ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ବର କହଁରଙ୍କ  ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ୍ ଚଢ଼ଉ

ନବରଙ୍ଗପୁର: ଆଜି ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ବର କହଁରଙ୍କ  ଭଡ଼ାଘର ଓ କାର୍ଯ୍ୟାଳୟ ସମେତ କେତେକ ସ୍ଥାନରେ ଏକକାଳୀନ ଭିଜିଲାନ୍ସ୍ ଚଢ଼ଉ ଚାଲିଥିବାର ଖବର ହସ୍ତଗତ ହୋଇଛି। ତାଙ୍କର ଫୁଲବାଣୀରେ ଥିବା ଘର ,ଭୁବନେଶ୍ବରର ଘର ଏବଂ ପାରଳାଖେମୁଣ୍ଡିଠାରେ ଥିବା ଘର ଉପରେ ବି ଏକକାଳୀନ ଚଢ଼ଉ ଜାରି ରହିଛି।

ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ବର କହଁରଙ୍କ  ନାମରେ ବିପୁଳ ଲାଞ୍ଚ କାରବାରର ଅଭିଯୋଗ ଆସିବା ପରେ ଏହି ଚଢ଼ଉ କରାଯାଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ମୋ ସରକାର ଓ ୫ଟି କାର୍ଯ୍ୟକାରୀ ହେବା ପରେ ବି କିପରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କିପରି ଭାବେ ଲାଞ୍ଚ କାରବାର ଚାଲିଥିଲା ତାର ତଥ୍ୟ ସହିତ ପ୍ରମାଣ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଦାଖଲ କରିଥିଲେ ନିଳମ୍ବିତ କର୍ମଚାରୀ ଲକ୍ଷ୍ମୀନାଥ ହରିଜନ । ମୋ ସରକାର କାର୍ଯ୍ୟକାରୀ ହେବା ପରେ କାର୍ଯ୍ୟାଳୟକୁ ଏଜେଣ୍ଟମାନଙ୍କୁ ବାରଣ କରାଯାଇଥିଲା। ଏଜେଣ୍ଟମାନଙ୍କୁ ବାରଣ କରିବା ସତ୍ତ୍ବେ ‌ଏଜେଣ୍ଟମାନଙ୍କ ଦ୍ବାରା କିପରି ଭାବେ ଲାଞ୍ଚ କାରବାର ଚାଲିଥିଲା ତାହାର ଗୁମର ଖୋଲିଛନ୍ତି ନିଳମ୍ବିତ କର୍ମଚାରୀ ଲକ୍ଷ୍ମୀନାଥ ହରିଜନ।

ପୂର୍ବରୁ ଆରଟିଓଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ କର୍ମଚାରୀ ଲକ୍ଷ୍ମୀନାଥ ମୋ ସରକାର କାର୍ଯ୍ୟକାରୀ ହେବା ପରେ ଲାଞ୍ଚ କାରବାର ର ୩ ମାସର ତଥ୍ୟ ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଦାଖଲ କରିଥିଲେ। ପ୍ରତିଦିନର ଲର୍ଣ୍ଣି ଲାଇସେନସରେ କିପରି ଭାବେ ଲାଞ୍ଚ କାରବାର ହେଉଥିଲା ଏକ ରେଜିଷ୍ଟାର ଦାଖଲ କରିଥିଲେ। ଉକ୍ତ ପ୍ରମାଣପତ୍ରକୁ ଅନୁଧ୍ୟାନ ପରେ ଜଣାପଡ଼ିଥିଲା ଯେ ସବୁକିଛି କୋଡ ୱାର୍ଡ ରେ ଚାଲିଥିଲା। ଏଥି ପାଇଁ ଏକ ରେଜିଷ୍ଟର ତିଆରି ହୋଇଥିଲା। ଉକ୍ତ ରେଜିଷ୍ଟରରେ ତାରିଖ ପକାଯାଇ ଲର୍ଣ୍ଣି ଲାଇସେନସ୍ ବେଳେ ହେଉଥିବା ପରୀକ୍ଷା ଦେବା ପାଇଁ ଆସୁଥିବା ଆବେଦନକାରୀଙ୍କ ଲାଇସେନସ୍ ର କୋଡ ନଂ , ଆବେଦନକାରୀ ନିଜେ ଆସିଥିଲେ ନା ଏଜେଣ୍ଟ କିମ୍ବା ଷ୍ଟାଫ ଦ୍ବାରା ଆସିଥିଲେ ତାର କୋର୍ଡ ୱାର୍ଡ , ଆବେଦନକାରୀଙ୍କ ନାମ, ପାସ୍ ହୋଇଥିଲେ ନା ଫେଲ୍ ହେଲେ ତାହା ଲେଖାଯାଉଥିଲା । ଉକ୍ତ ରେଜିଷ୍ଟାରରେ ନିଜେ ଆରଟିଓ ଦସ୍ତଖତ କରୁଥିଲେ। ଶେଷରେ ପ୍ରତିଦିନ ରେ କେତେ ଲା‌ଇସେନସ୍ କାର୍ଯ୍ୟକାରୀ ହୋଇଛି ତାର ଏକ ବିବରଣୀ ଲିପିବଦ୍ଧ ହେଉଥିଲା।

ଉକ୍ତ ବିବରଣୀ ରେ ନିଜେ ଆବେଦନକାରୀ ଆସିଥିଲେ ତାର କୋର୍ଡ ୱାର୍ଡ ଏସ, ପାସ ହେଲେ ପି, ଫେଲ ହେଲେ ଏଫ, ଏଜେଣ୍ଟ ଦ୍ବାରା ‌ଏ, ତାରିଖ ପୂର୍ବରୁ ଲାଇସେନସ୍ ପାଇଁ ଏପିପି, ଏକ୍ସପାଇରୀ ପାଇଁ ଇକ୍ସ ଆଦି ୮ ପ୍ରକାର କୋର୍ଡ ୱାର୍ଡ ର ବ୍ୟବହାର ହେଉଥିଲା। ଉକ୍ତ ତଥ୍ୟ ରେ ଜଣାପଡିଛି ଯେ ଏଜେଣ୍ଟ କିମ୍ବା ଷ୍ଟାଫ୍  ମାଧ୍ୟମରେ ଯେଉଁ ଆ‌ବେଦନକାରୀମାନେ ଆସିଛନ୍ତି ସମସ୍ତ ଆବେଦନକାରୀ ପାସ ହେଉଥିଲେ। ନିଜେ ଆସୁଥିବା ଆବେଦନକାରୀଙ୍କ ମଧ୍ୟରୁ ଅଧାରୁ ଅଧିକ ଫେଲ୍ ହେଉଥିଲେ। ଏଜେଣ୍ଟ କିମ୍ବା ଷ୍ଟାଫ ମାନଙ୍କ ଦ୍ବାରା ଆସୁଥିବା ଆବେଦନକାରୀଙ୍କ ଠାରୁ ଆରଟିଓ ୫ଶହ ଟଙ୍କା ଲେଖାଏଁ ନେଉଥିଲେ। ଯଦି ଏହି ତଥ୍ୟରେ ସତ୍ୟତା ଅଛି ତେବେ ଏହା ଏକ ସାଂଘାତିକ ବିଷୟ ଅଟେ।

ଶ୍ରୀ ହରିଜନ ଏସପିଙ୍କୁ  ଯେଉଁ ଅଭିଯୋଗ ପତ୍ର ଆଜି ଦାଖଲ କରିଥିଲେ, ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ  ଆରଟିଓ ତାଙ୍କ ଭଳି କର୍ମଚାରୀ ମାନଙ୍କ ଦ୍ବାରା ଲଣ୍ଣିଂ ବାବଦକୁ ଜଣକ ପିଛା ୫ଶହ ଟଙ୍କା ନେଉଥିଲେ। କେଉଁ ଦିନ କେତେ ଟଙ୍କା ଆଦାୟ ହେଉଥିଲା ସେ ସଂକ୍ରାନ୍ତରେ ଥିବା ରେଜିଷ୍ଟର କର୍ମଚାରୀମାନଙ୍କ ପାଖରେ ରହୁଥିଲା। ଦିନେ ଭିଜିଲାନସ୍ ଚଢ଼ାଉ ହେବ ବୋଲି ଗୁଜବ ହେବା ପରେ କିଛି ରେଜିଷ୍ଟାର ଛାତ ଉପରେ ପୋଡ଼ି ନଷ୍ଟ କରାଯାଇଥିଲା। ଆଉ କିଛି ରେଜିଷ୍ଟର ଷ୍ଟୋର୍ ରୁମରେ ପକାଇ ରଖାଯାଇଥିଲା। ସେଥି ମଧ୍ୟରୁ କିଛି ରେଜିଷ୍ଟର ଉଦ୍ଧାର କରି ସେ ନିଜେ ତାଙ୍କ ପାଖରେ ରଖିଥିଲେ।

ଉକ୍ତ ତଥ୍ୟରେ ଥିବା ଆରଟିଓଙ୍କ ଦସ୍ତଖତକୁ ଦସ୍ତଖତ ଏକ୍ସପାର୍ଟଙ୍କ ଦ୍ବାରା ଯାଞ୍ଚ କରିଲେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ସେ କହିଥିଲେ। କେବଳ ଲଣ୍ଣିଂ ନୁହେଁ ଫିଟନେସ୍ ଓ ଗାଡ଼ି ପଞ୍ଜିକରଣ ପାଇଁ ବି ଟଙ୍କା ନିଆଯାଉଥିଲା। ସହର ମଧ୍ୟରେ ଥିବା ସୋରୁମ୍ ଗୁଡ଼ିକୁ କର୍ମଚାରୀ ମାନେ ଯାଇ ସଂଧ୍ୟା ସମୟ ରେ ଅର୍ଥ ଆଦାୟ କରୁଥିଲେ। ୫ଟି କାର୍ଯ୍ୟକାରୀ ହେବା ପରେ ହଜାର ହଜାର ସଂଖ୍ୟାରେ ଗାଡ଼ି ରେଜିଷ୍ଟ୍ରେସନ ହୋଇଥିବା ବେଳେ ବହୁ ଗାଡ଼ି ଆରଟିଓଙ୍କ କାର୍ଯ୍ୟାଳୟକୁ ନ ଆସି ‌ଫିଟନେସ୍ ଦିଆଯାଇଥିଲା। ଏହାର ସିସିଟିଭି ଫୁଟେଜ୍ ବି ତଦନ୍ତ କରିବା ପାଇଁ ସେ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର