍ୱର-ସିକନ୍ଦରାଦ ସ୍ବତନ୍ତ୍ର ଟ୍ରେନ୍ ଭୁବନେଶ୍ୱରଠାରୁ ଓ ସିକନ୍ଦରାବାଦରୁ ୨୦ ଓ ୨୭ତାରିଖରେ ବାତିଲ ରହିବ। ପୁରୀ-ସାନ୍ତ୍ରାଗାଚ୍ଛି-ପୁରୀ ସ୍ବତନ୍ତ୍ର ଟ୍ରେନ୍ ୨୦ ଓ ୨୭ରେ ପୁରୀରୁ, ୨୧ ଓ ୨୮ତାରିଖରେ ସାନ୍ତ୍ରାଗାଚ୍ଛିଠାରୁ ବାତିଲ ରହିବ। ମାର୍ଚ୍ଚ ୨୪ ଓ ୩୧ରେ ଇନ୍ଦୋର-ପୁରୀ ସ୍ବତନ୍ତ୍ର ଟ୍ରେନ୍ ଇନ୍ଦୋରଠାରୁ ଏବଂ ମାର୍ଚ୍ଚ ୨୫ ଓ ଏପ୍ରିଲ ୧ରେ ପୁରୀଠାରୁ ବାତିଲ ହୋଇଛି। ସାନ୍ତ୍ରାଗାଚ୍ଛି-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍ ମାର୍ଚ୍ଚ ୨୦ ଓ ୨୭ରେ ସାନ୍ତ୍ରାଗାଚ୍ଛିରୁ ଏବଂ ୨୧ ଓ ୨୮ରେ ଚେନ୍ନାଇରୁ ବାତିଲ ରହିବ। ନିୟମିତ ଭାବେ ଯାତ୍ରୀମାନଙ୍କର ଟିକେଟ୍‌ ବୁକିଂକୁ ସମୀକ୍ଷା କରାଯାଉଥିବା ବେଳେ ଯାତ୍ରୀଙ୍କ ସଂଖ୍ୟାକୁ ନଜରରେ ରଖି ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର