ରାଜ୍ୟ‌‌ରେ ଟିକାକରଣକୁ ବର୍ଷେ ପୂରିଲା: ୧୫ ସୁଦ୍ଧା ସମସ୍ତ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ଟାର୍ଗେଟ୍‌ ଫେଲ୍‌

ପ୍ରଥମ ଡୋଜ୍ ୯୨%, ଦ୍ବିତୀୟ ଡୋଜ୍ ନେଲେଣି ୭୦%

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣକୁ ଆଜି ବର୍ଷେ ପୂରିଛି। ଜାନୁଆରି ୧୫ ସୁଦ୍ଧା ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀ ଅତିକମ୍‌ରେ ପ୍ରଥମ ଡୋଜ୍ ଟିକା ଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ହେଲେ ଧାର୍ଯ୍ୟ ସମୟ ଭିତରେ ଏହି ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ଆହୁରି ଲକ୍ଷାଧିକ ଲୋକ ନିଜର ପ୍ରଥମ ଡୋଜ୍ ନେଇ ନାହାନ୍ତି। ଫଳରେ ଧାର୍ଯ୍ୟ ଲକ୍ଷ୍ୟକୁ ପୁନର୍ବାର ଚଳିତମାସ ଶେଷକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି। ଗତବର୍ଷ ଜାନୁଆରି ୧୬ତାରିଖରେ ରାଜ୍ୟ ତଥା ଦେଶବ୍ୟାପୀ କରୋନା ଟିକାକରଣର ଶୁଭାରମ୍ଭ ହୋଇଥିଲା। ପ୍ରଥମେ ରାଜ୍ୟ ୩.୦୯ କୋଟି ହିତାଧିକାରୀକୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ପରବର୍ତୀ ସମୟରେ କେନ୍ଦ୍ର ସରକାର ଏଥିରେ ସଂଶୋଧନ କରିଥିଲେ। ଯାହାଫଳରେ ରାଜ୍ୟରେ ସମୁଦାୟ ୩.୨୫ କୋଟି ହିତାଧିକାରୀଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଥିଲା।

The Indian Express

କୋରାନାର ଦ୍ବିତୀୟ ଲହର ଓ ଏହାର ପରବର୍ତୀ ମାସଗୁଡ଼ିକରେ ରାଜ୍ୟରେ ଟିକାକରଣ ବଢ଼ିଥିଲା। ଏ ଦୃଷ୍ଟିରୁ ରାଜ୍ୟ ସରକାର ଗତବର୍ଷ ଡିସେମ୍ବର ଶେଷ ସୁଦ୍ଧା ସବୁ ହିତାଧିକାରୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିଲେ। ପରବର୍ତୀ ସମୟରେ ଏଥିରେ ସଂଶୋଧନ କରାଯାଇ ଜାନୁଆରି ୧୫ ସୁଦ୍ଧା ଟାର୍ଗେଟ୍‌ ହାସଲ ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ସୁଦ୍ଧା ରାଜ୍ୟରେ ୯୨ ପ୍ରତିଶତରୁ ସାମାନ୍ୟ ଅଧିକ ଲୋକ ନିଜର ପ୍ରଥମ ଡୋଜ୍ ନେଇ ସାରିଥିବା ବେଳେ ୭୦ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏବେ ସୁଦ୍ଧା ୫. ୪ କୋଟି ଟିକା ଦିଆଗଲାଣି। ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ରାଜ୍ୟରେ ଲୋକମାନଙ୍କୁ ଟିକା ଦେବା ଆମ ପାଇଁ ଆହ୍ବାନ ଥିଲା। ସମସ୍ତଙ୍କ ସହଯୋଗରେ ଆଜି ସମସ୍ତଙ୍କୁ ଟିକା ଦିଆଯିବା ସମ୍ଭବ ହୋଇପାରିଛି। ତଥାପି କିଛି ଲୋକ ନିଜର ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି। ତେଣୁ ସେମାନଙ୍କ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ଶନିବାର ରାଜ୍ୟ‌ରେ ୨ଲକ୍ଷ ୫୪୯ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୧୫-୧୮ବର୍ଷର ୪୮,୬୭୬ଜଣ ଟିକା ନେଇଛନ୍ତି। ଏହାବାଦ୍ ୧୮-୪୪ବର୍ଗର ୨୬,୭୭୭ ପ୍ରଥମ, ୬୦,୯୮୪ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୬୫୧୧ ପ୍ରଥମ ଓ ୩୧,୯୦୦ ଦ୍ବିତୀୟ ଡୋଜ୍ ଓ ୬୦ବର୍ଷରୁ ଅଧିକ ୯୩୬୬ ପ୍ରିକସନ୍ ଡୋଜ୍ ନେଇଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୫-୧୮ବର୍ଷର ୧୦ଲକ୍ଷ ୧୩ହଜାର ୩୧୫ଜଣ ପ୍ରଥମ ଡୋଜ୍ ନେଇ ସାରିଲେଣି। ସେହିପରି ୭୨,୬୩୫ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି। ଆସନ୍ତାକାଲି ରାଜ୍ୟରେ ୨୦୧୭ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର