ଜଗତସିଂହପୁର: ଦ୍ରୁତ ଶିଳ୍ପାୟନର ଗୁରୁତର ପ୍ରଭାବ ପଡିଛି ବନ୍ଦର ନଗରୀ ଓ ଏହାର ନିକଟବର୍ତ୍ତି ଅଂଚଳରେ। ଶିଳ୍ପ ପାଇଁ ଜନ ସାଧାରଣ ଜମି ଦେଇ ହଇରାଣ ହେଉଥିବା ବେଳେ ଏବେ ପିଇବା ପାଣି ସଙ୍କଟ ଉତ୍କଟ ହେବାରେ ଲାଗିଛି। ଅଞ୍ଚଳର ଭୂତଳ ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ଖୋଳାଯାଇଥିବା ନଳକୂପରୁ ଆଉ ମିଠା ପାଣି ଆସୁନାହିଁ। ବିଶେଷ କରି କିଛି ଶିଳ୍ପ ସଂସ୍ଥା ବେଆଇନ ଭାବେ ଭୂତଳ ଜଳସ୍ତରକୁ ଉତ୍ତୋଳନ କରି ନିଜ ବ୍ୟବହାରରେ ଲଗାଉଥିବା ଅଭିଯୋଗ ହେଉଛି। ମାତ୍ର ଏଥିପ୍ରତି ପ୍ରଶାସନ ଆଦୌ ଦୃଷ୍ଟି ଦେଉ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୫–୧୬ରେ ପାରାଦୀପର ବିଭିନ୍ନ ଅଂଚଳରେ ୨୦୦–୨୫୦ ମିଟର ଖୋଳିବା ପରେ ମଧୁର ଜଳ ମିଳୁଥିଲା। ମାତ୍ର ମଧୁର ଜଳ ନିମନ୍ତେ ବର୍ତମାନ ୩୫୦ ମିଟର ପର୍ଯ୍ୟନ୍ତ ଖୋଳିବାକୁ ପଡ଼ୁଛି। ପୌରପାଳିକା ଅଧୀନରେ ନୂଆବଜାର ଅଂଚଳରେ ୨୫୦-୨୭୦ ମିଟର ତଳେ ମଧୁର ଜଳ ମିଳୁଛି। ସେହିପରି ଷଣ୍ଢକୁଦରେ ୨୦୦୦-୨୫୦ ମିଟର, ଭିତରଗଡ଼ରେ ୩୫୦–୪୦୦ ମିଟର, ବିଜୟଚନ୍ଦ୍ରପୁରରେ ୩୦୦–୩୧୫ ମିଟର ତଳେ ମଧୁର ଜଳ ମିଳୁଛି। ୫ ବର୍ଷ ପୂର୍ବରୁ ଏହି ସ୍ଥାନରେ ୫୦-୧୦୦ ମିଟର ଖୋଳିଲେ ମଧୁର ଜଳ ମିଳୁଥିଲା। ମାତ୍ର ଧୀରେ ଧୀରେ ଭୂତଳ ଜଳସ୍ତର ଖସି ଚାଲିଥିବାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ପାରାଦୀପ ପୌରପାଳିକାରେ ମୋଟ୍ ୬୮,୩୧୦ ଲୋକ ଏହି ଗଭୀର ନଳକୂପ ଉପରେ ନିର୍ଭର କରୁଛନ୍ତି। ପାରାଦୀପ ପୌରପାଳିକାରେ ବର୍ତମାନ ସୁଦ୍ଧା ୨୧୦ ନଳକୂପ ବସାଯାଇଛି।
ମାତ୍ର ଅଧିକାଂଶ ନଳକୂପରୁ ଲୌହଯୁକ୍ତ ପାଣି ବାହାରୁଛି। ପୂର୍ବରୁ ଲୋକମାନଙ୍କର ପାଣି ବ୍ୟବହାର କମ୍ ଥିଲା। ବର୍ତମାନ ପରିସ୍ଥତି ବଦଳିଛି। ନଦୀ ଓ ନାଳ ପୋତି ଶିଳ୍ପ ସଂସ୍ଥା କରାଯାଉଥିବାରୁ ଲୋକଙ୍କ ଜଳ ବ୍ୟବହାର ମଧ୍ୟ ବଢ଼ିଛି। ମୁଣ୍ତ ପିଛା ସେମାନେ ଦୈନିକ ୧୩୫ ଲିଟର ପାଣି ବ୍ୟବହାର କରୁଛନ୍ତି। ଏଣୁ ଏତେ ପରିମାଣରେ ପାଣି ଯୋଗାଇବା ସ୍ବାଭାବିକ ଭାବେ ସମ୍ଭବ ହେଉ ନାହିଁ। ପ୍ରତ୍ୟେକ ବର୍ଷ ଖରା ଦିନେ ତାଳଦଣ୍ତା କେନାଲ ମରାମତି କାମ ଯୋଗୁଁ ଜଳ ଯୋଗାଣ ବନ୍ଦ ରହୁଛି। ଏଣୁ ଲୋକ ନଳକୂପ ଉପରେ ନିର୍ଭର କରୁଛନ୍ତି। ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟ ବେଆଇନ ଭାବେ ଭୂତଳ ଜଳକୁ ନିଜର ବ୍ୟବସାୟ ପାଇଁ ବ୍ୟବହାର କରୁଥିବା ଦେଖାଯାଉଛି। ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର କୁହନ୍ତି ଯେ, ପାନୀୟଜଳ ସଂକଟ ସମ୍ପର୍କରେ କୌଣସି ଅଭିଯୋଗ ହସ୍ତଗତ ହୋଇ ନାହିଁ। ଏ ସଂକ୍ରାନ୍ତରେ ନିଶ୍ଚିତ ଭାବେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ।