ଆଜି ବିଶ୍ୱ ପରିବେଶ ଦିବସ : ପ୍ରକୃତି ସହ ଯୋଡ଼ି ହେବା ଲାଗି ବନୀକରଣକୁ ଗୁରୁତ୍ବ, ଏ ବର୍ଷ ୧୫ କୋଟି ବୃକ୍ଷରୋପଣ ଲକ୍ଷ୍ୟ

ଭୁବନେଶ୍ବର : ଏ ବର୍ଷ ଓଡ଼ିଶାରେ ୧୫ କୋଟି ବୃକ୍ଷରୋପଣ କରାଯିବ। ସେଥିମଧ୍ୟରୁ ଏବେ ସୁଦ୍ଧା ୧୨.୫ କୋଟି ବୃକ୍ଷରୋପଣ ହୋଇସାରିଛି। ଆସନ୍ତା ବର୍ଷା ଋତୁରେ ଆଉ ୨.୫ କୋଟି ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ବ ପରିବେଶ ଦିବସର ଅବ୍ୟବହିତ ପୂର୍ବରୁ ଏଭଳି ସୂଚନା ଦେଇଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ। ପ୍ରକୃତି ସହ ଯୋଡ଼ି ହେବା ଲାଗି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏବର୍ଷ ଆଉ ଏକ ହଜାର ବନ ସଂରକ୍ଷଣ ସମିତି ଗଠନ କରାଯାଇ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣକୁ ପ୍ରାଥମିକତା ଦିଆଯାଇଛି। ‘ଗ୍ରିନ ମହାନଦୀ ମିସନ’ ଓ ‘ଆମ ଜଙ୍ଗଲ ଯୋଜନା’ ଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ହେବା ଦ୍ବାରା ଓଡ଼ିଶାରେ ଜଙ୍ଗଲ ସମ୍ପଦର ବୃଦ୍ଧି ଘଟିଛି। ୨୦୧୯ରେ ୫ କୋଟି ଗଛ ଲଗାଯାଇଥିବା ବେଳେ ଏଥର ୧୫ କୋଟି ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଚାରା ପ୍ରସ୍ତୁତ କରାଯାଇ ବିଭିନ୍ନ ଡିଭିଜନକୁ ଦିଆଯାଉଛି। ଆଗକୁ ବର୍ଷା ହେବାକୁ ଥିବାରୁ ଏହି ସମୟରେ ସାମାଜିକ ସଙ୍ଗଠନ, ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ ସହ ମିଶି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Lokmat News Hindi

ଭାରତୀୟ ଜଙ୍ଗଲ ସର୍ବେକ୍ଷଣ(ଆଇଏସଏଫସି) ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ, ୨୦୧୭ରେ ରାଜ୍ୟରେ ୫୧ ହଜାର ୩୪୫ ବର୍ଗ କିମି ଅଞ୍ଚଳରେ ଜଙ୍ଗଲ ପରିବ୍ୟାପ୍ତ ଥିଲା। ୨୦୧୯ରେ ଏଥିରେ ଆଉ ୨୭୪ ବର୍ଗ କିମି ଯୋଡ଼ି ହୋଇଛି। ଫଳରେ ଓଡ଼ିଶାରେ ଜଙ୍ଗଲ ପରିମାଣ ୫୧,୬୧୯ ବର୍ଗ କିମିରେ ପହଞ୍ଚିଛି। ଗତ ୧୦ ବର୍ଷ ମଧ୍ୟରେ ଜଙ୍ଗଲ ଅଞ୍ଚଳ ଧୀରେ ଧୀରେ ବୃଦ୍ଧି ପାଇଛି। ୨୦୧୧ରେ ୪୮ ହଜାର ୯୦୩ ବର୍ଗ କିମି ଥିବାବେଳେ ୨୦୧୩ରେ ୫୦ ହଜାର ୩୪୭, ୨୦୧୫ରେ ୫୦ ହଜାର ୪୬୦, ୨୦୧୭ରେ ୫୧ ହଜାର ୩୪୫ ବର୍ଗ କିମି ଥିବା ବେଳେ ୨୦୧୯ରେ ୫୧ ହଜାର ୬୧୯ ବର୍ଗ କିମିରେ ପହଞ୍ଚିଛି। ତେବେ ଏହି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଘଞ୍ଚ ଜଙ୍ଗଲ ପରିମାଣ କିଛିଟା ହ୍ରାସ ପାଇଛି। ୨୦୦୯ ମସିହା ସୁଦ୍ଧା ଘଞ୍ଚ ଜଙ୍ଗଲ ୭୦୭୩ ବର୍ଗ କିମି ଥିଲା ଯାହା ୨୦୧୯ରେ ୬୯୭୦ ବର୍ଗ କିମିକୁ ଖସିଆସିଛି। ମଧ୍ୟମ ଘଞ୍ଚ ଜଙ୍ଗଲରେ ଆଖିଦୃଶିଆ ବୃଦ୍ଧି ଘଟିଛି। ୨୦୦୯ରେ ୨୧ ହଜାର ୩୯୪ ବର୍ଗ କିମି ରହିଥିବା ବେଳେ ୨୦୧୯ରେ ୨୧ ହଜାର ୫୫୨ ବର୍ଗ କିମିକୁ ବଢ଼ିଛି। ଖୋଲା ଜଙ୍ଗଲଗୁଡ଼ିକ ବି ଧୀରେ ଧୀରେ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି। ୨୦୦୯ରେ ୨୦,୩୩୮ ବର୍ଗ କିମି ଯାଏ ପରିବ୍ୟାପ୍ତ ଥିବା ଖୋଲା ଜଙ୍ଗଲ ୨୦୧୯ରେ ୨୩ ହଜାର ୯୭ ବର୍ଗ କିମିରେ ପହଞ୍ଚିଛି। ମାଲକାନଗିରିକୁ ଛାଡ଼ି ରାଜ୍ୟର ସମସ୍ତ ଜିଲ୍ଲାରେ ଜଙ୍ଗଲ ବୃଦ୍ଧି ହୋଇଛି।

ଅନ୍ୟପକ୍ଷ‌ରେ ସହରାଞ୍ଚଳରେ ବୃକ୍ଷରୋପଣ ଓ ଉପକଣ୍ଠରେ ଜଙ୍ଗଲ ସୃଷ୍ଟିକୁ ବନ ବିଭାଗ ପ୍ରାଥମିକତା ଦେଉଛି। ଏ ନେଇ ୨୦୧୮ରୁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ରାଜଧାନୀ ଉପକଣ୍ଠରେ ବ୍ୟାପକ ବୃକ୍ଷରୋପଣ କରିବାକୁ ଯୋଜନା ହୋଇଥିଲା। ସେଥିମଧ୍ୟରୁ କିଛିଟା ଫଳପ୍ରଦ ହୋଇଥିଲେ ମଧ୍ୟ ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ୨୦୧୯ରେ ବାତ୍ୟା ‘ଫନି’ ଦ୍ବାରା ସହରରେ ବହୁ ଗଛ ନଷ୍ଟ ହୋଇଥିବାରୁ ବନ ଉନ୍ନୟନ ନିଗମ ପକ୍ଷରୁ ଲକ୍ଷାଧିକ ବୃକ୍ଷରୋପଣ ହୋଇଛି। ଭରତପୁର ଅଞ୍ଚଳରେ ଖାଲିଥିବା ସ୍ଥାନରେ ବୃକ୍ଷରୋପଣ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରାୟ ୨୦ ବର୍ଗ କିମି ଜମିରେ ବୃକ୍ଷରୋପଣ କରାଯାଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଉଛି। ଭୁବନେଶ୍ବର ବ୍ୟତୀତ ରାଉରକେଲା, ସମ୍ବଲପୁର, ନବରଙ୍ଗପୁର, ଝାରସୁଗୁଡ଼ା ସହରରେ ମଧ୍ୟ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର