କୁଆରମୁଣ୍ଡା,ନୂଆଗାଁ, ବିଶ୍ରା ଓ ବୀରମିତ୍ରପୁରରେ ହକି ଟ୍ରଫିକୁ ସ୍ବାଗତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ହକି ବିଶ୍ଵକପ୍ ଟ୍ରଫିକୁ ସ୍ୱାଗତ ଜଣାଇବା ପାଇଁ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ଜନସାଧାରଣଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳୁଛି। ଶୁକ୍ରବାର ଦିନ କୁଆରମୁଣ୍ଡା, ନୂଆଗାଁ ଏବଂ ବିଶ୍ରା ବ୍ଲକ ସହ ବୀରମିତ୍ରପୁର ପୌରପାଳିକାରେ ହକି ଟ୍ରଫି ଟୁରକୁ ନୃତ୍ୟ, ଗୀତ ମାଧ୍ୟମରେ ଭବ୍ୟ ସ୍ୱାଗତ ଅଭ୍ୟର୍ଥନା ଦିଆଯାଇଛି। ଶୁକ୍ରବାର ସକାଳେ କୁଆରମୁଣ୍ଡା ବ୍ଲକରେ ଥିବା ସହିଦ ସ୍ମୃତିପୀଠ ଆମକୋ ସିମକୋଠାରେ ପହଞ୍ଚିଥିଲା ହକି ଟ୍ରଫି ଟୁର୍। ସେଠାରେ ସ୍ଥାନୀୟ ଜନସାଧାରଣ ଏକାଠି ହୋଇ ଜାତୀୟ ସଙ୍ଗୀତ ଗାଇ ଟ୍ରଫିକୁ ସ୍ୱାଗତ କରିଥିଲେ। ସେଠାରେ କୁଆରମୁଣ୍ଡା ବିଡିଓ ତୃପ୍ତି ବରାଇ ଯୋଗ ଦେଇଥିଲେ।ସେଠାରୁ ଟ୍ରଫି ଟୁର୍ ରାଇବଗା, ଦେଓକରଣ ଦଫେଇ, ବିଶ୍ରା ଲାଇମଷ୍ଟୋନ୍ ମାଇନ୍ସ ଦେଇ ବୀରମିତ୍ରପୁରରେ ପହଞ୍ଚିଥିଲା।

ଏହି ଅବସରରେ ବୀରମିତ୍ରପୁର ପୌରପାଳିକା ପକ୍ଷରୁ ବାଇକ୍ ଓ ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ପାରମ୍ପରିକ ନୃତ୍ୟ, ଗୀତ ଓ ସଂକୀର୍ତ୍ତନ ସହ ଟ୍ରଫିକୁ ଟାଉନ୍ ହଲ ଯାଏଁ ପାଛୋଟି ଅଣାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଛାତ୍ରଛାତ୍ରୀ ଓ ଜନସାଧାରଣ ଜାତୀୟ ପତାକା ଧରି ଟ୍ରଫିକୁ ଉତ୍ସାହ ସହକାରେ ସ୍ଵାଗତ ଜଣାଇଥିଲେ। ବୀରମିତ୍ରପୁର ପୂର୍ବତନ ବିଧାୟକ ନିହାର ସୋରେନ, ପୌରାଧ୍ୟକ୍ଷ ସନ୍ଦୀପ ମିଶ୍ର, ନିର୍ବାହୀ ଅଧିକାରୀ ସନ୍ଦୀପ ଦାସ ପ୍ରମୁଖ ଉପସ୍ଥିତ ରହି ଟ୍ରଫିକୁ ସ୍ୱାଗତ କରିଥିଲେ। ଏହାପରେ ଟ୍ରଫି ଟୁର୍ କୁମଝରିଆ ହାଇସ୍କୁଲ ଦେଇ ଏକଲବ୍ୟ ମଡେଲ ସ୍କୁଲରେ ପହଞ୍ଚିଥିଲା। ସେଠାରେ ଓଡ଼ିଶୀ ନୃତ୍ୟ ଏବଂ ଓରାମ ନୃତ୍ୟ ସହ ସଚେତନଧର୍ମୀ ନାଟକ ପରିବେଷଣ କରାଯାଇ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଷ୍ଟଲ ଲାଗିଥିଲା।

ଟ୍ରଫିକୁ ସ୍ୱାଗତ କରିବା ଲାଗି ସ୍ଥାନୀୟ ଜନସାଧାରଣଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।ନୂଆଗାଁ ବ୍ଲକର କନ୍ଦରକେଲାର ବନେଇକେଲାଠାରେ ଟ୍ରଫିକୁ ପାଛୋଟି ନିଆଯାଇଥିଲା। ସେଠାରୁ ବାଉଁଶଯୋର ଓ ହାତୀବାରି ଦେଇ ବ୍ଲକ ଅଫିସରେ ପହଞ୍ଚିଥିଲା ଟ୍ରଫି। ସବୁଠି ଆଦିବାସୀ ନୃତ୍ୟ, ଗୀତ ଓ ହକି ସ୍ଲୋଗାନରେ ଏକ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ବିଶ୍ରା ବ୍ଲକରେ ଟ୍ରଫି ଟୁର୍ ପହଞ୍ଚିବା ପରେ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ତେତେରକେଲା ସେତୁ ଏବଂ ଭାଲୁଲତାସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ରଠାରେ ଟ୍ରଫିକୁ ଉତ୍ସାହର ସହ ସ୍ୱାଗତ କରାଯାଇଥିଲା। ସେଠାରେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଇକ ନୃତ୍ୟ ପରିବେଷଣ କରାଯାଇ ଟ୍ରଫିକୁ ପାଛୋଟି ନିଆଯାଇଥିଲା।

ସମ୍ବନ୍ଧିତ ଖବର