ଏଟିଏମ୍‌ ତାଡ଼ି ଟଙ୍କା ଲୁଟ୍‌ ଉଦ୍ୟମ: ଜଣକୁ ଗିରଫ କଲା ପୁଲିସ, ନାବାଳକ ଅଟକ

ବୁର୍ଲା : ବୁର୍ଲା ଭିସୁଟ୍‌ ନିକଟରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏଟିଏମ୍‌କୁ ତାଡ଼ି ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୁର୍ଲା ଏସ୍‌ବିଆଇର ମ୍ୟାନେଜର୍‌ ସଞ୍ଜିତ୍‌ କୁମାର ମିଶ୍ର ଗୁରୁବାର ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣେ ନାବଳକକୁ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

ଏସ୍‌ବିଆଇର ମ୍ୟାନେଜରଙ୍କ କହିବା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବୁର୍ଲା ଭିସୁଟ୍‌ ନିକଟରେ ଥିବା ଏଟିଏମ୍‌ ଭିତରକୁ ୨ ଜଣ ଦୁର୍ବୃତ୍ତ ପ୍ରବେଶ କରି ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିବା କେନ୍ଦ୍ରୀୟ ଇ-ସର୍ଭିଲାନ୍ସ ଦଳ, ହାଇଦ୍ରାବାଦ ନିକଟରୁ ସେ ସୂଚନା ପାଇଥିଲେ। ୨ ଦୁର୍ବୃତ୍ତ ଏଟିଏମ୍‌ ଭିତରେ ଲାଗିଥିବା କ୍ୟାମେରାର ସେନ୍‌ସର୍‌ ଏବଂ ଏଟିଏମ୍‌ ମେସିନ୍‌ର ଇଲେକ୍ଟ୍ରୋନିକ୍ କ୍ୟାସ୍ ଭଲ୍ଟ ଡାଏଲର୍‌କୁ ଭାଙ୍ଗି ଦେଇଥିଲେ। ତେବେ ଟଙ୍କା ନେଇ ପାରି ନଥିଲେ। ଭଙ୍ଗା ଯାଇଥିବା ପଦାର୍ଥର ମୂଲ୍ୟ ପାଖାପାଖି ୭୫ ହଜାର ଟଙ୍କା ହେବ। ଏ ନେଇ ଅଭିଯୋଗ ହେବା ପରେ ବୁର୍ଲା ପୁଲିସ ଏକ ମାମଲା ରୁଜୁ କରିଥିଲା। ସିସିଟିଭି କ୍ୟାମେରା ଫୁଟେଜ୍‌ ଆଧାରରେ ଢେଙ୍କାନାଳ ପର୍ଜଙ୍ଗ ଥାନା ପଙ୍ଗାତିରା ଗାଁର ବିଚିତ୍ରାନନ୍ଦ ବେହେରା(୩୨)କୁ ଗିରଫ କରିବା ସହ ତାର ସହଯୋଗୀ ଜଣେ ନାବାଳକକୁ ପୁଲିସ ଅଟକ ରଖିଛି। ବିଚିତ୍ରାନନ୍ଦ ବୁର୍ଲାର କିର୍ବାଠାରେ ଏକ ଟିଫିନ୍‌ ଷ୍ଟଲ୍‌ରେ ରୋଷେୟା ଭାବେ କାମ କରେ। ତାକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ପାଖରୁ ଲୁହା କ୍ରୋବାର୍‌ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର