ବାରିପଦା : ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ ଦାବିରେ ରାସ୍ତା ରୋକ

ବାରିପଦା : ପୂର୍ତ୍ତ ଓ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପୋଡ଼ାଅସ୍ତିଆ-ଲୁଲୁଙ୍ଗ ରାସ୍ତାର ତେଲିବିଲା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ ଦାବିରେ ସ୍ଥାନୀୟ ଗ୍ରାମବାସୀମାନେ ଆଜି ପୂର୍ବାହ୍ନ ସାଢ଼େ ୯ରୁ ସାଢ଼େ ୧୧ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଏବଂ ଶତାଧିକ ଗାଡ଼ି ଅଟକି ରହିଥିଲା । ଖବରପାଇ ପୂର୍ତ୍ତ ଓ ନିର୍ମାଣ ବିଭାଗର ଏସଡ଼ିଓ ବିରଞ୍ଚି ନାରାୟଣ ପଣ୍ଡା, ବାରିପଦା ସଦର ଥାନା ଅଧିକାରୀ ପ୍ରେମଦା ନାୟକ, ଜିଲ୍ଲାପରିଷଦ ସଦସ୍ୟ ଦଶରଥ ମହାନ୍ତ ଓ ଶିରିଶବଣି ସରପଞ୍ଚ ସୁଗନ୍ଧା ସୋରେନ ଓ ଶାମାଖୁଣ୍ଟା ସରପଞ୍ଚ ଚନ୍ଦ୍ରମୋହନ ସିଂ ପ୍ରମୁଖ ଘଟଣାସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରାଇଥିଲେ । ଏହାପରେ ପୂର୍ତ୍ତ ଓ ନିର୍ମାଣ ବିଭାଗ ଏସଡ଼ିଓ ଶ୍ରୀପଣ୍ଡା ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ପ୍ରକାଶ ଥାଉକି, ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ ନ ହେବା କାରଣରୁ ବର୍ଷାପାଣି ନିଷ୍କାସିତ ହୋଇନପାରି ଜମି ରହିଥାଏ ଏବଂ ଜନସାଧାରଣଙ୍କ ମାଟିରେ ନିର୍ମିତ କାନ୍ଥ ମୂଳକୁ ନଷ୍ଟ କରାଇ ଦେଇଥାଏ । ଫଳରେ କାନ୍ଥ ଧସି ପଡ଼ି ଧନ ଜୀବନ କ୍ଷୟକ୍ଷତି ଘଟାଇ ଥାଏ । ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଶାମାଖୁଣ୍ଟା ପଞ୍ଚାୟତ ସମିତି ପକ୍ଷରୁ ୬/୭ ବର୍ଷ ପୂର୍ବେ ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର, ଏହି ରାସ୍ତା ପୂର୍ତ୍ତ ଓ ନିର୍ମାଣ ବିଭାଗ ଅଧୀନରେ ରହିଥିବାରୁ ବିଭାଗର ହସ୍ତକ୍ଷେପ ପରେ ଶାମାଖୁଣ୍ଟା ପଞ୍ଚାୟତ ସମିତି ଡ୍ରେନ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିଥିଲା ।

ଆଜିର ଏହି ଆନ୍ଦୋଳନରେ ଡ଼ାକ୍ତର ମହାନ୍ତ, ଅଶୋକ ମହାନ୍ତ, ସାଇବା ମହାନ୍ତ, ସୁନୀଲ ମହାନ୍ତ ପ୍ରମୁଖ ଶତାଧିକ ବ୍ୟକ୍ତି ଆନ୍ଦୋଳନରେ ବସିଥିଲେ ।

ସମ୍ବନ୍ଧିତ ଖବର