ଶ୍ରାବଣରେ ବର୍ଷା ନାହିଁ, ଉତ୍ତର ଓଡ଼ିଶାରେ ସ୍ଥିତି ସାଂଘାତିକ

ନଦୀନାଳ ଶୁଖିଲା, ଉଠାଜଳସେଚନ ପଏଣ୍ଟ ଅଚଳ, ମରିବାକୁ ବସିଲାଣି ଧାନତଳି, ପଡ଼ିଆ ପଡ଼ିଛି ଚାଷ ଜମି

ବାଲେଶ୍ବର: ଧାରା ଶ୍ରାବଣରେ ଟାଣ ଖରା, ବର୍ଷାର ଦେଖା ନାହିଁ। ବର୍ଷାକୁ ଚାହିଁ ଚାହିଁ ଚାଷୀଙ୍କ ଆଖିରୁ ପାଣି ମରିଗଲାଣି। ଶ୍ରାବଣ ମାସ ଅଧା ହେବାକୁ ବସିଲାଣି, ବର୍ଷା ନଥିବାରୁ ଜମିରେ ଗୋରୁ ଚରୁଛନ୍ତି। ନଦୀ ନାଳ ସବୁ ଶୁଖିଗଲାଣି। ଜମିରେ ପାଣି ନଥିବାରୁୁ ଧାନ ତଳି ମରିଯିବା ସହିତ ଜମି ଫାଟି ଆଁ ହେଲାଣି। ଆଉ ସପ୍ତାହେ ଭିତରେ ବର୍ଷା ନ ହେଲେ ସ୍ଥିତି ସାଂଘାତିକ ହେବ ବୋଲି ଲୋକେ ଆଶଙ୍କା କଲେଣି। ସମଗ୍ର ଉତ୍ତର ଓଡ଼ିଶାର ସ୍ଥିତି ଏବେ ଏମିତି। ଲଘୁଚାପ ନ ହେଲେ ବର୍ଷା ହେବାର ଲକ୍ଷଣ ବି ଦେଖାଯାଉନାହିଁ। ବର୍ଷା ଅଭାବରୁ ଚଳିତ ବର୍ଷ ଖରିଫ ଧାନଚାଷ ଆରମ୍ଭ ହୋଇପାରିନାହିଁ। ସାଧାରଣତଃ ରଜ ପୂର୍ବରୁ ଖରିଫ ଧାନଚାଷ ପାଇଁ ହଳ ଓ ବୁଣାବୁଣି କାର୍ଯ୍ୟ ସରିଯାଇଥାଏ। ଶ୍ରାବଣ ମାସ ବେଳକୁ ରୁଆପୋତା କାମ ଅଧାଅଧି ହୋଇଯାଇଥାଏ। ମାତ୍ର ଚଳିତ ବର୍ଷ ପ୍ରତିକୂଳ ପାଣିପାଗ ଯୋଗୁ ଏହି କାମ ଅଧିକା˚ଶ ଅଞ୍ଚଳରେ ହୋଇପାରି ନାହିଁ। କାଁଭାଁ ଚାଷୀ ବୁଣିଥିଲେ ବି ବର୍ଷା ନ ଥିବାରୁ ଗଜା ମରୁଡ଼ି ହେଲାଣି। ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିଥିଲେ ବି ମୌସୁମୀ ସକ୍ରିୟ ନଥିବାରୁ ଜୁନ ଓ ଜୁଲାଇ ମାସରେ ସ୍ବାଭାବିକ ବର୍ଷା ହୋଇନାହିଁ। ଜୁନ ମାସରେ କାଁ ଭାଁ ବର୍ଷା ହୋଇଥିଲେ ବି ଜୁଲାଇ ମାସରେ ଆଦୌ ନ ଥିବାରୁ ଚାଷୀଙ୍କ ଭିତରେ ଭାଳେଣି ପଡ଼ିଲାଣି।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ୪୫ଟି ଯାକ ବ୍ଲକ୍‌ରେ ସ୍ବାଭାବିକ ବର୍ଷା ନ ଥିବାରୁ ଚାଷର ସ୍ଥିତି ସାଂଘାତିକ ହେଲାଣି। ବାଲେଶ୍ବର ଜିଲ୍ଲାର ‌ଭୋଗରାଇ, ଜଳେଶ୍ବର, ବସ୍ତା, ବାଲିଆପାଳ, ବାହାନଗା, ସିମୁଳିଆ, ରେମୁଣା ବ୍ଲକ ଅଞ୍ଚଳରେ ଅଧିକାଂଶ ଜମିରେ ପଡ଼ିଥିବା ଧାନ ତଳି ନଷ୍ଟ ହୋଇଗଲାଣି। ସୋର, ନୀଳଗିରି, ଖଇରା, ଔପଦା ଆଦି ପାହାଡ଼ିଆ ଓ ଉଚ୍ଚାଜମି ସବୁ ଚ‌ାଷ ନ ହୋଇ ପଦା ପଡିଛି। ୮୦ ଭାଗ ଜମି ଫାଟି ଆଁ ହୋଇଗଲାଣି। ସେହିପରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଆଦି ତଳିଆ ତଥା ନଦୀକୂଳିଆ ଅଞ୍ଚଳର ଚାଷ ଜମି ଶୁଖିଗଲାଣି। ବାସୁଦେବପୁର, ଭଦ୍ରକ, ବନ୍ତ ଆଦି ଅଞ୍ଚଳର ଉଚ୍ଚା ଜମିରେ ଗୋରୁ ଚରିଲେଣି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର, ରାସଗୋବିନ୍ଦପୁର, ବଡ଼ସାହି, ବେତନଟୀ, ଗୋପବନ୍ଧୁନଗର, ଶ୍ୟାମାଖୁଣ୍ଟା, କୁଳିଅଣା, ବାଙ୍ଗିରିପୋଷି, ମୋରଡ଼‌ା, ଶୁଳିଆପଦା ଆଦି ବ୍ଲକ ଅଞ୍ଚଳରେ ଚାଷ ଜମି ଶୁଖିଲା ପଡ଼ିଥିବା ବେଳେ ଖୁଣ୍ଟା, ବିଶୋଇ, ଯଶିପୁର, କରଞ୍ଜିଆ, ରାଇରଙ୍ଗପୁର, ବିଜାତଳା, ବହଳଦା, ତିରିଂ, ସାରସକଣା, ଶୁକ୍ରୁଳି, କପ୍ତିପଦା, ଉଦଳା, ଠାକୁରମୁଣ୍ଡା, ଜାମଦା, କୁସୁମୀ, ରରୁଆଁ ଆଦି ଅଞ୍ଚଳର ପାହାଡିଆ ତଥା ଉଚ୍ଚା ଜମି ଫାଟି ଟାଙ୍ଗରା ହୋଇଗଲାଣି।

ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଆଜି ସୁଦ୍ଧା ସ୍ବାଭାବିକଠାରୁ ୨୫ପ୍ରତିଶତ କମ୍‌ ବର୍ଷା ହୋଇଛି। ବଙ୍ଗୋପସାଗରରେ ଲଘୁଚାପ ବି ସୃ‌ଷ୍ଟି ହେଉନାହିଁ। କେବଳ ଜୁନମାସ ଶେଷ ବେଳକୁ ଥ‌େର ଲଘୁଚାପ ହୋଇ ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ଲଘୁଚାପ ହୋଇନାହିଁ। ଗତବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ୪/୫ ଥର ଲଘୁଚାପ ହୋଇଥିବା ବେଳେ ଚଳିତ ବର୍ଷ ଲଘୁଚାପର ଦେଖାନାହିଁ। ସେହିପରି ଗତବର୍ଷ ଜୁଲାଇ ମାସ ସୁଦ୍ଧା ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ସାଳନ୍ଦୀ, ବୈତରଣୀ, ସୋନ, ଜଳକା କାଂଶବାଂଶରେ ୨/୩ ଥର ବନ୍ୟା ହୋଇ ସାରିଥିଲା। ମାତ୍ର ଚଳିତ ବର୍ଷ ଆଜି ସୁଦ୍ଧା ଏହିସବୁ ନଦୀ ଗୁଡିକରେ ବନ୍ୟା ତ ଦୂରର କଥା ନଦୀସବୁ ଶୁଖିଲା ପଡ଼ିଛି। ନଦୀରୁ ବାହାରିଥିବା ଶାଖା ନଦୀ ଓ ନାଳଗୁଡିକରେ ମଧ୍ୟ ପାଣି ନାହିଁ। ଫଳରେ ଚାଷୀମାନେ ନଦୀ ନାଳରୁ ପାଣି ବାହି ଚାଷ କରିବା ଆଶା ମଉଳି ଯାଇଛି। ସେହିପରି ଅନେକ ବ୍ଲକରେ ଥିବା ଉଠାଜଳସେଚନ ପଏଣ୍ଟଗୁଡିକ ଅଚଳ ଥିବାରୁ ବର୍ଷା ଅଭାବ ସମୟରେ ଚାଷୀଙ୍କ କାମରେ ଲାଗୁନି। ଯେଉଁସବୁ ଅଞ୍ଚଳରେ ଜଳସେଚନ ସୁବିଧା ଅଛି ‌ସେହିସବୁ ଅଞ୍ଚଳରେ ପାଣି ପାଇଁ ଚାଷୀମାନେ ଛଡ଼ାକାମୁଡ଼ା ଲାଗିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ କାଟ୍‌ ସମସ୍ୟା ଯୋଗୁଁ ଚାଷୀ ଜମିରେ ଆବଶ୍ୟକତା ଅନୁଯାୟୀ ଜଳ ମଡ଼ାଇ ପାରୁନାହିଁ। କାଁ ଭାଁ ଜଳ ମଡ଼ାଇ ଶତକଡ଼ା ୨୦ ଭାଗ ଜମିରେ ଚାଷ କାମ ହୋଇଥିବା ବେଳେ ୮୦ ଭାଗ ଜମିରେ ଚାଷ କାମ ହୋଇପାରିନି। ଅନ୍ୟପକ୍ଷରେ ଚାଷ କାମ ବିଳମ୍ବ ହୋଇଥିବାରୁ ବର୍ଷା ହେଲେ ମଜୁରି ଦର ଆକାଶଛୁଆଁ ହେବ। ଏମିତିରେ ତ ମଜୁରି ଦୁଇଶହରୁ ଅଢ଼େଇ ଶହ ଥିବା ବେଳେ ବର୍ଷା ହେଲେ ମଜୁରି ଦର ୩/୪ଶହ ହୋଇଯିବାର ଆଶଙ୍କା କଲେଣି ଚାଷୀ। କେବେ ବର୍ଷା ହେବ କେଉଁଠୁ ପଇସା ଆଣିବେ ଚାଷ କରିବେ ସେହି ଚିନ୍ତାରେ ଚାଷୀ ପ୍ରମାଦ ଗଣିଲେଣି।

ସମ୍ବନ୍ଧିତ ଖବର