ତେଲ ନଦୀକୁ ଡେଇଁ ଦୁଇ ଭଉଣୀ ନିଖୋଜ : ପୋଲ ଉପରୁ ମିଳିଲା ସ୍କୁଟି, ଚପଲ, ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ଓଡ୍ରାଫ୍‌ ଦଳ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ନିକଟ ତେଲ ନଦୀ ପୋଲ ଉପରୁ ଦୁଇ ଭଉଣୀ ନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ତୁଷୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଗୁଡ଼ଭେଲା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବଲାଙ୍ଗୀରରୁ ଓଡ୍ରାଫ୍‌ ଦଳ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଉଭୟ ଦଳ ନଦୀରେ ବୋଟ୍‌ ନେଇ ସେମାନଙ୍କୁ ଖୋଜୁଛନ୍ତି। ଏମାନଙ୍କ ସହ ଗୁଡ଼ଭେଲାର ପ୍ରାୟ ୫୦ରୁ ଅଧିକ ଯୁବକ ତଲାସି କାମରେ ଲାଗିଛନ୍ତି। ତେଲନଦୀର ଧାନଘରା ଘାଟ, ତୁଷରା ଘାଟ, ଚାଣ୍ଟିପଦର ଘାଟ, କେନଘାଟ, ଗୌଡ଼ଗୋଠ ଘାଟ, ତୁର୍ଲା ଘାଟ, ରତାଖଣ୍ଡି ଘାଟରେ ଖୋଜିବା ଜାରି ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଦୁଇ ଭଉଣୀଙ୍କ କୌଣସି ପତ୍ତା ମିଳି ନାହିଁ।

ନିଖୋଜ ଦୁଇ ଭଉଣୀ ଗୁଡ଼ଭେଲା ଗାଁର ରାମତାର ଅଗ୍ରୱାଲଙ୍କ ଝିଅ ବୋଲି ଜଣାପଡ଼ିଛି। ତିନି ଭଉଣୀଙ୍କ ମଧ୍ୟରୁ ନଦୀକୁ ଡେଇଁଥିବା ଦୁଇ ଭଉଣୀ ବଡ଼ ଓ ମଝିଆ। ବଡ଼ ଭଉଣୀଙ୍କ ନାମ ଅନମୋଲ(୨୫ବର୍ଷ)। ସେ ବିବିଏ ପାଠ୍ୟକ୍ରମ ଶେଷ କରିଛନ୍ତି। ବିବାହ ପାଇଁ ପ୍ରସ୍ତାବ ଚାଲିଥିଲା। ମଝିଆ ଝିଅ ଆଞ୍ଚଲ(୨୧ବର୍ଷ)। ସେ ବଲାଙ୍ଗୀର ସିଏନ୍‌ସି କଲେଜରୁ ଚଳିତ ବର୍ଷ ବିକମ୍‌ ପାସ୍‌ କରିଥିଲେ। ଦୁଇ ଭଉଣୀ ତୁଷୁରା ବୁଲିବାକୁ ଯାଉଛୁ କହି ସ୍କୁଟି ନେଇ ଘରୁ ବାହାରିଥିଲେ ଏବଂ ତେଲ ନଦୀ ପୋଲ ଉପରକୁ ଆସିଥିଲେ। ଏହାପରେ ସେମାନଙ୍କୁ ଆଉ କେହି ଦେଖି ନ ଥିଲେ। ପୋଲ ଉପରେ ସ୍କୁଟି (ଓଡି ୦୮ ଜି ୧୪୨୦) ରଖାଯାଇଥିବା ଦେଖାଯାଇଥିଲା। ସେଠାରେ ଉଭୟଙ୍କ ଚପଲ ମଧ୍ୟ ରହିଥିଲା। ପୁଲିସ ଚପଲ ଓ ସ୍କୁଟି ଜବତ କରି ଥାନାରେ ରଖିଛି। ସଦର ଏସଡିପିଓ ଶ୍ରୀମନ୍ତ ବାରିକ ଖବର ଲେଖାହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର