ବିଷାକ୍ତ ମଦ ପିଇ ୨ ମହିଳା ମୃତ!

ଅନୁଗୁଳ/ବନ୍ତଳା : ବିଷାକ୍ତ ମଦ ପିଇ ଏକ କୁକୁଡ଼ା ଫାର୍ମରେ କାମ କରୁଥିବା ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଫାର୍ମରେ ବି କିଛି ସମୟ ଧରି ଦୋଳିଗୀତ ଗାଇବା ପରେ ଦୁହେଁ ଶୋଇ ପଡ଼ିଥିଲେ। ତାହା ହିଁ ଥିଲା ଦୁହିଁଙ୍କ ପାଇଁ ଶେଷନିଦ୍ରା। ସାଥୀ ଶ୍ରମିକ ଏହା କହୁଥିବାବେଳେ ପୁଲିସ୍‌ ପ୍ରକୃତ କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ତେବେ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ଼ ପାଖ ଚନ୍ଦନପୁରଠାରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ମୃତକ ଦୁଇ ମହିଳା ଶ୍ରମିକ ହେଲେ ବୁଦୁନି ନାଏକ (୪୦) ଓ ବିମଳା ନାଏକ(୫୦)। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ପାଖ କତରଗଡ଼ାରେ ବୁଦୁନିଙ୍କ ଘର ହୋଇଥିବା ବେଳେ ବିମଳା କାଦୋଡ଼ିଆ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ମୃତ ମହିଳାଙ୍କ ସହିତ କାମ କରିବାକୁ ଆସିଥିବା କୋଇଡ଼ା ଅଂଚଳର ମାୟନ୍ତୀ ଦାସ ଓ ବିଳାସ ନାଏକଙ୍କ କହିବା ଅନୁସାରେ, ମଙ୍ଗଳବାର ଅପରାହ୍‌ଣ ୪ଟାରେ ଛୁଟି ହୋଇଥିଲା। ଛୁଟି ହେବା ପରେ ବୁଦୁନି ଓ ବିମଳା ସେମାନେ ଦୋକାନକୁ ଜିନିଷ ଆଣିବାକୁ କୁକୁଡ଼ା ଫାର୍ମରୁ ବାହାରି ଯାଇଥିଲେ। ରାତି ପ୍ରାୟ ୧୧ଟାରେ କୁକୁଡ଼ା ଫାର୍ମକୁ ଫେରିଥିଲେ। ଫାର୍ମରେ ବି କିଛି ସମୟ ଧରି ଦୋଳିଗୀତ ଗାଇବା ପରେ ଶୋଇ ପଡ଼ିଥିଲେ। କୁକୁଡ଼ାମାନଙ୍କୁ ଦାନା ଖୁଆଇବା ପାଇଁ ସେମାନଙ୍କୁ ଉଠାଇବାରୁ ସେମାନେ ଉଠି ନଥିଲେ। ସକାଳ ୭ଟାରେ ଚିକିତ୍ସା ପାଇଁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନେ ରାଜନଗରରେ ଥିବା ଦେଶୀ ମଦଭାଟିକୁ ପିଇବାକୁ ଯାଇଥିଲେ। ଭାଟିରେ ପିଇ ସାରି କୁକୁଡ଼ା ଫାର୍ମକୁ ଫେରିବା ବେଳେ ପୁଣି ୨ ବୋତଲ ନେଇ ବାହାରି ଥିଲେ। ତେବେ ରାସ୍ତାରେ କୌଣସି ଜାଗାରେ ଅଟକି ସେହି ମଦ ପିଇଥିବା ସନ୍ଦେହ କରାଯାଉଛି। ବିଷାକ୍ତ ମଦ ଯୋଗୁଁ ସେମାନଙ୍କୁ ମୃତ୍ୟୁ ଘଟିଥିବା ଅଭିଯୋଗ କରାଯାଉଛି।

ସମ୍ବନ୍ଧିତ ଖବର