ରାଜ୍ୟରେ ୨କୋଟି ଟପିଲା ଟିକାକରଣ

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣ ୨କୋଟି ଡୋଜ୍ ଟପିଛି। ଆଜି ରାଜ୍ୟରେ ୨ଲକ୍ଷ ୮ହଜାର ୫୪୧ଜଣଙ୍କୁ ଟିକା ଦିଆଯିବା ପରେ ଏହି ସଂଖ୍ୟା ୨କୋଟି ୧ଲକ୍ଷ ୩ହଜାର ୫୪୪ ଡୋଜ୍‌ରେ ପହଞ୍ଚିଛି। ଆସନ୍ତାକାଲି ରାଜ୍ୟରେ ୮୯୧ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ ଓ ସୋନପୁରରେ ଟିକାକରଣ ‌ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ଜାନୁଆରି ୧୬ ତାରିଖରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା। ଏହାର ଠିକ୍ ୮ ମାସ ପରେ ଟିକାକରଣ ୨କୋଟି ଡୋଜ୍ ଟପିଛି। ରାଜ୍ୟ ସରକାର ସମୁଦାୟ ୩.୧କୋଟି ଲୋକଙ୍କ ଟିକାକରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨ କୋଟି ଡୋଜ୍ ମଧ୍ୟରୁ ୧.୫୩ କୋଟି ପ୍ରଥମ ଡୋଜ୍‌ ନେଇଛନ୍ତି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୫୦ପ୍ରତିଶତ। ସେହିପରି ୪୬.୩ ଲକ୍ଷ ଉଭୟ ଡୋଜ୍ ଟିକା ନେଇସାରିଲେଣି। ଯାହାକି ସମୁଦାୟ ଟିକାକରଣ ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତ। ରାଜ୍ୟରେ ଏ ପର୍ଯ୍ୟନ୍ତ ୮୦,୪୯୮ ଗର୍ଭବତୀ ମହିଳା କରୋନା ଟିକା ନେଇ ସାରିଲେଣି। ଅପରପକ୍ଷରେ ରାଜ୍ୟରେ ଟିକା ନେଇ ୩୧,୭୧୨ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତହିଁରୁ ପ୍ରଥମ ଡୋଜ୍ ଟିକା ନେଇଥିବା ୧୭,୮୨୪ଜଣ ଓ ଦ୍ବିତୀୟ ଡୋଜ୍ ନେବା ପରେ ୧୩,୮୮୮ଜଣ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଟିକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସଂପର୍କରେ ଜାଣିବା ଲାଗି ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଟିକା ନେବା‌ ପରେ ସଂକ୍ରମିତ ହେଉଥିବା ଲୋକଙ୍କ ଉପରେ ଅନୁଧ୍ୟାନ କରୁଛି।

ସମ୍ବନ୍ଧିତ ଖବର