ବନ୍ୟା ପରେ ପରିବା ବଜାରରେ ନିଆଁ, ଅନ୍ୟ ରାଜ୍ୟ ମେଣ୍ଟାଉଛି ଚାହିଦା

ବାଧୁଛି ଦର, କଲବଲ ହେଉଛନ୍ତି ଖାଉଟି

ବାଲେଶ୍ବର: ବନ୍ୟା ଆସିଲାନି ଯେ ଲୋକଙ୍କୁ ବିବଶ କରିଦେଲା। ଘରଦ୍ବାର ଭାଙ୍ଗିଲା, କ୍ଷେତ ଭସାଇଲା। ବନ୍ୟା ପରେ କିଏ ଘର ସଜାଡ଼ୁଛି ତ ଆଉ କିଏ ନିରୁପାୟ ହୋଇ ନିଜ ଉଜୁଡ଼ା କ୍ଷେତକୁ ଛଳଛଳ ଆଖିରେ ଅନାଇ ରହିଛି। ଅନ୍ୟପଟେ ପରିବା ବଜାରରେ ନିଆଁ ଲାଗିଛି। ଅଢ଼େଇ ସପ୍ତାହ ତଳେ ପରିବା ଦର ଯାହା ଥିଲା, ତା’ର ଅଧଗୁଣା ବଢ଼ିଯାଇଛି। ଫଳରେ ଖାଉଟିମାନେ ଚିନ୍ତାରେ ପଡ଼ିଛନ୍ତି।

ବାଲେଶ୍ବର ସହରକୁ ମୁଖ୍ୟତଃ ଜିଲ୍ଲାର ବାଲିଆପାଳ, ସଦର, ବସ୍ତା ଓ ରେମୁଣା ବ୍ଲକ୍‌ରେ ଉତ୍ପାଦିତ ‌ହେଉଥିବା ପରିବା ବିକ୍ରି ପାଇଁ ଆସିଥାଏ। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଚାଷୀମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥିଲେ। ହେଲେ ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସିଲା ଆଉ ପରିବା ଚାଷ ଉଜୁଡ଼ିଗଲା। ସୁବର୍ଣ୍ଣରେଖା ନଦୀର ବନ୍ୟାରେ ବାଲିଆପାଳ ବ୍ଲକ, ବୁଢ଼ାବଳଙ୍ଗ ନଦୀର ବନ୍ୟାରେ ସଦର ବ୍ଲକ, ଜଳକା ନଦୀର ବନ୍ୟାରେ ବସ୍ତା ବ୍ଲକ, ବୁଢ଼ାବଳଙ୍ଗ ସହ ସୋନ ଓ ଗଙ୍ଗାହାର ନଦୀର ବନ୍ୟାରେ ରେମୁଣା ବ୍ଲକ୍‌ର ଚାଷୀମାନେ କ୍ଷତିଗ୍ରସ୍ତ ହେଲେ। ଫଳରେ ବାଲେଶ୍ବର ବଜାରକୁ ପରିବା ରପ୍ତାନି ହୋଇ ପାରୁନାହିଁ। ଚାହିଦା ତୁଳନାରେ ଉତ୍ପାଦନ ନଥିବାରୁ ପରିବାର ବଜାର ଦର ବଢ଼ିଛି। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ତଥା ବେଙ୍ଗାଲୁରୁରୁ ଆସୁଥିବା ପରିବା ବାଲେଶ୍ବରର ନୂଆବଜାର ତଥା ଅନ୍ୟ ପରିବା ବଜାରରେ ଚଢ଼ାଦରରେ ବିକ୍ରି ହେଉଛି। ଦୁଇ ସପ୍ତାହ ତଳେ ବିଭିନ୍ନ ପରିବା ଦର ଯାହା ଥିଲା ସେହି ଦରଠାରୁ ୧୫ରୁ ୨୦ ଟଙ୍କା ଅଧିକରେ ବିକ୍ରି ହେଉଛି। ପୋଟଳ କିଲୋ ୫୫ରୁ ୬୦ ଟଙ୍କା, ବିଲାତି କିଲୋ ୫୦ରୁ ୬୦ ଟଙ୍କା, ଭେଣ୍ଡି କିଲୋ ୫୦ ଟଙ୍କା, ଝୁଢ଼ଙ୍ଗ କିଲୋ ୪୦ରୁ ୫୦ ଟଙ୍କା, ବିମ୍‌ସ କିଲୋ ୭୦ରୁ ୯୦ ଟଙ୍କା, ପାଳଙ୍ଗ ଶାଗ କିଲୋ ୬୦ରୁ ୭୦ ଟଙ୍କା, ଜହ୍ନି କିଲୋ ୫୦ ଟଙ୍କା, ବାଇଗଣ କିଲୋ ୬୦, କଲରା କିଲୋ ୬୦ ଟଙ୍କା ଦରରେ ମିଳୁଛି।

ବଜାରରେ ପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ଗ୍ରାହକଙ୍କୁ ବାଧୁଛି। ଯେଉଁମାନେ ଆଗରୁ କିଲୋ କିଲୋ ପରିବା ନେଉଥିଲେ, ସେମାନେ ଏବେ ୨୫୦ ଗ୍ରାମ୍‌, ନହେଲେ ୫୦୦ ଗ୍ରାମ୍‌ ଲେଖାଏଁ ନେବାକୁ ବାଧ୍ୟ ହେଉଛନ୍ତି। ତେବେ ବନ୍ୟା ଦ୍ବାରା ପ୍ରଭାବିତ ଚାଷୀମାନେ ଏବେ ପୁଣିଥରେ ଚାଷ କରିବା ଆରମ୍ଭ କଲେଣି। ଯାହା ଆଶା କରାଯାଉଛି, ଡିସେମ୍ବର ମାସ ପ୍ରଥମ ସପ୍ତାହ ଆଡ଼କୁ ନୂଆ ପନିପରିବା ଉତ୍ପାଦନ ଆରମ୍ଭ ହେବ। ଏହା ସହିତ ବଜାର ଦରରେ ହ୍ରାସ ଘଟିବ।

ସମ୍ବନ୍ଧିତ ଖବର