ବାପା ଓ ଭାଇଙ୍କୁ ହତ୍ୟା ମାମଲାରେ ଆଜୀବନ ଜେଲ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଡମ୍ବୁରଝରଣ ଗାଁରେ ୨୦୧୪ ମସିହାରେ ବାପା ଓ ବଡ଼ଭାଇକୁ କୁରାଢ଼ିରେ ହାଣି ନିର୍ମମ ହତ୍ୟା କରିଥିବା ଦୋଷୀ ଶୁକଦେବ ସିଂଙ୍କୁ ଆଜୀବନ ଜେଲ୍‌ ଭୋଗିବାକୁ ରାୟ ହୋଇଛି। ଆଜି ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ଦୋଷୀ ଶୁକଦେବଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ମାମଲା ବିବରଣୀରୁ ପ୍ରକାଶ, ଶୁକଦେବ ନିଜ ଘରେ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବାରୁ ବାପା ରେଙ୍ଗା ସିଂ ଓ ବଡଭାଇ ବାସୁ ସିଂ ଏହାର ବିରୋଧ କରୁଥିଲେ। ଏହାକୁ ନେଇ ଶୁକଦେବ ଦୁହିଁଙ୍କ ଉପରେ ଖପ୍ପା ହୋଇଥିଲା। ୨୦୧୪ ଅକ୍ଟୋବର ୧୮ ତାରିଖ ସନ୍ଧ୍ୟାରେ ଶୁକଦେବ ମଦ ପିଇବାକୁ ବାପା ଓ ବଡ଼ଭାଇକୁ ଘରକୁ ଡାକିଥିଲା। ସେମାନଙ୍କୁ ପ୍ରଚୁର ମଦ ପିଆଇ ନିଶାରେ ଚୁର୍‌ କରିବା ପରେ ପୂର୍ବରୁ ଲୁଚାଇ ରଖିଥିବା ଏକ ଧାରୁଆ କୁରାଢିରେ ଉଭୟଙ୍କୁ ହାଣି ପକାଇଥିଲା। ଘଟଣାସ୍ଥଳରେ ହିଁ ବାପପୁଅ ପ୍ରାଣ ହରାଇଥିଲେ। ତେବେ ଶ୍ବଶୁର ଓ ସ୍ବାମୀ ବହୁ ସମୟ ଧରି ଘରକୁ ନଆସିବାରୁ ବାସୁଙ୍କ ପତ୍ନୀ ଗମା ସିଂ ଦିଅର ଶୁକଦେବ ଘରକୁ ଯାଇଥିଲେ। ସେଠାରେ ଗମାଙ୍କୁ ମଧ୍ୟ ଶୁକଦେବ ଆକ୍ରମଣ ଉଦ୍ୟମ କରିଥିଲା। ସେ ଜୀବନ ବଞ୍ଚାଇ ପଳାଇ ଆସିବା ସହ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନଂ ୯୬/୨୦୧୪ରେ ଏକ ହତ୍ୟା ମାମଲା ରୁଜୁ କରିଥିବାବେଳେ ଅଭିଯୁକ୍ତ ଶୁକଦେବ ଉଦଳା ଏସ୍‌ଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲା। ୨୦୧୫ ମସିହାରେ ମାମଲାଟି ବାରିପଦା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଆଜି ସମସ୍ତ ସାକ୍ଷ୍ୟପ୍ରମାଣକୁ ଆଧାର କରି ମାନ୍ୟବର କୋର୍ଟ ଶୁକଦେବଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି କୃଷ୍ଣଚନ୍ଦ୍ର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର