ନିଜର ଦୁଇ ଛୁଆଙ୍କ ଉଦ୍ଦେଶ୍ୟରେ ମୃତ ଯନ୍ତ୍ରୀଙ୍କ ସୁଇସାଇଡ୍ ନୋଟ୍ : ମୁଁ ଯାଉଛି, ମୋତେ ଖୋଜିବନି…

କ୍ୱାର୍ଟର୍ସ ସିଲ୍ କରି ତଦନ୍ତ ଆରମ୍ଭ କଲା ଦୋରାଗୁଡ଼ା ପୁଲିସ୍

ରାୟଗଡ଼ା : ମୁଁ ଯାଉଛି। ମୋତେ ଖୋଜିବନି। ଭଲ ପାଠ ପଢ଼ିବ, ଭଲ ମଣିଷ ହେବ। ମୁଁ ଯେଉଁଠି ରହିଲେ ବି ମୋ ଆର୍ଶୀବାଦ ତମ ସହ ଅଛି…।

ସୁଇସାଇଡ୍ ନୋଟରେ ନିଜ ଦୁଇ ଛୁଆଙ୍କ ଉଦ୍ଦେଶ୍ୟରେ ଏପରି ଲେଖିଛନ୍ତି ଉତ୍କଳ ଆଲୁମିନା ଇଲେକ୍ଟ୍ରିକାଲ୍ ଡିଭିଜନ ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ଇଂ. ଦୀପ୍ତିମୟୀ ଦାଶ। ମୃତ୍ୟୁ ପାଇଁ ଦୀପ୍ତିମୟୀ କାହାରିକୁ ଦୋଷ ଦେଇନଥିଲେ ମଧ୍ୟ ଶରୀର ଅସୁସ୍ଥତା ଯୋଗୁ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି। ବାରମ୍ବାର ଶରୀର ଅସୁସ୍ଥ ଯୋଗୁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଆଉ ଟଙ୍କା ଖର୍ଚ୍ଚ କରିବାକୁ ମୁଁ ଚାହୁଁନି। ତୁମମାନେ ଭଲରେ ରୁହ। ମୋ ସ୍ନେହ, ଶ୍ରଦ୍ଧା ତୁମ ପ୍ରତି ଅଛି ବୋଲି ଲେଖିଛନ୍ତି ଦୀପ୍ତିମୟୀ। ଦୋରାଗୁଡ଼ା ପୁଲିସ୍ ସୁଇସାଇଡ୍ ନୋଟ୍ ସହ ଶବ ଜବତ କରି କାଶୀପୁର ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବଲପୁର ନିବାସୀ ଦୀପ୍ତିମୟୀ ୨୦୦୨ ମସିହାରେ ବରଗଡ଼ର ବୀରେନ୍ଦ୍ର ବଢ଼େଇଙ୍କୁ ପ୍ରେମ ବିବାହ କରିଥିଲେ। ବୀରେନ୍ଦ୍ର ଆୟୁର୍ବେଦିକ ଡାକ୍ତର ଭାବେ ବରଗଡ଼ରେ କାମ କରୁଥିବା ବେଳେ ଦୀପ୍ତିମୟୀ ଉତ୍କଳ ଆଲୁମିନା ପାୱାର୍ ପ୍ଲାଣ୍ଟରେ ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ଭାବେ କାମ କରୁଛନ୍ତି। ଦୀପ୍ତିମୟୀଙ୍କ ପାଖରେ ୧୨ ବର୍ଷର ଝିଅ ସହ ୫ ବର୍ଷର ପୁଅ ରହୁଥିଲେ। ଝିଅ ଆଦିତ୍ୟ ବିର୍ଲା ସ୍କୁଲରେ ଷଷ୍ଠ ଏବଂ ପୁଅ ଏଲକେଜିରେ ପାଠ ପଢ଼ୁଥିଲେ। ଗତ ୪ ଦିନ ତଳେ ସ୍ବାମୀ ବୀରେନ୍ଦ୍ର ଦୋରାଗୁଡ଼ାକୁ ଆସି କୌଣସି କାରଣ ପାଇଁ ଦୀପ୍ତିମୟୀଙ୍କ ପାଖରୁ ପୁଅ, ଝିଅକୁ ନେଇ ଯାଇଥିଲେ। ଫଳରେ ଦୀପ୍ତିମୟୀ କ୍ୱାର୍ଟର୍ସରେ ଏକାକି ରହୁଥିଲେ। ଗତକାଲି ସକାଳେ ସ୍ୱାମୀ ବୀରେନ୍ଦ୍ର ବାରମ୍ବାର ଫୋନ୍ କରିବା ପରେ ଦୀପ୍ତିମୟୀ ନ ଉଠାଇବା ପରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। କମ୍ପାନିର କିଛି କର୍ମଚାରୀ ଦୀପ୍ତିମୟୀଙ୍କ କ୍ୱାର୍ଟର୍ସରେ ପହଞ୍ଚି କବାଟ ପିଟିଥିଲେ। କିନ୍ତୁ କବାଟ ନ ଖୋଲିବା ପରେ ଝରକା ପଟୁ ଦେଖିବା ବେଳକୁ ଦୀପ୍ତିମୟୀ ନିଜ ଓଢ଼ଣୀରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜାଣିଥିଲେ। ସଙ୍ଗେ ସଙ୍ଗେ କମ୍ପାନି କର୍ମଚାରୀ ପୁଲିସ ଓ ଦୀପ୍ତିମୟୀଙ୍କ ସ୍ୱାମୀକୁ ଖବର ଦେଇଥିଲେ। ଆଜି ସକାଳେ ବୀରେନ୍ଦ୍ରଙ୍କ ସହ ସଂପର୍କୀୟ ଲୋକ ଆସି ଦୋରାଗୁଡ଼ାରେ ପହଞ୍ଚିବା ପରେ ପୁଲିସ୍ କବାଟ ତାଡ଼ି ମୃତଦେହକୁ ଜବତ କରିଥିଲା।

ମୃତଦେହ ନିକଟରୁ ପୁଲିସ୍ ହାତ ଲେଖା ସୁଇସାଇଡ୍ ନୋଟକୁ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ପୁଲିସ୍ ମୃତଦେହ ଜବତ କରିବା ପରେ କ୍ୱାର୍ଟର୍ସକୁ ସିଲ୍ କରି ଦେଇଛି। ମଧ୍ୟାହଣରେ ମୃତ ଦେହ କାଶୀପୁର ମେଡ଼ିକାଲରେ ବ୍ୟବଚ୍ଛେଦ କରିବା ପରେ ପୁଲିସ୍ ସ୍ୱାମୀ ବୀରେନ୍ଦ୍ରଙ୍କୁ ହସ୍ତାନ୍ତର କରିଛି। ସୁଇସାଇଡ୍ ନୋଟରେ ଦୀପ୍ତିମୟୀ କାହାକୁ ଦୋଷ ଦେଇନଥିଲେ ମଧ୍ୟ ପରୋକ୍ଷରେ ଲେଖିଥିବା କଥା ପାରିବାରିକ ଅସନ୍ତୋଷ ଯୋଗୁ ଆତ୍ମହତ୍ୟା କରିଥିବାକୁ ପ୍ରମାଣିତ କରୁଛି! ପୁଲିସ୍ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୀପ୍ତିମୟୀଙ୍କ ପରିବାର ଲୋକ ଯଦି ହତ୍ୟା ଅଭିଯୋଗ ଆଣନ୍ତି ତେବେ ସେହି ଅନୁଯାୟୀ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି ଥାନା ଅଧିକାରୀ କ୍ରିଷ୍ଣା ଚନ୍ଦ୍ର ଭତ୍ରା। ଅନ୍ୟପକ୍ଷରେ ଦୀପ୍ତିମୟୀଙ୍କ ପରିବାର ଲୋକ ସମ୍ବଲପୁର ଥାନାରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଛି। ଏହି ଘଟଣା ନୂଆପଡ଼ା ଟାଉନସିପରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଦୁଇ ଛୁଆଙ୍କ ଉଦ୍ଦେଶ୍ୟରେ ଦୀପ୍ତିମୟୀ ଲେଖିଥିବା ଛାତିଥରା ସୁଇସାଇଡ୍ ନୋଟ୍ ସମସ୍ତଙ୍କୁ ବିଚଳିତ କରିଛି। ଦୋରାଗୁଡ଼ା ଥାନା ଏସଆଇ ଲକ୍ଷ୍ମୀ ପରଜା ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର