ତାତୁଛି ଓଡ଼ିଶା : ୩୫ଂ ଛୁଇଁବ ଅନୁଗୁଳ

ଭୁବନେଶ୍ୱର : ଫେବ୍ରୁଆରି ଆରମ୍ଭରୁ ଆସହ୍ୟ ହେଲାଣି ତାତି। ପୂର୍ବାହ୍ନ ୧୧ଟାରେ ଘରୁ ପଦାକୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ୁଛି। ବାଲେଶ୍ୱରରୁ ବଲାଙ୍ଗିର ହେଉ ଅଥବା କଟକରୁ ସମ୍ବଲପୁର ଗତ ୨୪ ଘଣ୍ଟା ମଧ୍ୟରେ ସବୁ ସହରର ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଲଗାତାର ୩ ଦିନ ହେଲା ତାପମାତ୍ରା ବଢ଼ୁଥିବାରୁ ଆଗକୁ ଆହୁରି ତାତିବ ବୋଲି ପୂର୍ବାନୁମାନ କରାଯାଉଛି। ରାତିରେ ଟିକିଏ ଥଣ୍ଡା ପଡ଼ୁଥିଲେ ମଧ୍ୟ ତାହାର ପ୍ରଭାବ ଦିନର ତାତି ଉପରେ ପଡ଼ୁ ନ ଥିବା ଦେଖିବାକୁ ମିଳୁଛି।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଅନୁଗୁଳ ସହରର ତାପମାତ୍ରା ଏବେଠାରୁ ୩୫ ଡିଗ୍ରି ନିକଟତର ହେଲାଣି। ଆଜି ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୪.୭ ଡିଗ୍ରି ରହିଥିଲା। ଏହା ତଳକୁ ସମ୍ବଲପୁର ଓ ବାଲେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ରହିଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ରେକର୍ଡ କରାଯାଇପାରି ନାହିଁ। ପାରାଦ୍ୱୀପ, ଗୋପାଳପୁର ଓ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ସହରର ତାପମାତ୍ରା ୩୦ ଡିଗ୍ରି ଉପରକୁ ଚାଲି ଯାଇଛି। ହୀରାକୁଦର ତାପମାତ୍ରା ୩୩.୮ ଡିଗ୍ରିରେ ପହଞ୍ଚିଥିବା ବେଳେ କଟକ, ବଲାଙ୍ଗିର ଓ ସୋନପୁରର ତାପମାତ୍ରା ୩୩.୬, ମାଲକାନଗିରିରେ ୩୩.୪, ଭୁବନେଶ୍ୱରରେ ୩୩.୩, ଝାରସୁଗୁଡ଼ାରେ ୩୩ ଡିଗ୍ରି ରେକର୍ଡ କରାଯାଇଛି।

ଗୋଟିଏ ପଟେ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଏବେବି ଫୁଲବାଣୀ ଓ ସୁନ୍ଦରଗଡ଼ର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି। ରାତି ସମୟରେ ଥଣ୍ଡା ଅନୁଭୂତ ହେଉଥିବାରୁ ଅଧିକାଂଶ ସହରର ତାପମାତ୍ରା ୧୦ରୁ ୧୬ ଡିଗ୍ରି ଭିତରେ ରହୁଛି। ଏବେବି ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରହୁଥିବା ବେଳେ କଟକ ଓ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ଭିତରେ ରହୁଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗରେ ସେଭଳି ଆଖିଦୃଶିଆ ପରିବର୍ତନ ହେବ ନାହିଁଁ ବୋଲି ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁ କହିଛନ୍ତି। ଶ୍ରୀ ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ୧୦ ତାରିଖ ପର୍ଯ୍ୟନ୍ତ ତାତିରେ ସେଭଳି ପରିବର୍ତନ ଆସିବ ନାହିଁ। ଗୋଟିଏ ଦୁଇ ଡିଗ୍ରି କମିପାରେ ନ ହେଲେ ବଢ଼ିପାରେ। ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଯୋଗୁଁ ଏଭଳି ତାପମାତ୍ରା ବଢ଼ୁଛି। ଦିନ ସମୟରେ ଝାଞ୍ଜି ପବନ ରହୁଥିବାରୁ ତାତି ଅନୁଭୂତ ହେଉଛି। ଥଣ୍ଡା ଆଉ ଫେରିବାର ସମ୍ଭାବନା ନାହିଁ। ଆସନ୍ତା ଦୁଇ ଦିନ ସେଭଳି କୁହୁଡ଼ି ହେବ ନାହିଁ। କିନ୍ତୁ ୭ ତାରିଖଠାରୁ ରାଜ୍ୟର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଏନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର