ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ ସିଟ୍‌ବେଲ୍‌ଟ ବନ୍ଧା ଫଟୋ ଟୁଇଟ୍ କଲା ପରିବହନ ବିଭାଗ

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ଭିତରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଆଇନରେ ସୁପାରିସ ହୋଇଥିବା ଜରିମାନାର ପରିମାଣ ମୋଟା ଅଙ୍କର ହୋଇଥିବାରୁ ଗାଡ଼ିଚାଳକ ମହଲରେ ସରକାରଙ୍କ ଉପରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହାକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାନବାହନ ତନଖିକୁ ୩ ମାସ ପର୍ଯ୍ୟନ୍ତ କୋହଳ କରିବା ସହ ନୂଆ ଆଇନ ଅନୁସାରେ ଜରିମାନା ଜାରି ଉପରେ ମଧ୍ୟ ପରୋକ୍ଷ ରୋକ ଲଗାଇଛନ୍ତି। ଅନ୍ୟପକ୍ଷରେ ସେ ୩ ମାସ ମଧ୍ୟରେ ସମସ୍ତେ ଗାଡ଼ି କାଗଜପତ୍ର ନିୟମିତ କରିବା ଲାଗି ଆହ୍ଵାନ ଦେଇଛନ୍ତି। ଏଥିସହ ରାଜ୍ୟ ପୁୁଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି।

ଟ୍ରାଫିକ ନିୟମ ମାନିବାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ କିନ୍ତୁ ପଛରେ ନାହାନ୍ତି। ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର ଏକ ଫଟୋ ଟୁଇଟ କରାଯାଇଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ସିଟବେଲଟ ବାନ୍ଧି ନିଜ ଗାଡ଼ିରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଏହି ଟୁଇଟରେ ଲେଖାଯାଇଛି କି ସଡ଼କ ନିରାପତ୍ତାର ଉଦାହରଣ ପ୍ରସ୍ତୁତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆପଣଙ୍କୁ ଧନ୍ୟବାଦ। ଏହି ଟୁଇଟକୁ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଟ୍ୟାଗ୍‌ କରାଯାଇଛି।

ସମ୍ବନ୍ଧିତ ଖବର