ଏସ୍‌ଏମ୍‌ସି ସୁରକ୍ଷାରେ ଅସୁରକ୍ଷିତ ରାମସାଗର, ୧୮ ଲକ୍ଷ ଟଙ୍କାର ଫାଉଣ୍ଟେନ୍‌ କାଟିନେଲେ ଦୁର୍ବୃତ୍ତ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ମୁଦିପଡ଼ା ରାମସାଗର ବନ୍ଧରେ ନୌକା ବିହାର ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଥିବା ସତ୍ତ୍ବେ ଏହା ଆରମ୍ଭ କରାଯାଉନାହିଁ। ଫଳରେ ଏହିସବୁ ସାମଗ୍ରୀ ପୁଣି ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏହି ନୌକାବିହାର କାହିଁକି ଆରମ୍ଭ କରାଯାଉନି ସେନେଇ ସମ୍ବଲପୁର ମହାନଗର ନିଗମ କୌଣସି ସ୍ପଷ୍ଟ ଉତ୍ତର ଦେଉନଥିବା ସମୟରେ ଗୁରୁବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହାର ପ୍ରକୃତ କାରଣ ପଦାରେ ପଡ଼ିଛି। ଏସ୍‌ଏମ୍‌ସି ସୁରକ୍ଷାରେ ରହିଥିବା ଏହି ରାମସାଗର ବନ୍ଧରେ ୧୮ ଲକ୍ଷ ଟଙ୍କାରେ ନିର୍ମିତ ଜଳଫୁଆରାର କେବୁଲ, ପାଇପ୍‌ ଓ ସର୍କିଟ୍‌କୁ ଦୁର୍ବୃତ୍ତମାନେ ‌କାଟିଦେବା ସହ ଚୋରି କରିନେଇଥିବା ଘଟଣା ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ସମୟ‌ରେ ଘଟିଥିବା ଏହି ଘଟଣା ନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିବା ସମୟରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ରାମସାଗର ବନ୍ଧର ସୁରକ୍ଷାପାଇଁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଦିନକୁ ୩ଟି ପର୍ଯ୍ୟାୟରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଉଥିବା ନେଇ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ଲକ୍‌ଡାଉନ୍‌ ସମୟରେ କିଭଳି ଭାବେ ଦୁର୍ବୃତ୍ତମାନେ ଉଦ୍ୟାନ ଭିତରକୁ ପ୍ରବେଶ କରି ତାର, କେବୁଲ କାଟି ‌ନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଦ୍ୟାନରେ ସୁରକ୍ଷା କର୍ମୀ ନିୟୋଜିତ ହେଉଥିବା ନେଇ ସରକାରୀ ତହବିଲରୁ ମାସିକ ୧୫ ହଜାର ଟଙ୍କା ଯାଉଥିବା ସମୟରେ ଏହି ଟଙ୍କା କିଏ ନେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ସେପଟେ‌, କେବଳ ଯେ ଜଳଫୁଆରାର ତାର ନୁହେଁ ବରଂ ନୌକା ବିହାର ପାଇଁ ଲଗାଯାଇଥିବା ଜେଟ୍ଟିର କିଛି ଅଂଶକୁ ମଧ୍ୟ ଦୁର୍ବୃତ୍ତମାନେ ନଷ୍ଟ କରିଦେଇଥିବା ଜଣାପଡ଼ିଛି। ମାତ୍ର ୨ ବର୍ଷ ତଳେ ରାମସାଗର ଉଦ୍ୟାନରେ ୧୮ ଲକ୍ଷ ଟଙ୍କା ବ୍ୟାୟରେ ଏହି ଜଳଫୁଆରା ଲାଗିଥିବା ସମୟରେ ଇତି ମଧ୍ୟରେ ୨ ଥର ଦୁର୍ବୃତ୍ତମ‌ାନେ ଏହାର ତାର କାଟିଲେଣି। ତେବେ ଚଳିତ ଥର କ୍ଷତି ଏତେ ଅଧିକ ରହିଛି ଯେ ମରାମତି ଖର୍ଚ୍ଚ ଲକ୍ଷେ ଟଙ୍କା ଅତିକ୍ରମ କରିଯିବ ବୋଲି ଜଣାପଡ଼ିଛି। ସମ୍ବଲପୁର ମହାନଗର ନିଗମ ନିକଟରେ ଟଙ୍କା ନଥିବାରୁ ଏହି ମରାମତି କାମ ଆରମ୍ଭ ହୋଇପାରୁନଥିବା ଜଣେ ଅଧିକାରୀ କହିଛନ୍ତି। କେବଳ ଏତିକି ନୁହେଁ ବରଂ ଉଦ୍ୟାନର ପଛ ବାଡ଼ ଡ଼େଇଁ ନିୟମିତ ଅସାମାଜିକ ଲୋକେ ଭିତରକୁ ପ୍ରବେଶ କରୁଥିବା ସମୟରେ ସନ୍ଧ୍ୟା ହେଲେ ରାମସାଗର ବନ୍ଧ ନିଶାଖୋର୍‌ଙ୍କ ଆଡ୍ଡା ପାଲଟିଯାଉଛି।

ସମ୍ବନ୍ଧିତ ଖବର