ଅଣ୍ଟା ଭିଡ଼ୁଛି ବିଜେପି: କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ ଗସ୍ତ

ନଡ୍ଡାଙ୍କ ଗସ୍ତ ପୂର୍ବରୁ ସଂଗଠନ ଚଳଚଞ୍ଚଳ, ରାଜ୍ୟ ସରକାରଙ୍କ ପ୍ରତି କଠୋର ହେବ ଦଳ

ଭୁବନେଶ୍ବର : ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲାଣି ରାଜ୍ୟ ବିଜେପି। ଦଳର ସଂଗଠନକୁ ସକ୍ରିୟ କରି ରାଜ୍ୟ ସରକାରଙ୍କ ଦୋଷଦୁର୍ବଳତାକୁ ଲୋକଲୋଚନକୁ ଆଣିବା ପାଇଁ ଦଳ ପୂରା ଦମ୍‌ରେ କାମ ଆରମ୍ଭ କରିଛି। ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଗସ୍ତ ପୂର୍ବରୁ ଦଳର ସାଂଗଠନିକ କାର୍ଯ୍ୟ ଜୋର୍‌ଦାର ହୋଇଛି। ରାଜ୍ୟରେ ଶାସକ ଦଳକୁ ଚେକ୍ ଦେବାପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ ଶୁକ୍ରବାର ଦିନ ଏକାଦିନେ ୫ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆସନ୍ତାକାଲି ଆଉ ୨ ମନ୍ତ୍ରୀ ଆସିବେ। ଏହି ଗସ୍ତକୁ ନେଇ ବିଜେପି ଶିବିର ବେଶ୍ ଚଳଚଞ୍ଚଳ ହୋଇଛି।

ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ଚୌବେ ଭୁବନେଶ୍ବର, ଅର୍ଜୁନ ମୁଣ୍ଡା ଯାଜପୁର, ନିତ୍ୟାନନ୍ଦ ରାୟ କଟକ, ବିଶ୍ବେଶ୍ବର ଟୁଡ଼ୁ ମୟୂରଭଞ୍ଜ ଗସ୍ତ କରିଛନ୍ତି। ଆଜି ଦୁଇ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ବର ଓ ନିଶିଥ ପରମାଣିକ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିବେ। ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ଅନ୍ତ୍ୟୋଦୟକୁ ମୂଳମନ୍ତ୍ର କରି ଗରିବ କଲ୍ୟାଣ ଯୋଜନାକୁ ପ୍ରାଧାନ୍ୟ ଦେବା ସହିତ ଏହି ସମସ୍ତ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି ଯୋଜନାର ସଫଳତା ଓ ରାଜ୍ୟଗୁଡ଼ିକରେ ଏହାର କାର୍ଯ୍ୟାନ୍ବୟନକୁ ମୋଦୀ ସରକାର ଗୁରୁତ୍ବ ଦେଉଛନ୍ତି। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ବୟନ ସମ୍ପର୍କରେ ବିସ୍ତୃତ ଅବଗତ ହେବା ପାଇଁ କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଗସ୍ତ କରୁଛନ୍ତି। ଏହି ଅବସରରେ ସେମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ବୟନ, ହିତାଧିକାରୀ ତାଲିକା, ବଞ୍ଚିତ ହିତାଧିକାରୀଙ୍କ ସମ୍ପର୍କରେ ଅବଗତ ହେବା ସହିତ ଆଗାମୀ ଦିନରେ ଉକ୍ତ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ।

NDTV.com

୨୦୧୯ ନିର୍ବାଚନ ପରେ ବିଜେପିର ସାଂଗଠନିକ କାର୍ଯ୍ୟ ଶିଥିଳ ପଡ଼ିଯାଇଥିଲା। ତିନିବର୍ଷ ଧରି ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି କଠୋର ଆଭିମୁଖ୍ୟ ଗ୍ରହଣ କରିନି। ସେହିପରି, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲ୍‌କୁ ସଂସଦରେ ବିଜେଡି ଅଯାଚିତ ସମର୍ଥ ଦେଇଛି। ଏଥିପାଇଁ ଉଭୟ ଦଳ ବିଭିନ୍ନ ସମୟରେ ସମାଲୋଚନାର ଶିକାର ହୋଇଛନ୍ତି। ଏହାରି ଭିତରେ ଓଡ଼ିଶାରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଏପରିକି ୨୦୧୯ ନିର୍ବାଚନରେ ବିଜେପିକୁ ଯେତିକି ସଫଳତା ମିଳିଥିଲା, ପଞ୍ଚାୟତ ନିର୍ବାଚନରେ ତାହା ହୋଇପାରିଲା ନାହିଁ। ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଆଦୌ ଉତ୍ସାହଜନକ ନଥିଲା। ଯଦି ଏହି ଧାରାରେ ଦଳର ସଂଗଠନ ଚାଲେ, ତେବେ ବିଜେପିକୁ ଆହୁରି ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ଦଳୀୟ ମହଲରେ ମତପ୍ରକାଶ ପାଇଥିଲା। ଫଳରେ ବିଜେପି ତା’ର ଭାବମୂର୍ତ୍ତିକୁ ବଦଳାଇବାକୁ ଉଦ୍ୟମ କରୁଛି। ଜୁଲାଇ ମାସରେ ବିରୋଧୀ ଦଳ ନେତା ଓ ଅଗଷ୍ଟରେ ରାଜ୍ୟ ପ୍ରଭାରୀ ପରିବର୍ତ୍ତନ କରାଯାଇ ଏହି ପରିବର୍ତ୍ତିତ ଆଭିମୁଖ୍ୟର ମୂଳଦୁଆ ପଡ଼ିଥିଲା।

Dainik Bhaskar

ଗତମାସରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଦଳୀୟ ଶିବିରରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା। ଏହାପରେ ଲଗାତାର ଭାବେ ସାଂଗଠନିକ କାର୍ଯ୍ୟ ଜୋର୍‌ଦାର କରାଯାଇଛି। ନୂଆ ରାଜ୍ୟ ପ୍ରଭାରୀଙ୍କ ଗସ୍ତ ପରେ କେନ୍ଦ୍ର ମନ୍ତ୍ରୀମାନଙ୍କ ମାରାଥନ୍ ଗସ୍ତ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀମାନେ ସିଧାସଳଖ ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ସରକାରଙ୍କ ଯୋଜନାର ହିସାବ ନିକାଶ କରିବେ। ଏହି ସରକାରୀ ସମୀକ୍ଷା ବୈଠକ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୋଷତ୍ରୁଟିକୁ ଧରିବା ସହ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ଜଣାଇବେ। କେନ୍ଦ୍ର ମନ୍ତ୍ରୀମାନଙ୍କ ଏହି ଗସ୍ତ ବେଳେ ବିଜେପିର ସ୍ଥାନୀୟ କର୍ମକର୍ତ୍ତାମାନେ ତାଙ୍କ ସହ ଲାଗି ହୋଇ ବୁଲିବେ। ଫଳରେ ଜିଲ୍ଲା ସ୍ତରରେ ସ୍ଥାନୀୟ ବିଜେପି ନେତାଙ୍କ ଗୁରୁତ୍ବ ବଢ଼ିବା ସହ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ପ୍ରଚାର ସହଜ ହୋଇପାରିବ ବୋଲି ବିଜେପି ନେତୃବୃନ୍ଦ ଆଶା ବାନ୍ଧିଛନ୍ତି। ଏହି ସମୀକ୍ଷା ସମୟରେ ରାଜ୍ୟ ସରକାରଙ୍କ ତ୍ରୁଟିକୁ ଦେଖାଇ ପରୋକ୍ଷ ଭାବେ ସ୍ଥାନୀୟ ବିଜେଡି ନେତାଙ୍କୁ ଟାର୍ଗେଟ୍ କରାଯିବାକୁ କୁହାଯାଇଛି। କେନ୍ଦ୍ର ମନ୍ତ୍ରୀମାନଙ୍କୁ ଲୋକସଭା ନିର୍ବାଚନମଣ୍ଡଳୀ ୱାରି ଦାୟିତ୍ବ ବଣ୍ଟାଯାଇଛି। ତେଣୁ ସେହି ମନ୍ତ୍ରୀମାନେ ନିୟମିତ ବ୍ୟବଧାନରେ ଗସ୍ତ କରି ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଦଳୀର ସାଂଗଠନିକ ସ୍ଥିତି ପରଖିବାକୁ କୁହାଯାଇଛି।

ଆସନ୍ତା ୨୯ ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡ଼ିଶା ଗସ୍ତ କରିବେ। ଏହି ସମୟରେ ଦଳର ସାଂଗଠନିକ ସ୍ଥିତିକୁ କିପରି ଦୃଢ଼ କରାଯିବ, ତାହାର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯିବ। ସେହି ଅନୁଯାୟୀ ୨୦୨୪ ନିର୍ବାଚନ ପାଇଁ ବିଜେପିର ଅଭିଯାନ ଆରମ୍ଭ ହେବ। ଆସନ୍ତା ୧୩ ତାରିଖରୁ ପୁରୀରେ ଦଳର ପ୍ରଶିକ୍ଷଣ ଶିବିର ହେବ। ସେଠାକୁ ମଧ୍ୟ ବହୁ କେନ୍ଦ୍ରମନ୍ତ୍ରୀ ଓ ଜାତୀୟ ସ୍ତରର ନେତା ଆସିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର