ଆଜି ୧୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଟିକା ନେଲେ ୯୪ହଜାରରୁ ଅଧିକ

ଭୁବନେଶ୍ବର : ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୋନପୁର ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ଜିଲ୍ଲାରେ ଟିକାକରଣ କରାଯିବ। ସମୁଦାୟ ୪୨୮ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଟିକାକରଣ ପୁଣିଥରେ ଧିମେଇ ଯାଇଛି। ଆଜି ସମୁଦାୟ ୬୮୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୯୪,୦୬୮ ଡୋଜ୍ ଟିକା ଦିଆଯାଇଛି। ୬୯.୨୧୧ କୋଭିସିଲ୍‌ଡ, ୨୪,୮୧୮ କୋଭାକ୍ସିନ୍ ଓ ୩୯ ଡୋଜ୍ ସ୍ପୁଟନିକ୍-ଭି ଟିକା ନେଇଛନ୍ତି। ୧୮-୪୪ ବର୍ଗର ୩୬,୫୦୫ଜଣ ପ୍ରଥମ ଓ ୩୨,୦୪୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୧୧,୫୬୮ ପ୍ରଥମ ଓ ୧୩,୧୬୯ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨କୋଟି ୩୬ଲକ୍ଷ ୭ହଜାର ୨୯ ଡୋଜ୍ ଟିକା ଦିଆଗଲାଣି। କୋ-ୱିନ୍‌ ଆପରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଡୋଜ ଟିକା ପ୍ରଦାନରେ ଏବେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୫,୩୮,୧୧୫ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ଖୋର୍ଧାରେ ୧୫,୨୩,୯୦୬ ଡୋଜ୍ ଟିକା ଦିଆଯାଇଛି। ତେବେ ଦ୍ବିତୀୟ ଡୋଜ୍ ଟିକା ପ୍ରଦାନରେ ଖୋର୍ଧା ଜିଲ୍ଲା ଆଗରେ ରହିଛି। ଖୋର୍ଧାରେ ୧୦ଲକ୍ଷରୁ ଅଧିକ ଲୋକ ଦୁଇଟି ଟିକା ନେଇସାରିଥିବା ବେଳେ ଗଞ୍ଜାମରେ ୬ଲକ୍ଷରୁ ଅଧିକ ଲୋକ ଡବଲ ଡୋଜ୍ ନେଇ ସାରିଲେଣି। ରାଜ୍ୟରେ ଏବେ ୬ଲକ୍ଷରୁ ଅଧିକ କୋଭିସିଲ୍‌ଡ ଓ ୩ଲକ୍ଷରୁ ଅଧିକ କୋଭାକ୍ସିନ୍ ଟିକା ମହଜୁଦ ଅଛି।

ସମ୍ବନ୍ଧିତ ଖବର