ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣା: ହାଇକୋର୍ଟରେ ଆଇନଜୀବୀଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଧନୁପାଲି ଥାନା ମାମଲାରେ ୮ଜଣଙ୍କୁ ଜାମିନ

କଟକ : ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନରେ ସାମିଲ ହୋଇ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ଆଇନଜୀବୀମାନଙ୍କ ଜାମିନ ଆବେଦନର ଶୁଣାଣି ଆଜି ହାଇକୋର୍ଟରେ ଶେଷ ହୋଇଛି। ଜଷ୍ଟିସ୍‌ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ବଲପୁର କୋର୍ଟ ପରିସର ଘଟଣାରେ ଗିରଫ ହୋଇଥିବା ଆଇନଜୀବୀଙ୍କ ୨୦ଟି ନିୟମିତ ଆବେଦନର ପୂର୍ଣ୍ଣ‌ାଙ୍ଗ ଶୁଣାଣି ହୋଇଥିଲା। ସରକାରଙ୍କ ତରଫରୁ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିବା ବେଳେ ଆବେଦନକାରୀଙ୍କ ତରଫରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ ଆଇନଜୀବୀ ପ୍ରମୋଦ କୁମାର ସରାଫ, ସୁରେଶ୍ବର ମିଶ୍ର, ପ୍ରଦୀପ ବହିଦାର, ରତନଲାଲ ଅଗ୍ରୱାଲ, ସୁରେନ୍ଦ୍ର ମହାନ୍ତି, ସତ୍ୟନାରାୟଣ ପଣ୍ଡା, ବିଷ୍ଣୁପ୍ରସାଦ ପାଢୀ, ଶିବ କୁମାର ଦିୱାନ, ଆଶିଷ ଗୁରୁ, ବିଦ୍ୟାଧର ପଣ୍ଡା, ବିମଳକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ନିୟମିତ ଜାମିନ ଆବେଦନଗୁଡିକର ଏକତ୍ର ଶୁଣାଣି କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ଅନ୍ୟପକ୍ଷରେ ସମ୍ବଲପୁରର ଧନୁପାଲି ଥ‌ାନାରେ ୨୦୨୨ ମାର୍ଚ୍ଚ ମାସ‌ରେ ଏକ ସଡ଼କ ଦୁର୍ଘଟଣା ପରେ ହୋଇଥିବା ଆନ୍ଦୋଳନକୁ ନେଇ ରୁଜୁ ମାମଲାରେ ଗିରଫ ହୋଇଥିବା ୮ଜଣ ଆଇନଜୀବୀଙ୍କୁ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ସମ୍ବଲପୁର କୋର୍ଟ ପରିସରରେ ହୋଇଥିବା ଭଙ୍ଗାରୁଜ‌ା ମାମଲାରେ ଗିରଫ ହେବା ପରେ ଏହି ଆବେଦନକାରୀଙ୍କୁ ପୁରୁଣା ଧନୁପାଲି ଥାନା ମାମଲାରେ ମଧ୍ୟ ଗିରଫ ବୋଲି ଦର୍ଶାଯାଇଥିଲା। ଏହି ଘଟଣା ସହିତ ଗତ ଡିସେମ୍ବର ମାସର ସମ୍ବଲପୁର କୋର୍ଟ ପରିସର ଘଟଣାର କୌଣସି ସଂପର୍କ ନଥିଲା। କିନ୍ତୁ ପୁଲିସ ଗିରଫ ଆଇନଜୀବୀଙ୍କୁ ଧନୁପାଲି ଥାନା ମାମଲାରେ ମଧ୍ୟ ଗିରଫ ବୋଲି ଦର୍ଶାଇଥିଲା। ଏହି ମାମଲାରେ ଶିବକୁମାର ଦିୱାନ, ବିମଳକାନ୍ତ ମହାପାତ୍ର, ସୂରଜ କୁମାର ବିଶ୍ବାଳ, ଏସ୍‌.ପି. ପାଢୀ, ସତ୍ୟନାରାୟଣ ପଣ୍ଡା, ଆଶିଷ ରଂଜନ ଗୁରୁ, ମନୋରଂଜନ ପଣ୍ଡା, ପି.କେ. ସିଂହଦେଓଙ୍କୁ ହାଇକୋର୍ଟ ଆଜି ଧନୁପାଲି ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତରେ ଆବଶ୍ୟକ ସର୍ତ୍ତ ପୂରଣ ପରେ ଏହି ଆବେଦନକାରୀମାନେ ଜାମିନରେ ଛାଡ଼ ପାଇବେ। ମାତ୍ର ସମ୍ବଲପୁର କୋର୍ଟ ପରିସରର ଡିସେମ୍ବର ଘଟଣାରେ ମଧ୍ୟ ଏହି ଆବେଦନକାରୀମାନେ ଅଭିଯୁକ୍ତ ଥିବାରୁ ସେମାନେ ଏବେ ଜେଲରୁ ବାହାରି ପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ସମ୍ବଲପୁର ଘଟଣାରେ ଗିରଫ ଆଇନଜୀବୀ ଓ ଅନ୍ୟ ବ୍ୟକ୍ତିଙ୍କ ତରଫରୁ ହାଇକୋର୍ଟରେ ପ୍ରାୟ ୨୧ଟି ନିୟମିତ ଜାମିନ ଆବେଦନ ଦାୟର କରାଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାପରେ ହାଇକୋର୍ଟରେ ଏହି ଆବେଦନ ସବୁ ଦାୟର କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ରଗଡ଼ ଓ ଲକ୍ଷ୍ମୀନାରାୟଣ ପଟେଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର