ରଥଯାତ୍ରାରେ ଶଙ୍କରାଚାର୍ଯ୍ୟଙ୍କୁ କାହିଁକି ଜଡ଼ିତ କରାଯାଉଛି? ପ୍ରଶ୍ନକଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଶଙ୍କରାଚାର୍ଯ୍ୟଙ୍କୁ କାହିଁକି ଜଡ଼ିତ କରାଯାଉଛି ବୋଲି ଆଜି ପ୍ରଶ୍ନ କରିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ। ରଥଯାତ୍ରାକୁ ବନ୍ଦ ରଖିବା ପାଇଁ ଗତ ଜୁନ୍‌ ୧୮ ତାରିଖରେ ସୁପ୍ରିମ୍‌ କୋର୍ଟ ଦେଇଥିବା ନିର୍ଦ୍ଦେଶର ପୁନଃ ସମୀକ୍ଷା ପାଇଁ ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକାଧିକ ରଭ୍ୟୁ ପିଟିସନ୍‌ର ଶୁଣାଣି ଆଜି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏ ଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠରେ ଶୁଣାଣି ଚାଲିଥିବା କାଳରେ ଏହି ପ୍ରଶ୍ନ ଉଠାଇଥିଲେ ପ୍ରଧାନ ବିଚାରପତି।

ଶୁଣାଣି କାଳରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େ କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଶଙ୍କରାଚାର୍ଯ୍ୟଙ୍କୁ ଜଡ଼ିତ କରାଯିବାର କୌଣସି ଆବଶ୍ୟକତା କିମ୍ବା କୌଣସି ପ୍ରାସଙ୍ଗିକତା ଥିବା ଆମେ ଅନୁଭବ କରୁନାହୁଁ। ରଥଯାତ୍ରାର ଆୟୋଜନ ରାଜ୍ୟ ସରକାରଙ୍କ ଅଧୀନରେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଦାୟିତ୍ୱ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

india.com

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ରଥଯାତ୍ରା ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ସମାଗମ ହେବାର ଆଶଙ୍କା ରହିଥିବାରୁ କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ଗତ ଜୁନ୍‌ ୧୮ ତାରିଖରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ୱାଧୀନ ଏକ ତିନି ଜଣିଆ ଖଣ୍ଡପୀଠ ରାୟ ଦେଇଥିଳେ । ଏଥିସହ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େ କହିଥିଲେ, ‘ସାଂପ୍ରତିକ ପରିସ୍ଥିତିରେ ଯଦି ଆମେ ରଥଯାତ୍ରା ପାଇଁ ଅନୁମତି ଦେଉଛୁ ତେବେ ମହାପ୍ରଭୁ ଜଗନ୍ନାଥ କେବେ ବି ଆମକୁ କ୍ଷମା ଦେବେ ନାହିଁ’।

ସମ୍ବନ୍ଧିତ ଖବର