ହରପ୍ରସାଦ, ଅମରେଶଙ୍କୁ ବିଷୁବ ପୁରସ୍କାର

୭୨ତମ ବିଷୁବ ମିଳନ ଓ ଝଙ୍କାର ସ୍ବନକ୍ଷତ୍ର ସମାରୋହ

କଟକ : ପ୍ରଜାତନ୍ତ୍ର ପରିସରରେ ଥିବା ବିଷୁବ ମଣ୍ଡପରେ ୭୨ତମ ବିଷୁବ ମିଳନ, ଝଙ୍କାରର ଜନ୍ମୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ କବି ଓ ସ୍ତମ୍ଭକାର ହରପ୍ରସାଦ ଦାସ ଓ ଅମରେଶ ପଟ୍ଟନାୟକଙ୍କୁ ବିଷୁବ ପୁରସ୍କାର ପ୍ରଦାନ କରାଯାଇଛି।

ବିଶିଷ୍ଟ ସାହିତ୍ୟିକ ଡକ୍ଟର ବୈଷ୍ଣବ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଡକ୍ଟର ରମାକାନ୍ତ ରଥ ଯୋଗଦେଇ ସ୍ବାଧୀନତା ପରବର୍ତ୍ତୀ କାଳରେ ଓଡିଶାକୁ ସାମାଜିକ, ଆର୍ଥିକ, ରାଜନୈତିକ, ସାଂସ୍କୃତିକ ତଥା ସାହିତ୍ୟ କ୍ଷେତ୍ରରେ ସଂପୂର୍ଣ୍ଣ ରୂପେ ସମୃଦ୍ଧ କରିବା ପାଇଁ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ୨୦୨୦ ବର୍ଷର ବିଷୁବ ପୁରସ୍କାର ବିଜେତା ହରପ୍ରସାଦ ଦାସ କହିଥିଲେ ଯେ ଡକ୍ଟର ମହତାବ ବାଗଦେବୀଙ୍କର ବରପୁତ୍ର ଭାବରେ ଯାହା କରିଯାଇଛନ୍ତି, ତାହା ଆଜି ପର୍ଯ୍ୟନ୍ତ ଚିର ଜାଗ୍ରତ ଅବସ୍ଥାରେ କାର୍ଯ୍ୟ କରି ଚାଲିଛି। ୨୦୨୧ ବିଷୁବ ପୁରସ୍କାର ବିଜେତା କବି ଅମରେଶ ପଟ୍ଟନାୟକ କହିଥିଲେ ଯେ ଯେଉଁମାନେ ସାହିତ୍ୟ ଲେଖିବା ପାଇଁ ତାଙ୍କୁ ପ୍ରେରଣା ଦେଇଥିଲେ, ସେମାନଙ୍କ ମଧ୍ୟରେ ଡକ୍ଟର ମହତାବ ଅଗ୍ରପୂଜ୍ୟ। ଡକ୍ଟର ହରେକୃଷ୍ଣ ମହତାବ ସାହିତ୍ୟକୁ ସଂପର୍କର ସେତୁ ରୂପେ ଗ୍ରହଣ କରିଥିଲେ ବୋଲି କହିଥିଲେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡକ୍ଟର ବୈଷ୍ଣବ ଚରଣ ସାମଲ।

ସମାରୋହରେ ଝଙ୍କାରର ସଂପାଦକ, ସାଂସଦ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇଥିବା ବେଳେ ଝଙ୍କାରର ଅନ୍ୟତମ ସଂପାଦକ ସରୋଜ ରଂଜନ ମହାନ୍ତି ସଂପାଦକୀୟ ଭାଷଣ ପ୍ରଦାନ କରିଥିଲେ। ଉତ୍ସବରେ ଅନ୍ୟତମ ସଂପାଦକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଅତିଥି ପରିଚୟ ଓ ଅନ୍ୟତମ ସଂପାଦକ ତରୁଣ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର