ରାମ ମନ୍ଦିର ନିର୍ମାଣରେ ଓଡ଼ିଶାବାସୀ ସହଯୋଗ କରିବାକୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ଏକ ବିଶ୍ବସ୍ତରୀୟ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ପବିତ୍ର ମକର ସଂକ୍ରାନ୍ତିରୁ ଓଡ଼ିଶା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ୩୦ ଦିନ ଧରି ଏକ ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ବରଠାରେ ଆୟୋଜିତ ଏହି ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ମନ୍ଦିର ନିର୍ମାଣରେ ଓଡ଼ିଶାବାସୀ ସହଯୋଗ କରିବାକୁ ନିବେଦନ କରିଛନ୍ତି। ସେହିପରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟ୍‌ ଯୋଗେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଭାରତବର୍ଷରେ ବିଭିନ୍ନ ସମିତି ପକ୍ଷରୁ ଆର୍ଥିକ ସହଯୋଗ ପ୍ରାପ୍ତି ନିମନ୍ତେ ଅଭିଯାନ ଆରମ୍ଭ କରାଯାଇଛି। ରାମ ମନ୍ଦିର ନିର୍ମାଣ ପାଇଁ ପ୍ରମୁଖ ସନ୍ଥମାନଙ୍କୁ ନେଇ ଗଠିତ ମାର୍ଗ-ଦର୍ଶକ ମଣ୍ଡଳୀମାନଙ୍କ ଦ୍ବାରା ରାଜ୍ୟରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଏହାର ନେତୃତ୍ବ ନେଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଦସ୍ୟ ତଥା ଆରଏସ୍‌ଏସ୍‌ ଓଡ଼ିଶା ପୂର୍ବପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି, ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡ଼ିଶା ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର, ସମ୍ପାଦକ ଗୋପାଳ ପ୍ରସାଦ ମହାପାତ୍ର, ଉପାଧ୍ୟକ୍ଷ ମନସୁଖଲାଲ୍‌ ସେଠିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର