ୟୁଜି ଓ ପିଜି ପରୀକ୍ଷା ପ୍ରସଙ୍ଗ : ପରୀକ୍ଷା ବିପକ୍ଷରେ ସାଂସଦ, ଘେରିଲେ ବିରୋଧୀ

ଭୁବନେଶ୍ୱର : ବିଶ୍ବବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ଜିଦ୍‌ରେ ଅଟଳ ରହିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)।ଏପଟେ ପରୀକ୍ଷା ନ କରିବା ଲାଗି ବାରମ୍ବାର ଚିଠି ଲେଖୁଛି ରାଜ୍ୟ। ଏହାକୁ ନେଇ ବାଦବିବାଦ ଲାଗି ରହିଥିବା ବେଳେ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ଙ୍କୁ ପତ୍ର ଲେଖି ଗତ ଜୁଲାଇ ୬ ତାରିଖରେ ୟୁଜିସି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କହିଛନ୍ତି ଯେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ୟୁଜି ଓ ପିଜି ପରୀକ୍ଷାକୁ ବାତିଲ୍‌ କରିଛନ୍ତି। ତେବେ ୟୁଜିସି ପରୀକ୍ଷାକୁ ବାଧ୍ୟତାମୂଳକ କରିଛି। ଯଦି ପରୀକ୍ଷା କରାଯାଏ, ତେବେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ପରୀକ୍ଷା ସମୟରେ ସାମାଜିକ ଦୂରତା ରଖିବା ସମ୍ଭବପର ନୁହେଁ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ୨ରୁ ୩ଘଣ୍ଟା ଧରି ଛାତ୍ରଛାତ୍ରୀ ଯଦି ପରୀକ୍ଷା ଦିଅନ୍ତି, ତେବେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହୁଛି। ତେଣୁ ନିଷ୍ପତ୍ତିର ପୁନର୍ବିଚାର ପାଇଁ ୟୁଜିସିକୁ ନିର୍ଦେଶ ଦେବାକୁ ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି।

ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଂଯୋଜକ ନିରଞ୍ଜନ ଦାଶ କହିଛନ୍ତି ଯେ କିଛି ଦିନ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚିଠି ଯୁଦ୍ଧ ଲାଗି ରହିଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି ହେଉଛି। ପିଲାମା‌ନେ ଦ୍ବନ୍ଦ୍ବରେ ଦିନ କାଟୁଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ଛାତ୍ରଛାତ୍ରୀ ଗ୍ରହଣ କରିପାରୁ ନାହାନ୍ତି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ କେବଳ ଚିଠି ଲେଖି ବସିଯିବା ଠିକ୍‌ ନୁହେଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିବା ବଦଳରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ଦିଅନ୍ତୁ। ଯଦି ଆଗାମୀ ଦିନରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ତେବେ ଛାତ୍ର କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସିଧାସଳଖ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛି। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଦ୍ବନ୍ଦ୍ବରେ ରଖୁଛନ୍ତି। ୟୁଜି ଓ ପିଜି ପରୀକ୍ଷା କରାଇବା ଲାଗି ୟୁଜିସି ତାର ନୀତି ସ୍ପଷ୍ଟ କରି ଗାଇଡ୍‌ଲାଇନ୍‌ ଜାରି କରିଛି। ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ କିମ୍ବା ଉଭୟ ବ୍ୟବସ୍ଥା‌ରେ ପରୀକ୍ଷା ହୋଇପାରେ। ଏପ୍ରିଲ ୨୯ ଓ ଜୁଲାଇ ୬ର ନିୟମାବଳିକୁ ଯଦି ଲକ୍ଷ୍ୟ କରାଯାଏ, ତେବେ କେଉଁଠାରେ ବି ଶେଷ ସେମିଷ୍ଟର୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବନ୍ଦ କରିବାକୁ କୁହାଯାଇନାହିଁ। ପିଲାମାନେ ପରୀକ୍ଷା ନ ଦେଲେ ଭବିଷ୍ୟତରେ ସେମାନଙ୍କୁ ଚାକିରି କରିବା ବେଳେ ସମସ୍ୟା ସୃଷ୍ଟି ହେବ। ସେତେବେଳେ ରାଜ୍ୟ ସରକାର କ’ଣ କରିବେ? ଜେଏନ୍‌ୟୁ ସମେତ ଦେଶର ୨୦୯ଟି ବିଶ୍ବବିଦ୍ୟାଳୟ ପରୀକ୍ଷା କରିସାରିଲେଣି। ଏଣୁ ରାଜ୍ୟ ସରକାର ପରୀକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର