ରାଜ୍ୟରେ ୨୨ ଯାଏ ବର୍ଷା, ଶେଷ ସପ୍ତାହରୁ ଅନୁଭୂତ ହେବ ଗରମ
ଭୁବନେଶ୍ବର : ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗିରହିବ। କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣ ଏବଂ ଆଉ କେତେକ ସ୍ଥାନରେ ବର୍ଷା ପବନ ହେବାର ଆଶଙ୍କା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ତାପମାତ୍ରାରେ ସେଭଳି ଆଖିଦୃଶିଆ ପରିବର୍ତନ ହେବ ନାହିଁ ବୋଲି କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୧୯ ତାରିଖ ସକାଳ ସୁଦ୍ଧା କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ଏହି ଦିନ ଅପରାହ୍ଣଠାରୁ ପାଗରେ ବଡ଼ ପରିବର୍ତନ ଆସିବ। ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ଅନୁଗୁଳ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଧା ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ କନ୍ଧମାଳରେ କୁଆପଥର ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ୨୦ ତାରିଖ ଅପରାହ୍ଣଠାରୁ ୨୨ ତାରିଖ ମଧ୍ୟରେ ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆଜି ସକାଳ ସୁଦ୍ଧା ରାଜ୍ୟର ଅଧିକାଂଶ ଅଞ୍ଚଳରେ ଉତ୍ତରା ପଶ୍ଚିମା ପବନ ହେଉଥିଲା। ଆସନ୍ତାକାଲିଠୁ ତାହାର ଦିଗ ପରିବର୍ତନ ସହ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ। ଏହାଦ୍ବାରା ବଙ୍ଗୋପ ସାଗରୀୟ ପବନ ଦକ୍ଷିଣ ଉପକୂଳ ତଥା ଆନ୍ଧ୍ର ଉପକୂଳ ଆଡ଼ୁ ଓଡ଼ିଶାକୁ ବହିବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୩ ଦିନ ଯାଏ ପାଗ ମେଘୁଆ ରହିବ। ଖୋର୍ଧା ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ। ୨୩ ତାରିଖ ଯାଏ ଦିନର ତାପମାତ୍ରା ବିଶେଷ ବଢ଼ିବ ନାହିଁ। ତେବେ ୨୪ ତାରିଖ ପରେ କ୍ରମଶଃ ବୃଦ୍ଧି ପାଇବ। ୨୭ ତାରିଖରେ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ପଶ୍ଚିମ ମହାରାଷ୍ଟ୍ର ସବୁଠାରୁ ଅଧିକ ଉତ୍ତପ୍ତ ରହିବ। ଖୋର୍ଧାଠାରୁ ସମ୍ବଲପୁର ସଂଯୋଗ କରୁଥିବା ସରଳରେଖାର ଦକ୍ଷିଣରେ ଥିବା ଅଞ୍ଚଳରେ ତାପମାତ୍ରା ବିଶେଷଭାବେ ବଢ଼ିବ। ଅନେକ ସ୍ଥାନରେ ୩୯ ଡିଗ୍ରିରୁ ଅଧିକ ହେବାର ସମ୍ଭାବନା ରହିଛି।