‘ଫିକି’ ପକ୍ଷରୁ ଉଚ୍ଚଶିକ୍ଷାରେ ମହାମାରୀ ପ୍ରଭାବ ଏବଂ ଆଗାମୀ ପଥ ଶୀର୍ଷକ ‌ୱେବିନାର୍‌

ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ

ଭୁବନେଶ୍ବର : ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ। ଏହା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ। ଫିକି ଓଡ଼ିଶା ପକ୍ଷରୁ ଶିକ୍ଷା/ଉଚ୍ଚଶିକ୍ଷାରେ କୋଭିଡ୍‌-୧୯ ପ୍ରଭାବ ଏବଂ ଆଗାମୀ ପଥ ଶୀର୍ଷକ ୱେବିନାର୍‌ରେ ଏପରି ଆହ୍ବାନ ଦେଇଛନ୍ତି କୃଷି ଏବଂ କୃଷକ ସଶକ୍ତୀକରଣ, ମତ୍ସ୍ୟ, ପଶୁ ସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ସେ କହିଛନ୍ତି, ଦେଢ଼ବର୍ଷ ମଧ୍ୟରେ କୋଭିଡ୍‌ ଆର୍ଥିକ ଏବଂ ସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ପ୍ରଥମ ଲହର ପରେ ଆଶା ଥିଲା, ସ୍ଥିତି ସ୍ବାଭାବିକ ହୋଇଯିବ। କିନ୍ତୁ ଦ୍ବିତୀୟ ଲହର ତ ଯେମିତି ସବୁ କିଛି ବରବାଦ୍‌ କରିଦେଲା। କେତେ ବର୍ଷ ପର୍ଯ୍ୟନ୍ତ ଏହି ସ୍ଥିତି ରହିବ, ତା’ ବି କହି ହେବ ନାହିଁ। ତେଣୁ କୋଭିଡ୍‌ ସହ ବଞ୍ଚିବା ଶିଖିବାକୁ ହେବ। କ୍ଲାସ୍‌ ଶିକ୍ଷାର କୌଣସି ବିକଳ୍ପ ନାହିଁ। ମତେ ଯଦି ପଚରାଯାଏ, ବର୍ତ୍ତମାନ ଦିଆଯାଉଥିବା ଅନଲାଇନ୍‌ ପାଠ ମୁଁ ମଧ୍ୟ ପଢ଼ନ୍ତି ନାହିଁ। କିନ୍ତୁ ଏହାଛଡ଼ା ସରକାରଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ତେଣୁ ବିଦ୍ୟାର୍ଥୀ କିଭଳି ପାଠରେ ମନ ଲଗାଇବେ, ଏଥିପାଇଁ ସେମାନଙ୍କ ମାନସିକତା ବୁଝିବାକୁ ହେବ। ଅଭିଭାବକ, ପ୍ରତିଷ୍ଠାନ, ସରକାର ସମସ୍ତେ ଏହି ଦାୟିତ୍ବ ନେବା ଉଚିତ। ଉଚ୍ଚଶିକ୍ଷାରେ ଅଧ୍ୟାପକ ସଂକଟ ସମାଧାନ ପାଇଁ ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ଅନୁଦାନପ୍ରାପ୍ତ କଲେଜରେ ସମୁଦାୟ ୨୫ ଶହ ଅଧ୍ୟାପକ ନିଯୁକ୍ତି ଦିଆଯାଇଛି। କୋଭିଡ୍‌ ଯୋଗୁଁ ଏହା ବନ୍ଦ ରହିଛି। ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ମନିଟରିଂ ସିଷ୍ଟମ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଥିଲେ।

କିଟ୍‌, କିସ୍‌ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି, ମହାମାରୀ ଶିକ୍ଷା କ୍ଷେତ୍ର ସହ ବିଦ୍ୟାର୍ଥୀ, ଅଭିଭାବକ ଏବଂ ଅଧ୍ୟାପକ, ଅଧ୍ୟାପିକା, ପ୍ରତିଷ୍ଠାନକୁ ସମାନ ଭାବରେ ପ୍ରଭାବିତ କରିଛି। କ୍ଲାସ ଶିକ୍ଷା ନଥିବାରୁ ବିଦ୍ୟାର୍ଥୀଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ଯୋଡ଼ି ହୋଇ ପାରୁନାହିଁ। ଡିଜିଟାଲାଇଜେସନ୍‌ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି। ଏହାର ସୁଯୋଗ ନେଇ ନୂଆ ପ୍ରଯୁକ୍ତି ଗ୍ରହଣ କରି ଏହାସହ ବଞ୍ଚିବାକୁ ହେବ।

ଖଣ୍ଡପଡ଼ା ବିଧାୟକ, କେଏମ୍‌ବିବି ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମହାମାରୀ ବୋଲି ନୁହେଁ, ଭିତ୍ତିଭୂମି ଏବଂ ମାନବ ସମ୍ବଳ ଅଭାବ ଶିକ୍ଷା ବ୍ୟବସ୍ଥାକୁ ବରବାଦ୍ କରିଦେଇଛି। ପ୍ରତିବର୍ଷ ଆନୁଆଲ ଷ୍ଟାଟସ୍‌ ଏଜୁକେସନାଲ ରିପୋର୍ଟ (ଅସର୍‌) ପକ୍ଷରୁ ଦିଆଯାଉଥିବା ରିପୋର୍ଟ ଏହାର ଉଦାହରଣ। ଯେଉଁଠି ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ପଞ୍ଚମ ଶ୍ରେଣୀ ପାଠ ଆସୁ ନାହିଁ, ସେଠି କ’ଣ କୁହାଯାଇପାରିବ। ଶିକ୍ଷାର ଘରୋଇକରଣ ପରେ ଶିକ୍ଷା ବ୍ୟବସ୍ଥାରେ ବୃହତ୍‌ ଅସମାନତା ଦେଖାଯାଇଛି। ପିଲାଙ୍କ ମଧ୍ୟରେ ଭାଷାଜ୍ଞାନର ଅଭାବ ରହିଛି। ଡିଜିଟାଲାଇଜେସନ୍‌ର ଉପଯୁକ୍ତ ବ୍ୟବହାର କରି ସବୁବର୍ଗର ବିଦ୍ୟାର୍ଥୀ କିଭଳି ଏହାର ଲାଭ ଉଠାଇବେ, ତାହା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ।

ଶିଳ୍ପ, ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତି ଶିକ୍ଷା ବିଭାଗ ସଚିବ ହେମନ୍ତ ଶର୍ମା କହିଛନ୍ତି, ଶିକ୍ଷା କେବଳ ଜ୍ଞାନ ଦିଏ ନାହିଁ, ବରଂ ବ୍ୟକ୍ତିତ୍ବ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସରକାରଙ୍କ ପକ୍ଷରୁ ଶିକ୍ଷାରେ ପ୍ରାକ୍ଟିକାଲ ଫର୍ମାଟ୍‌କୁ ଗୁରୁତ୍ବ ଦିଆଯିବ। ମହାମାରୀରେ ଘରୋଇ ଶିକ୍ଷା ପ୍ରତିଷ୍ଠାନ ପ୍ରଭାବିତ ହେଉଥିବାରୁ ସେମାନଙ୍କୁ କିଭଳି ସହଯୋଗ କରାଯିବ, ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି।

କାର୍ଯ୍ୟକ୍ରମ ପରିଚାଳନା କରିଥିବା ‘ଫିକି’ ଓଡ଼ିଶାର ଅଧ୍ୟକ୍ଷ ତଥା ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ନେତୃତ୍ବ ସୃଷ୍ଟି କରି ଏହାର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇବା ହିଁ ଆମର ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ କ୍ଷୁଦ୍ରଶିଳ୍ପ, ସ୍ବାସ୍ଥ୍ୟ ଏବଂ ପର୍ଯ୍ୟଟନ ଉପରେ ମହାମାରୀର ପ୍ରଭାବ ସମ୍ପର୍କରେ ଲଗାତାର ୱେବିନାର୍‌ ଆୟୋଜନ କରାଯାଉଛି।

ସିଭିରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ସଂଜୀବ ରାଉତ କହିଛନ୍ତି, ଯେଉଁ ବିଦ୍ୟାର୍ଥୀମାନେ ନିଜର ଅଭିଭାବକଙ୍କୁ ହରାଇଛନ୍ତି, ସରକାର ଏବଂ ଘରୋଇ ଅନୁଷ୍ଠାନଗୁଡ଼ିକ ସେମାନଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ ହେବ। ଯେମିତିକି ଜଣେ ମଧ୍ୟ ବିଦ୍ୟାର୍ଥୀଙ୍କ ଉଚ୍ଚଶିକ୍ଷା ପ୍ରଭାବିତ ନହୁଏ, ଦେଖିବାକୁ ହେବ। ଘରୋଇ ଶିକ୍ଷା ପ୍ରତିଷ୍ଠାନ ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ପାଇଁ ଆର୍ଥିକ ସହାୟତା କିମ୍ବା ଋଣ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।

ସୋଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି, ଅନଲାଇନ୍‌ ଶିକ୍ଷା ପିଲାଙ୍କ ମାନସିକତାକୁ ପ୍ରଭାବିତ କରୁଛି। କିଟ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ହୃଷୀକେଶ ମହାପାତ୍ର କହିଛନ୍ତି, ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଜରିଆରେ ପରୀକ୍ଷା ହେବା ଉଚିତ। ବର୍ତ୍ତମାନ ସମୟରେ ଇ-ଲାଇବ୍ରେରି ସହାୟକ ହୋଇପାରିବ।

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ, ଡିଜିଟାଲ ଶିକ୍ଷାଦାନ ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼ିବ। ପାଠପଢ଼ା ପଦ୍ଧତି ଏବଂ ସାରଣୀ ପିଲାଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟିକାରୀ ହେବା ଉଚିତ। ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ସଂଜୟ ନାୟକ କହିଛନ୍ତି, ବର୍ତ୍ତମାନ ସମୟର ଆବଶ୍ୟକତା ହେଲା ଡିଜିଟାଲ ଶିକ୍ଷା। ୟୁଜିସି ପକ୍ଷରୁ ଏଭଳି ବ୍ୟବସ୍ଥା କରିବାକୁ ହେବ, ଯେପରି ୪୦ ପ୍ରତିଶତ ଅନଲାଇନ୍‌, ୬୦ ପ୍ରତିଶତ ଅଫଲାଇନ୍‌ ଶିକ୍ଷା ଦିଆଯାଇପାରିବ। ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ କୁଳସଚିବ ଡ. ଅନୀତା ପାତ୍ର କହିଛନ୍ତି, ମହାମାରୀ ଯୋଗୁଁ ଗବେଷଣା ପ୍ରଭାବିତ ହେଉଛି। ପରୀକ୍ଷାଗାରଗୁଡ଼ିକ ଖାଲି ପଡ଼ୁଛି। ଅନେକପ୍ରକାର ଶିକ୍ଷା ଅନଲାଇନ୍‌ରେ ଦେବା ସମ୍ଭବ ମଧ୍ୟ ନୁହେଁ। ଏହି ସ୍ଥିତିର ସାମ୍ନା କରିବାକୁ ବାଧ୍ୟ। ‘ଫିକି’ର ଓଡ଼ିଶା ମୁଖ୍ୟ ସଂଜୀବ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର