ଦଶପଲ୍ଲା : ବାଘ ଓ ହରିଣ ଛାଲ ଜବତ, ୨ ଶିକାରୀ ଗିରଫ

ଦଶପଲ୍ଲା : ଗତକାଲି ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ସାକେଣୀ ସେକ୍‌ସନ୍‌ର ପୋଖରୀଗୋଛା ସଂରକ୍ଷିତ ଜଙ୍ଗଲରୁ ବନ କର୍ମଚାରୀମାନେ କଲରାପତରିଆ ବାଘଙ୍କ ପାଦ ଚିହ୍ନ ଠାବ କରିଥିଲେ। ଏ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପାଇବାର ୨୪ ଘଣ୍ଟା ନ ପୂରୁଣୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ ଟିମ୍ ଉକ୍ତ ଅଞ୍ଚଳରେ ଚଢ଼ଉ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗରିଫ କରି କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ଦୁଇଟି ବାଘ ଓ ଦୁଇଟି ହରିଣ ଛାଲ ଜବତ କରାଯାଇଛି। ତେବେ ଏହି ଶିକାରୀମାନେ ଏସବୁ ଶିକାର କେଉଁଠାରେ କରିଥିଲେ, କେବେଠାରୁ ବ୍ୟବସାୟ ଚଳାଇ ଆସିଥିଲେ ଏବଂ ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ଅଞ୍ଚଳରେ ବାଘ ଓ ଅନ୍ୟ ଜୀବଜନ୍ତୁଙ୍କ ଚମଡ଼ା ବିକ୍ରି ହେଉଥିବା ନେଇ ଏସ୍‌ଟିଏଫ୍‌କୁ ସୂଚନା ମିଳିଥିଲା। ଏସ୍‌ଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍‌ ଏହା ଉପରେ ନଜର ରଖିବା ସହ ଶିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଗତ ଶୁକ୍ରବାର ଅପରାହ୍ଣରେ ଏସବୁ ଛାଲ ଚାଲାଣ କରିବା ପାଇଁ ଶିକାରୀମାନେ ଯୋଜନା କରିଥିବାବେଳେ ଏସ୍‌ଟିଏଫ୍‌ର ଏକ ଟିମ୍ ସେଠାରେ ପହଞ୍ଚିଥିବା କୁହାଯାଉଛି। ଏସ୍‌ଟିଏଫ୍‌ ଟିମ୍‌ ସାକେଣୀ ସେକ୍‌ସନ୍‌ର ଲେମ୍ବୁଗୋଛା ନିକଟବର୍ତ୍ତୀ ଗିରିପୂଜା ଜଙ୍ଗଲରେ ପହଞ୍ଚି ସ୍ଥାନୀୟ ସାକେଣୀ ଗ୍ରାମର ନୀଳକଣ୍ଠ ନାୟକଙ୍କ ପୁଅ ପ୍ରତାପ କୁମାର ନାୟକ ଏବଂ ଦେଡ଼ସର ଗ୍ରାମର ତ୍ରିନାଥ ଦେହୁରୀଙ୍କ ପୁଅ କିଶୋର ଚନ୍ଦ୍ର ଦେହୁରୀଙ୍କ ନିକଟରୁ ବାଘ ଓ ହରିଣ ଛାଲ ଜବତ କରିଥିଲା। ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ଉଠାଇ ନେଇଥିଲା। ଦୁଇଦିନ ଖୋଳତାଡ଼ କରିବା ପରେ ଗତକାଲି ସନ୍ଧ୍ୟାରେ ଏସ୍‌ଟିଏଫ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି କାରବାର ସହ ଅନ୍ୟ କାହାର ସଂପୃକ୍ତି ରହିଛି ଓ ବାଘ ଶିକାର ପଛରେ ଅନ୍ୟ କାହାର ହାତ ରହିଛି ସେ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ଏସ୍‌ଟିଏଫ୍‌।

ଅନ୍ୟପକ୍ଷରେ, ବନ୍ୟଜନ୍ତୁ ସୁରକ୍ଷା ଆଇନ ଧାରା-୫୧ ଅନୁଯାୟୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଆଜି ଦଶପଲ୍ଲା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ହାଜତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦଶପଲ୍ଲା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜବତ ହୋଇଥିବା ସମସ୍ତ ଚମଡ଼ାକୁ ଭାରତ ସରକାରଙ୍କ ବନ୍ୟଜନ୍ତୁ ଅନୁଷ୍ଠାନ ଡେରାଡୁନକୁ ରସାୟନ ପରୀକ୍ଷା ପାଇଁ ପଠାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ଟିଏଫ୍‌ ପହଞ୍ଚି ଶିକାରୀଙ୍କୁ ଗିରଫ କରିବା ସହ ବାଘ ଓ ହରିଣ ଚମଡ଼ା ଜବତ କରିଥିବାବେଳେ ବନବିଭାଗ କିଭଳି ଏହାର ଟେର୍ ପାଇପାରୁନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର