ମ‌ାଲକାନଗିରିର ପାଇଲଟ୍ ଝିଅ : ଅନୁପ୍ରିୟାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି/ଭୁବନେଶ୍ବର : ଜିଲ୍ଲାର ପ୍ରଥମ ମହିଳା ବେସାମରିକ ବିମାନ ପାଇଲଟ୍‌ ହୋଇଥିବା ମାଲକାନଗିରି ଝିଅ ଅନୁପ୍ରିୟା ଲାକ୍ରାଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟୁଇଟ୍‌ କରି ସୁଶ୍ରୀ ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜିଲ୍ଲାର ପ୍ରଥମ ତଥା ମହିଳା ପାଇଲଟ ଭାବେ ଉଡାଇବାକୁ ଯାଉଛନ୍ତି ବେସାମରିକ ବିମାନ। ଏଥିପାଇଁ ବିଭିନ୍ନ ମହଲରୁ ସୁଶ୍ରୀ ଲାକ୍ରାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କଠନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଅନୁପ୍ରିୟା ଏହି ସଫଳତା ପାଇ ଆଗକୁ ଦେଶ ବିଦେଶରେ ମାଲକାନଗିରି ଜିଲ୍ଲାକୁ ପ୍ରତିନିଧିତ୍ବ କରିବେ।

ଓଡ଼ିଶା ପୁଲିସରେ ହାବିଲଦାର ଥିବା ମାରିନିୟସ୍ ଲାକ୍ରା ଏବଂ ଜମାଜ ଆସମିଲ ଲାକ୍ରାଙ୍କ ଝିଅ ଅନୁପ୍ରିୟା ମାଲକାନଗିରିର ବାସିନ୍ଦା। ସ୍ଥାନୀୟ ଦୀପ୍ତି କନଭେଣ୍ଟ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ଚାଲି ଯାଇଥିଲେ ସେମିଳିଗୁଡା। ଜୀବନଜ୍ୟୋତି ବିଦ୍ୟାଳୟରେ ଯୁକ୍ତ୨ ଶେଷ କରି ଭୁବନେଶ୍ବର ସ୍ଥିତ ଗୋଟିଏ ଇଂଜିନିୟରିଂ କଲେଜରେ ନାମ ଲେଖାଇଥିଲେ। କିନ୍ତୁ ପାଇଲଟ ହେବ‌ାର ନିଶା ଯୋଗୁଁ ଛାଡ଼ିଥିଲେ ଇଂଜିନିୟରିଂ। ଏହାପରେ ଭୁବନେଶ୍ବରର ଗୋଚି ଇନଷ୍ଟିଚ୍ୟୁଟରେ ତାଲିମ ନେବାକୁ ଆବେଦନ କରିଥିଲେ। ସେଠାରୁ ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇଠାରେ ପାଇଲଟ ତାଲିମ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇ ଯୋଗ୍ୟତା ହାସଲ କରିଥିଲେ। ୨୦୧୨ ମସିହାରେ ପାଇଲଟ ତାଲିମ ଆରମ୍ଭ ହୋଇଥିଲା। ଏଥିପାଇଁ ତାଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ଦିଆଯାଇଥିଲା। ସ୍ବଇଚ୍ଛାରେ ନିଜ ବୃତ୍ତି ଚୟନ କରିବାରୁ ବିଶେଷ କିଛି ଅସୁବିଧା ହୋଇ ନଥିଲା। ତାଲିମ ସଫଳତାର ସହ ଶେଷ କରି ଗୋଟିଏ ଘରୋଇ ଏୟାର ଲାଇନ କଂପାନିରେ କୋ-ପାଇଲଟ ଭାବେ ଯୋଗ ଦେଇଛନ୍ତି ଅନୁପ୍ରିୟା। କିଛିଦିନ ମଧ୍ୟରେ ସେ ଘରୋଇ ବିମାନ ସଂସ୍ଥାର ଉଡ଼ାଜାହଜ ନେଇ ଦେଶ ବିଦେଶକୁ ଯାତ୍ରା ଆରମ୍ଭ କରିବେ। ବାପା, ମା’ଙ୍କ ଅବଦାନ ଓ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ହିଁ ସେ ସଫଳତା ହାସଲ କରିଥିବା ଅନୁପ୍ରିୟା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର