୩ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରାପଡ଼ିଲେ ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏସି )ରେ ସୋମବାର ଭିଜିଲାନ୍ସ ଚଢ଼ଉ ହୋଇଥିବା ଜଣାପଡ଼ିଛି। ଏଥିରେ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏନ୍ ଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଭିଜିଲାନ୍ସ ଧରାପଡ଼ି ଗିରଫ ହୋଇଥିବା ଜଣାଯାଇଛି।
ପାଟଣାଗଡ଼ ଏନ୍ ଏ ସିର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ନେଇ ସରକାରଙ୍କ ପକ୍ଷରୁ ପର୍ଯ୍ୟାୟ ଭାବେ ଟଙ୍କା ପ୍ରଦାନ କରାଯାଇଥାଏ। ଏହି ଯୋଜନାରେ ପାଟଣାଗଡ଼ର ରାମପୁରସ୍ଥିତ ଟଙ୍କଧର କୁମ୍ଭାର ଘରଟିଏ ପାଇଥିଲେ। ତେବେ ଘର ହୋଇଥିବା ବେଳେ ଶେଷ ପର୍ଯ୍ୟାୟର ବିଲ୍ କରିବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ଶ୍ରୀ କୁମ୍ଭାରଙ୍କୁ ତିନି ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏହାକୁ ନେଇ ଟଙ୍କଧର କୁମ୍ଭାର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ବଲାଙ୍ଗୀର ଭିଜିଲାନ୍ସ ଡି ଏସ୍ ପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ଏନ୍ ଏ ସି ରେ ଚଢଉ କରିଥିଲା । ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ କନିଷ୍ଠ ଯନ୍ତ୍ରୀ ଶ୍ରୀ ମିଶ୍ର। ପଚରା ଉଚରା କରିବା ପରେ ଶ୍ରୀ ମିଶ୍ରଙ୍କୁ ଭିଜିଲାନସ୍ ଟିମ୍ ବଲାଙ୍ଗୀର ନେଇଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର