ସତ ହେବ ଟିଟିପିଏସ୍‌ ସ୍ବପ୍ନ: ଆଜି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଅନୁଗୁଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ୍‌ (ଟିଟିପିଏସ୍‌)ର ଚିମିଣିରୁ ପୁଣି ଧୂଆଁ ଉଠିବ। ଚଳଚଞ୍ଚଳ ହେବ ଥର୍ମାଲ ବଜାର। ଶନିବାର ପ୍ରଧାନମନ୍ତ୍ରୀ ଟିଟିପିଏସ୍‌ର ନୂଆ ପ୍ଲାଣ୍ଟ ପାଇଁ ଶିଳାନ୍ୟାସ କରିବାକୁ ଯାଉଥିଲାବେଳେ ଏହା ତାଳଚେର ଅର୍ଥନୀତିକୁ ଗତିଶୀଳ କରିବ। ଏପଟେ ଚାକିରି ହରାଇଥିବା ହଜାରେରୁ ଅଧିକ ଲୋକଙ୍କ ଭିତରେ ଆଶା ସଂଚାର ହୋଇଛି। ଏନ୍‌ଟିପିସି ଅଧୀନରେ ଥିବା ଟିଟିପିଏସ୍‌କୁ ୩ବର୍ଷ ତଳେ ବନ୍ଦ କରାଯାଇଥିଲା। ଏହି ପ୍ଲାଣ୍ଟ ପୁରୁଣା ହୋଇ ବିପଜ୍ଜନକ ହୋଇଯାଇଥିବା ଦର୍ଶାଇ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରି ଦେଇଥିଲେ। ଏହା ପୁଣି ଚାଲିବ, ନ ଚାଲିବ ନେଇ ବର୍ଷେ କାଳ ଦ୍ବନ୍ଦ୍ବ ପରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଘୋଷଣା ହୋଇଥିଲା। ପରେ ଏହାର ସମ୍ପ୍ରସାରଣ ନେଇ ଖସଡ଼ା ପ୍ରସ୍ତୁତ ହୋଇଥିଲା। ପୁରୁଣା ଟିଟିପିଏସ୍‌ କ୍ୟାମ୍ପସରେ ଏକ ନୂଆ ସମ୍ପ୍ରସାରିତ ପ୍ଲାଣ୍ଟ ପାଇଁ ଶନିବାର ଭୂମିପୂଜ‌ା କରାଯିବ। ଏନ୍‌ଟିପିସି ପକ୍ଷରୁ ଏଠାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ୬୬୦ ମେଗାୱାଟ୍‌ର ଦୁଇଟି ୟୁନିଟ୍‌ ନିର୍ମାଣ କରିବାକୁ ପ୍ରକ୍ରିୟା ଆରମ୍ଭ ‌ହୋଇଛି। ସେଥିରୁ ପ୍ରଥମ ୟୁନିଟ୍‌ ୨୦୨୬ ନଭେମ୍ବରରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଦ୍ୱିତୀୟ ୟୁନିଟ୍ ଏହାର ୬ ମାସ ଭିତରେ କାର୍ଯ୍ୟକ୍ଷମ ହେବ। ଏହି ନୂଆ ପ୍ଲାଣ୍ଟରେ କୋଇଲା ଜାଳେଣି କମ୍‌ କରାଯିବ। ଫଳରେ କମ୍‌ ପାଉଁଶ ବାହାରିବ। ଏହାସହ ପ୍ରଦୂଷଣ ମାତ୍ର ବି କମ୍‌ ରହିବ।

ଏନ୍‌ଟିପିସି ପକ୍ଷରୁ ଏହି ନୂଆ ପ୍ଲାଣ୍ଟ୍‌ ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୫ ହଜାରରୁ ଅଧିକ ‌ଲୋକ କର୍ମସଂସ୍ଥାନ ପାଇବେ। ଅପରପକ୍ଷରେ ଦୁଇଟିଯାକ ୟୁନିଟ୍‌ କାର୍ଯ୍ୟକ୍ଷମ ହେଲେ ଯେତିକି ବିଦ୍ୟୁତ୍‌ ଉତ୍ପାଦିତ ହେବ, ସେଥିରୁ ଓଡ଼ିଶା ୫୦ ପ୍ରତିଶତ ପାଇବାକୁ ଥିବାବେଳେ ବାକି ୫୦ ପ୍ରତିଶତରୁ ଆସାମ, ଗୁଜରାଟ, ତାମିଲନାଡୁ ଓ ଅନ୍ୟ ରାଜ୍ୟଗୁଡ଼ିକ ବିଦ୍ୟୁତ୍‌ ପାଇବେ। ପ୍ଲାଣ୍ଟ ପାଇଁ ଏମ୍‌ସିଏଲ୍‌ରୁ କୋଇଲା ଓ ବ୍ର‌ାହ୍ମଣୀରୁ ପ‌ାଣି ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ଟିଟିପିଏସ୍‌ର ପ୍ରଥମେ ୬୦ ମେଗାୱାଟ୍‌ ବିଶିଷ୍ଟ ୪ଟି ୟୁନିଟ୍‌ ଥିଲା। ୧୯୬୭ରେ ଏହା ଆରମ୍ଭ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ସମୟରେ ୧୧୦ ମେଗାୱ‌ାଟ୍ ବିଶି‌ଷ୍ଟ ଦୁଇଟି ୟୁନିଟ୍‌ ନିର୍ମାଣ ହୋଇଥିଲା। ୪୬୦ ମେଗାୱାଟ୍‌ର ଏହି ତାଳଚେର ଥର୍ମାଲ ପ୍ଲାଣ୍ଟ ପୂର୍ବରୁ ଓଡ଼ିଶା ସରକାରଙ୍କ ଅଧୀନରେ ଥିଲା। ୧୯୯୫ ମସିହାରେ ରାଜ୍ୟ ସରକାର ତାହାକୁ ଜାତୀୟ ତାପଜ ବିଦ୍ୟୁତ ପ୍ରକଳ୍ପକୁ ବିକ୍ରି କରିଦେଇଥିଲେ। ଏନ୍‌ଟିପିସି ସେହି ପ୍ଲାଣ୍ଟକୁ ଚଳାଇ ଆସୁଥିଲାବେଳେ ୨୦୨୧ ମସିହା ମାର୍ଚ୍ଚ ୩୧ରେ ଏହାକୁ ବିପଜ୍ଜନକ ଦର୍ଶ‌ାଇ ବନ୍ଦ କରି ଦେଇଥିଲା। ତେଣୁ ପ୍ରାୟ ଦେଢ଼ ହଜାର ଲୋକ ଜୀବିକା ହରାଇଛନ୍ତି।

ସମ୍ବନ୍ଧିତ ଖବର