ଯୁବ ଇଂଜିନିୟରଙ୍କ ମୁଣ୍ଡ ଜାମିନ୍ : ବନ୍ଧୁ କରିଥିଲେ ଅପହରଣ, ୨ ଗିରଫ

କଟକ : ବନ୍ଧୁକ ଦେଖାଇ ଜଣେ ଯୁବ ଇଞ୍ଜିନିୟରଙ୍କୁ ଦୁଇ ବନ୍ଧୁ ଅପହରଣ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଯୁବ ଇଂଜିନିୟରଙ୍କ ପରିବାର ଲୋକଙ୍କ ଠାରୁ ୧୦ ହଜାର ଟଙ୍କା ନେବା ପରେ ତାଙ୍କୁ ଛାଡ଼ିଥିଲେ। କିନ୍ତୁ ପୁଲିସ ଘଟଣାର ତଦନ୍ତ କରି ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଟଙ୍କା ଓ ବାଇକ୍ ଜବତ କରିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ମଧୁସୂଦନ ଆଇଟିଆଇ ନିକଟରେ ଘଟିଥିବା ବେଳେ ମଧୁପାଟଣା ପୁଲିସ ଘଟଣାରେ ସମ୍ପୃକ୍ତ ମାଲଗୋଦାମ ଷ୍ଟେସନ ବଜାର ଅଞ୍ଚଳର ସନ୍ଦୀପ ଭୂଷଣ ଓରଫ ବାବୁ(୨୮) ଏବଂ ମଙ୍ଗଳାବାଗ ଥାନା ଯୋବ୍ରା ବ୍ୟାରେଜ କଲୋନିର ରାଜକୁମାର ଜେନା ଓରଫ ବ୍ରୁସଲିନ୍(୨୬)ଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳର ଜଣେ ଯୁବ ଇଞ୍ଜିନୟର ଅଂଶୁମାନ ପ୍ରିୟଦର୍ଶନ(୨୨) ଗଲା ୯ ତାରିଖ ରାତି ପ୍ରାୟ ୮ଟା ବେଳେ ମା’ଙ୍କ ଔଷଧ କିଣିବାକୁ ଗୋଶାଳା ନିକଟକୁ ଆସିଥିଲେ। ସେଠାରେ ତାଙ୍କ ଦୁଇ ସାଙ୍ଗ ସନ୍ଦୀପ ଭୁଷଣ ଓରଫ ବାବୁ ଏବଂ ରାଜକୁମାର ଜେନା ଓରଫ ବ୍ରୁସଲିନ୍ ଫୋନ୍ କରି ଡାକିବାରୁ ତାଙ୍କ ପାଖକୁ ଯାଇଥିଲେ। ଦୁଇ ସାଙ୍ଗ ଅଂଶୁମାନଙ୍କୁ ଏକ ବନ୍ଧୁକ ଦେଖାଇ ହୋଣ୍ଡା ଆକ୍ଟିଭା ସ୍କୁଟିରେ ଯୋବ୍ରା ଆଡ଼କୁ ଅପହରଣ କରି ନେଇଥିଲେ। ସମ୍ପୃକ୍ତ ଯୁବକଙ୍କୁ ଯୋବ୍ରା ନିକଟ ମଧୁସୂଦନ ଆଇଟିଆଇ ପଛପଟେ ଅଟକ ରଖିଥିଲେ। ସେଠାରେ ଦୁର୍ବୃତ୍ତ ଦ୍ବୟ ତାଙ୍କୁ ନିର୍ଦ୍ଦୁମ ମାଡ଼ ମାରିବା ସହିତ ହତ୍ୟା ଧମକ ଦେଇଥିଲେ। ସନ୍ଦୀପ ଓ ରାଜକୁମାର ଅଂଶୁମାନଙ୍କ ମା’ଙ୍କୁ ଫୋନ୍ କରି ଅଂଶୁମାନଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ପଠାଇବାକୁ ଧମକ ଦେଇଥିଲେ। ଅଂଶୁମାନଙ୍କ ମାମୁ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପରେ ସେମାନେ ଅଂଶୁମାନଙ୍କୁ ନେଇ ବଡ଼ ମେଡିକାଲ୍ ନିକଟରେ ଥିବା ଏକ ଏଟିଏମ କାଉଣ୍ଟରରୁ ଟଙ୍କା ଉଠାଇଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇ ରାତିରେ ଛାଡ଼ି ଦେଇଥିଲେ। ଘରକୁ ଫେରିବା ପରେ ପରିବାର ଲୋକଙ୍କ ସହିତ ଅଂଶୁମାନ ମଧୁପାଟଣା ଥାନାରେ ୯ ତାରିଖ ରାତି ପ୍ରାୟ ୧୧ଟା ବେଳେ ଏତଲା ଦେଇଥିଲେ। ଏ ସଂକ୍ରାନ୍ତରେ ମଧୁପାଟଣା ଥାନା ପୁଲିସ ଦଫା ୩୬୫, ୩୮୬, ୩୪ ଏବଂ ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ଏକ ମାମଲା(କେସ ନଂ ୭୯) ରୁଜୁ କରିଥିଲା। ଘଟଣାର ତଦନ୍ତ ଆରମ୍ଭ କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଠାବ କରି ଆଜି ଗିରଫ କରିଛି। ସେମାନଙ୍କ ନିକଟରୁ ୯ ହଜାର ଟଙ୍କା, ଅଭିଯୁକ୍ତଙ୍କ ଦୁଇଟି ମୋବାଇଲ ଫୋନ୍, ଅପହରଣରେ ବ୍ୟବହାର ହୋଇଥିବା ସ୍କୁଟି(ଓଡି ୦୫ ଡବ୍ଲୁ ୯୯୪୭) ଜବତ ହୋଇଛି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ପୁଲିସ ଦେଇଥିବା ସୂଚନା ମୁତାବକ, ରାଜକୁମାର ଏବଂ ଅଂଶୁମାନ ଏକାଠି ବୋସ୍‌ ଇଞ୍ଜିନିୟରିଂ ସ୍କୁଲରେ ୧୦ ବର୍ଷ ତଳେ ପଢ଼ୁଥିଲେ। ଭୁବନେଶ୍ବରରେ ଇଞ୍ଜିନିୟର ଥିବା ଅଂଶୁମାନଙ୍କ ନିକଟରୁ ଏହି ଯୁବକମାନେ ପୂର୍ବରୁ ମଧ୍ୟ ଏଭଳି ଦୁଇ ଥର ଭୟଭୀତ କରାଇ ୧୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ହତ୍ୟା ଧମକ ଦେଉଥିବାରୁ ପରିବାର ଲୋକେ ଭୟରେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରୁନଥିଲେ। ସନ୍ଦୀପ ବିରୋଧରେ ପୂର୍ବରୁ ମଧ୍ୟ କମିସନରେଟ୍ ପୁଲିସରେ ଏକାଧିକ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର