ଇନ୍ଦ୍ରାବତୀ ଡ୍ୟାମ୍‌ର ୨ଟି ଓ ମୁରାନ ବନ୍ଧର ଗୋଟିଏ ଗେଟ୍‌ ଖୋଲା

ତେନ୍ତୁଳିଖୁଣ୍ଟି : ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ଗତକାଲି ୬୪୦.୦୭ ମିଟର ଥିବାରୁ ପୂର୍ବାହ୍ନ ୧୧.୪୦ ମିନିଟରେ ଜିଲ୍ଲା ପ୍ରଶାସନ ଓ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନର ଉପସ୍ଥିତିରେ ୭ଟି ଫାଟକ ମଧ୍ୟରୁ ୩ଟି ଫାଟକ ଖୋଲଯାଇଥିଲା। କ୍ରମାଗତ ଭାବେ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ଯୋଗୁଁ ଆଜି ମଧ୍ୟାହ୍ନରେ ମୁରାନ କଂକ୍ରିଟ ବନ୍ଧର ୫ଟି ଫାଟକ ମଧ୍ୟରୁ ୩ ନମ୍ବର ଫାଟକ ଖୋଲାଯାଇଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗତକାଲି ଖୋଲାଯାଇଥିବା ୫, ୪, ୨ ନମ୍ବର ଫାଟକ ମଧ୍ୟରୁ ଆଜି ୨ ନମ୍ବର ଫାଟକକୁ ବନ୍ଦ କରାଯାଇଥିବା ବେଳେ ଅନ୍ୟ ଦୁଇଟି ଫାଟକ ଖୋଲା ରହିଛି।

ଗତକାଲି ଏହି ୩ଟି ଫାଟକ ମାଧ୍ୟମରେ ସେକେଣ୍ଡ ପ୍ରତି ୨ଶହ ଘନମିଟର ଜଳ ନିଷ୍କାସିତ ହେଉଥିବା ବେଳେ ସେକେଣ୍ଡ ପ୍ରତି ଜଳଭଣ୍ଡାର ମଧ୍ୟକୁ ୧ହଜାର ଘନମିଟର ଜଳ ପ୍ରବେଶ କରୁଛି। ତେବେ ଇନ୍ଦ୍ରାବତୀ ଓ ମୁରାନ ବନ୍ଧର ସମୁଦାୟ ୧୭ଟି ଫାଟକ ମଧ୍ୟରୁ ଆଜି ୩ଟି ଫାଟକ ମାଧ୍ୟମରେ ଜଳ ନିଷ୍କାସିତ ହେଉଛି। ଚଳିତ ମାସ ୧୯ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଅଧିକ ଘନିଭୂତ ହୋଇ ଜଳଭଣ୍ଡାର ଅବବାହିକାରେ ଅଞ୍ଚଳରେ ବର୍ଷା ଲାଗି ରହିଲେ ସେହି ସମୟରେ ଅଧିକା ଫାଟକ ଖୋଲାଯିବା ନେଇ ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁବାଷ ଚନ୍ଦ୍ର ମିଶ୍ର କହିଛନ୍ତି।

ସେହିପରି ଆସନ୍ତା ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଡ୍ୟାମ୍‌ର ଜଳପତ୍ତନ ୬୪୦ ମିଟର ରହିବାର ଆବଶ୍ୟକତା ରହିଛି। ଏଥିସହ ୧୯୯୯ ମସିହାରେ ଜଳଭଣ୍ଡାର ଗଠନ ହେବା ପରେ ୨୦୦୩, ୨୦୦୮, ୨୦୧୩ ଏବଂ ଚଳିତବର୍ଷ ଜଳଭଣ୍ଡାର ଫାଟକ ଖୋଲାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ନବରଙ୍ଗପୁର, ନନ୍ଦାହାଣ୍ଡି, କୋଷାଗୁମୁଡା ସମେତ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ କୋଟପାଡ ବ୍ଲକର ୧୮ଟି ଗ୍ରାମ ଜଳମଗ୍ନ ହେବା ଆଶଙ୍କା କରି ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର