ତହସିଲ୍‌ରେ ଅର୍ଥ ହଡ଼ପ : ପୂର୍ବତନ ନାଜିର୍‌ଙ୍କୁ ଗିରଫ କଲା ଭିଜିଲାନ୍ସ

ଯାଜପୁର ତହସିଲ‌ରେ ୪.୯୪କୋଟି ଟଙ୍କା ହରିଲୁଟ୍‌

ଯାଜପୁର/ସଦର : ଯାଜପୁର ତହସିଲରେ ୪କୋଟି ୯୪ଲକ୍ଷ ଟଙ୍କା ହେରଫେର ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ ମୋବାଇଲ ନମ୍ବରରେ ପତ୍ତା ଲଗାଇ ଯାଜପୁର ଓ କଟକ ଭିଜିଲାନ୍‌ସ ଟିମ୍‌ ରଜତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ତାଙ୍କୁ ଗିରଫ କରିବାପାଇଁ ୨ବର୍ଷ ତଳେ ଅର୍ଥାତ୍‌ ୨୦୨୦ ମସିହା ମାର୍ଚ୍ଚମାସରେ ଲୋକାୟୁକ୍ତ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ।

ଯାଜପୁର ତହସିଲରେ ୨୦୦୬ରୁ ୨୦୧୬ ମସିହା ୧୦ ବର୍ଷ ମଧ୍ୟରେ ୪କୋଟି ୯୪ଲକ୍ଷ ୪୨ହଜାର ୮୨୬ଟଙ୍କା ହରିଲଟ୍ ହୋଇଛି। ଏଥିମଧ୍ୟରେ ବିଭିନ୍ନ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରା ଜମା ହୋଇଥିବା ଲଘୁ ଖଣିଜ ସମ୍ପଦର ରୟାଲି ବାବଦକୁ ୫୨ଟି ଚେକ୍‌ରେ ୩କୋଟି ୬ଲକ୍ଷ ୨୨ହଜାର ୪୩୮ଟଙ୍କା ଅନ୍ତର୍ଭୁକ୍ତ। ସେହିପରି ଜମି ଅଧିଗ୍ରହଣ ବାବଦରେ ୩୪ଲକ୍ଷ ୬୫ହଜାର ୨୩୭ଟଙ୍କା, ବିଭିନ୍ନ ଖର୍ଚ୍ଚ ବାବଦରେ ୧କୋଟି ୩୯ଲକ୍ଷ ୬୮ହଜାର ୯୬୩ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଚେକ୍ ଅର୍ଥ ୭୨ହଜାର ୪୩୨ଟଙ୍କା ଓ ୟୁଜର ଫି’ ବାବଦରେ ୧୩ଲକ୍ଷ ୧୩ହଜାର ୭୫୬ ଟଙ୍କା ହଡ଼ପ କରାଯାଇଛି। ଏ ନେଇ ୮ଜଣ ତହସିଲଦାରଙ୍କ ସମେତ ୨୧ ଜଣଙ୍କ ବିରୋଧରେ ଅଭିଯୋଗ ରହିଥିଲା। ତେବ‌େ, ଏହି ଘଟଣାରେ ମାଷ୍ଟରମାଇଣ୍ଡ ଥିଲେ ପୂର୍ବତନ ନାଜିର ରଜତ ରାଉତରାୟ। ବିଭିନ୍ନ ବାବଦରେ ୪ କୋଟି ୯୪ ଲକ୍ଷ ୪୨ ହଜାର ୮୨୬ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଡିଟ ରିପୋର୍ଟରୁ ପ୍ରମାଣ ମିଳିଥିଲା। ତଥାପି ଅଭିଯୁକ୍ତଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ନାମକୁ ମାତ୍ର ତାଙ୍କୁ ବ୍ୟାସନଗର ତହସିଲକୁ ବଦଳି କରାଯାଇଥିଲା।

ଏ ନେଇ ସୂଚନା ଅଧିକାର କର୍ମୀ ‌ସର୍ବେଶ୍ବର ବେହୁରା  ୨୦୧୯ ରେ କେସ ନଂ ୩୭୧/୨୦୧୯ ଜରିଆରେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ରାଜସ୍ବ ପର୍ଷଦ ଦେଇଥିବା ଅଡିଟ୍‌ ରିପୋର୍ଟକୁ ଦାଖଲ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାଉପରେ ଲୋକାୟୁକ୍ତ ରାଜ୍ୟ ଭିଜିଲାନ୍ସଙ୍କୁ ରିପୋର୍ଟ ତଲବ କରି କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜଣାଇବାକୁ କହିଥିଲେ। ଯାହାକି ସମସ୍ତ ତଥ୍ୟକୁ ବିଚାର କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରିକି ରଜତଙ୍କୁ ଗିରଫ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଚାପରେ ପଡ଼ି ରଜତ ୬୫ ଲକ୍ଷ ଟଙ୍କା ଫେରାଇଥିଲେ ଏବଂ ତାଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଥିଲ‌ା।

ସମ୍ବନ୍ଧିତ ଖବର