ସରକାରୀ ଜମିକୁ ଚଞ୍ଚକତା କରି ପୁଞ୍ଜିପତିଙ୍କୁ ଟେକିଦବା ଅଭିଯୋଗ, ରାସ୍ତା ଅବରୋଧ କଲେ ପଡ଼ାବାସୀ

କଣ୍ଟାବାଞ୍ଜି/ଟିଟିଲାଗଡ଼ : ଟିଟିଲାଗଡ଼ ସହର ଝାଙ୍କରପଡ଼ାରେ ଏକ ସରକାରୀ ଜମିକୁ ଜଣେ ବ୍ୟବସାୟୀଙ୍କୁ ଟେକି ଦିଆଯାଇଥିବା ଅଭିଯୋଗ କରି ପଡ଼ାବାସୀ ଶୁକ୍ରବାର ଟିଟିଲାଗଡ଼ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବହୁ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ଝାଙ୍କର ପଡ଼ା ତଥା ୧୨ ନମ୍ବର ୱାର୍ଡରେ ଏକ ସରକାରୀ ପରିତ୍ୟକ୍ତ ଜମି ବହୁ ବର୍ଷ ଧରି ପଡ଼ି ରହିଥିଲା। ପଡ଼ାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ଏକ କମ୍ୟୁନିଟି ସେଣ୍ଟର ତିଆରି କରିବାକୁ ତିନି ମାସ ପୂର୍ବରୁ ଉକ୍ତ ସ୍ଥାନକୁ ପୌରପରିଷଦ ତଥା ସ୍ଥାନୀୟ ତହସିଲ ବିଭାଗ ଯୋଜନା କରିଥିଲେ। ଏଥିପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ କେତେକ ସ୍ୱୟଂ ସହାୟକ  ଗୋଷ୍ଠୀ ଉକ୍ତ ସ୍ଥାନରେ ଏକ ବୋର୍ଡ ଲଗାଇଥିଲେ। ହେଲେ ପରବର୍ତୀ ସମୟରେ ଜଣେ ବ୍ୟକ୍ତି ଉକ୍ତ ବୋର୍ଡକୁ ଉପାଡ଼ି ଦେବା ସହ ନିଜ ଜମି ବୋଲି ଦାବି କରିଥିଲେ। ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପଡ଼ାବାସୀ ଉପଜିଲ୍ଲାପାଳ, ତହସିଲଦାର ସମେତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କଠାରେ ଫେରାଦ ହୋଇଥିଲେ।

ଶୁକ୍ରବାର ଆର୍‌ଆଇ ଉକ୍ତ ଜମିକୁ ଜଣେ ବ୍ୟବସାୟୀଙ୍କ ବୋଲି ଯାଇ ମାପ କରିବା ପରେ ପଡ଼ାରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା। ପଡ଼ବାସୀ ଆସି ତହସିଲ ଅଫିସ ସମ୍ମୁଖରେ ଧାରଣା ଦେବା ସହ ଜାତୀୟ ରାଜପଥ ୫୯ ଅବରୋଧ କରିଥିଲେ। ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ପରେ ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲା। ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଘଟଣାସ୍ଥଳକୁ ଆସି ଆସନ୍ତା ସୋମବାର ଦିନ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଥିଲେ। ଏହି ଧାରଣା ତଥା ରାସ୍ତା ଅବରୋଧରେ ସୁଧୀର ଘଡେଇ, ନରସିଂହ ସିଂ, ବାସନ୍ତୀ ନାଗ, ବବିତା ପଟନାୟକ, ରଶ୍ମିତା ପଟ୍ଟନାୟକ, ଶ୍ରାବଣୀ ରଣା, ଶାନ୍ତିଲତା ଘଡେଇ, ମଞ୍ଜୁଲତା ଘଡେଇ, ପରବିନ ବେଗ, ନସିମ ଆଲାମ, ବନ୍ଦନା ସେଠ, ପୁଷ୍ପା ସେଠଙ୍କ ସହ କୃଷ୍ଣ, ମାଁ ଶିବାନୀ, ମାଁ ମଙ୍ଗଳା, ମାଁ ଘଣ୍ଟାଶୁଣୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସାମିଲଥିଲେ।

ସମ୍ବନ୍ଧିତ ଖବର