ବିଧାନ ପରିଷଦ ଗଠନ ବିରୁଦ୍ଧରେ ଉତ୍କଳ ଭାରତର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ବିଧାନ ପରିଷଦ ଗଠନ ବିରୁଦ୍ଧରେ ଆଜି ଉତ୍କଳ ଭାରତ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ କରାଯାଇଥିଲା। ଦଳର ରାଜ୍ୟ ସଭାପତି ଐର ଖାରବେଳ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ବାହାରି ନବୀନ ନିବାସ ଘେରାଉ ପାଇଁ ଯାଉଥିବା ସମୟରେ ପୁଲିସ ରାଜମହଲ ଛକଠାରେ ଶୋଭାଯାତ୍ରାକୁ ଅଟକାଇଥିଲା। ଏଥିରେ ଦଳର ରାଜ୍ୟ ସଭାପତିଙ୍କ ସମେତ ଶତାଧିକଙ୍କୁ ପୁଲିସ ଗିରଫ କରିଥିଲା। ଦଳର କହିବାନୁଯାୟୀ, ଗତ ୧୮ବର୍ଷ ଧରି ବିଜେଡି ରାଜ୍ୟରେ ଶାସନ କରୁଛି। ନିକଟରେ ଦଳ ପକ୍ଷରୁ ବିଧାନ ପରିଷଦ ଗଠନ ପାଇଁ ଯେଉଁ ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି ତାହାର କୌଣସି ଆବଶ୍ୟକତା ନାହିଁ। କିଛି କାମ ନ ଥିବା ଏହି ଅନୁଷ୍ଠାନକୁ କାହିଁକି ଗଢ଼ାଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି। ବିଜେଡି ଦଳରେ ଟିକେଟ ପାଉ ନ ଥିବା କିମ୍ବା ନିର୍ବାଚନରେ ହାରିଥିବା ନେତାଙ୍କ ପାଇଁ ଏହା ଥଇଥାନର କେନ୍ଦ୍ର ପାଲଟିବ। ରାଜ୍ୟର ଜନସାଧାରଣଙ୍କୁ ଲୁଟି ରାଜ୍ୟର କିଛି ବ୍ୟକ୍ତିଙ୍କୁ ସୁବିଧା ଦେବାର ଏଭଳି ପ୍ରୟାସକୁ ମିଳିମିଶି ବିରୋଧ କରିବାକୁ ସେ ଆହ୍ଵାନ କରିଥିଲେ।

ସମ୍ବନ୍ଧିତ ଖବର