କରୋନା ଲଢ଼େଇର ସତର୍କ ଯୋଦ୍ଧା ଲୋଧା ଜନଜାତି, ଜୀବନ ଥିଲେ ହିଁ ଜୀବିକା

ଚିତ୍ରଡ଼ା: ସାମାଜିକ ଦାୟିତ୍ବକୁ ବେଶ୍ ଭଲ ଭାବେ ବୁଝି ପାରିଛନ୍ତି ଲୋଧା ସମ୍ପ୍ରଦାୟ। ବିଶେଷକରି କରୋନା ପରି ମହାମାରୀ ଯେତେବେଳେ ବିଶ୍ବରେ ଆତଙ୍କ ସୃଷ୍ଟି କରିଛି, ଠିକ୍‌ ସେତିକିବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ଲୋଧା ଜନଜାତିର ଲୋକମାନେ ସାମାଜିକ ଦୂରତା କଟକଣାକୁ ଅକ୍ଷରେ ଅକ୍ଷରେ ମାନି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା ଛଡ଼ାଇ ନେଇଛି ରୋଜଗାର। ଆଗକୁ ଆହୁରି ବହୁତ ସମସ୍ୟା ଆସିବ ସେ କଥା ଏବେଠୁ ଜଳଜଳ। କିନ୍ତୁ ଜୀବନ ଥିଲେ ହିଁ ଜୀବିକା ଆସିବ, ଏ କଥାକୁ ଭୁଲିନାହାନ୍ତି ଲୋଧା ଜନଜାତି।

ମୋରଡ଼ା ବ୍ଲକରେ ରହୁଥିବା ଲୋଧା ସମ୍ପ୍ରଦାୟ ଆର୍ଥିକ ଭାବେ ସ୍ବଚ୍ଛଳ ନୁହନ୍ତି। କରୋନାରେ ରୋଜଗାର ହରାଇଥିଲେ ମଧ୍ୟ ବ୍ୟତିବ୍ୟସ୍ତ ନୁହନ୍ତି। ବରଂ ସାମାଜିକ ଦୂରତା ବଜାୟ ରଖି କରୋନାକୁ ହରାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମୋରଡ଼ା ବ୍ଲକର ଟିଆଁସି, ଗଡ଼ିଗାଁ, ସମାଇଡ଼ିହି, ହାଣ୍ଡିଭଙ୍ଗା, ପୂର୍ଣ୍ଣଚନ୍ଦ୍ରପୁର, ଭଦ୍ରାଶୋଳ ଆଦି ଗାଁରେ ଲୋଧାଙ୍କ ଜୀବନଯାପନ ଶୈଳୀକୁ ଦେଖିଲେ ଜଣାପଡ଼ିବ ଏମାନେ କରୋନା ବାବଦରେ କେତେ ସଚେତନ। ଏହି ସବୁ ଗ୍ରାମର ମହିଳା, ପୁରୁଷ ସମସ୍ତଙ୍କର ଦୈନନ୍ଦିନ କାମ ହେଲା ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ପରିବାର ପୋଷିବା। ଏବେ ଜଙ୍ଗଲ ଯିବା ମନା। ରୋଜଗାର ନଥାଉ ପଛେ ଘରୁ ପଦାକୁ ବାହାରୁନାହାନ୍ତି। ପିଡିଏସ୍‌ ସାମଗ୍ରୀ ଆଣିବା ବେଳେ ଆଦୌ ଭିଡ଼ କରୁନାହାନ୍ତି। ନିରାପଦ ଦୂରତା ବଜାୟ ରଖି ପିଡିଏସ୍‌ ସାମଗ୍ରୀ ଆଣୁଛନ୍ତି। ଖାଲି ପିଡିଏସ୍‌ ନୁହେଁ, ସବୁଦିନ ଟ୍ୟୁବଵେଲରୁ ପାଣି ଆଣିବା ବେଳେ ମଧ୍ୟ ସେମାନେ କଟକଣାକୁ ମାନୁଛନ୍ତି। ଶାଳପତ୍ର ଖଲି ତିଆରି କରିବା ସମୟରେ ବି ନିରାପଦ ଦୂରତାରେ ବସି କାମ କରୁଛନ୍ତି।

ସମ୍ବନ୍ଧିତ ଖବର