ବହୁରୋଗରେ ପୀଡ଼ିତ ଥିଲେ ହୋମ୍ ଆଇସୋଲେସନରେ ରହିପାରିବେନି କରୋନା ରୋଗୀ : ଡ. ଜୟନ୍ତ ପଣ୍ଡା

ଭୁବନେଶ୍ୱର: ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ ନାହିଁ । କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ ସବୁବେଳେ ମାସ୍କ ଓ ଗ୍ଲୋଭସ ପିନ୍ଧିବାକୁ ହେବ । ରାଜ୍ୟ ସ୍ୱ।ସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡ. ଜୟନ୍ତ ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ କହିଛନ୍ତି, ଆକ୍ରାନ୍ତ ବ୍ୟକ୍ତି ନିଜ ରୁମ ଭିତରୁ ବାହାରକୁ ବାହାରିବା ଅନୁଚିତ । ଘରର ଅନ୍ୟ କୋଠରୀ ଅଥବା ଡାଇନିଂ ଟେବୁଲରେ ନ ବସି, ହୋମ୍ ଆଇସୋଲେସନ ଅବଧି ଶେଷ ହେବା ପର୍ଯ୍ୟନ୍ତ ଏକାନ୍ତରେ ରୁହନ୍ତୁ ।

ଡ.ପଣ୍ଡା କହିଛନ୍ତି, ହୋମ୍ ଆଇସୋଲେସନରେ ରୋଗୀଙ୍କୁ ଯେଉଁମାନେ ଯତ୍ନ ନେଉଛନ୍ତି, ସେମାନେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ରୋଗୀଙ୍କ ପାଖରେ ଯେତିକି କମ ସମୟ ରହିବେ, ସେତିକି ଭଲ । ଆକ୍ରାନ୍ତ ବ୍ୟକ୍ତିଙ୍କ ପାଖକୁ ଶିଶୁ, ବରିଷ୍ଠ ନାଗରିକ ଓ ଗର୍ଭବତୀ ନ ଯାଆନ୍ତୁ । ଅଥବା ପରିବାରର ଜଣେ ମାତ୍ର ଲୋକ ରୋଗୀଙ୍କ କୋଠରୀକୁ ଯିବା ଦରକାର। କିନ୍ତୁ ସେମାନେ ମାସ୍କ ଓ ଗ୍ଲୋଭସ ପିନ୍ଧିବା ଦରକାର ।

କୋଭିଡ ଘରକୁ ଆସିଲେ ପରିବାର ଲୋକଙ୍କର ଚିନ୍ତା ବଢ଼ିଯାଉଛି । ଅନେକ ରୋଗୀଙ୍କ ଠାରେ ସାଧାରଣ ଲକ୍ଷଣ ଦେଖାଯାଉଛି । କିନ୍ତୁ ସାରା ବିଶ୍ୱରେ ଦେଖାଯାଇଛି ଯେ, ୯୦ ପ୍ରତିଶତ ରୋଗୀଙ୍କ ଠାରେ ଲକ୍ଷଣ ନାହିଁ । ଲକ୍ଷଣ ଯୁକ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ରଖାଯାଉଥିଲା । କିନ୍ତୁ ପରେ ଚିନ୍ତା କଲାଗଲା ଯେ ରୋଗୀ ଯଦି ଘରେ ରହିବ ପରିବାର ଲୋକଙ୍କ ସେବା ପାଇପାରିବା ସହିତ ସାମାନ୍ୟ ଆଶ୍ୱସ୍ତି ଲାଭ କରିପାରିବ । କିନ୍ତୁ କରୋନା ଆକ୍ରାନ୍ତଙ୍କ ପାଇଁ ଘରେ ସେଭଳି ବ୍ୟବସ୍ଥା ଥିବା ଦରକାର । କରୋନା ଆକ୍ରାନ୍ତ ରହିବା ଲାଗି ସ୍ୱତନ୍ତ୍ର କୋଠରୀ, ବ୍ୟକ୍ତିଗତ ଶୌଚାଳୟ ଓ ଯତ୍ନ ନେବାଲାଗି ପରିବାରର ଲୋକ ନିହାତି ଆବଶ୍ୟକ । ଏହା ହେଉଛି ହୋମ ଆଇସୋଲେସନ ନିୟମ ବୋଲି ଡ.ପଣ୍ଡା ଆଜି ସୂଚନା ଦେଇଛନ୍ତି।

ହସ୍ପିଟାଲ ଆଇସୋଲେସନ ସଂପର୍କରେ ଡ. ଜୟନ୍ତ ପଣ୍ଡା କହିଛନ୍ତି, ଯେଉଁମାନେ ବହୁରୋଗ (ହୃଦରୋଗ, ମଧୁମେହ କିଡ଼ନି ସହିତ ଅନ୍ୟ ରୋଗ)ରେ ପୀଡ଼ିତ ଅଛନ୍ତି, ସେମାନେ ହୋମ ଆଇସୋଲେସନରେ ରହିପାରିବେ ନାହିଁ । ସେମାନେ କୋଭିଡ ହସ୍ପିଟାଲ ଅଥବା ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେବେ । ଗୁରୁତର ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ରହିବାକୁ ପରାମର୍ଶ ଦିଆଯାଉଛି ।

ନାକ ବନ୍ଦ ହେବା, କାଶ ହେବା, ଛାତି ଧକଧକ ହେଲେ, ମୁଣ୍ଡବିନ୍ଧା ହେବା, ଧଇଁସଇଁ ଲାଗିଲେ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରନ୍ତୁ । ସେହିପରି ସେ କହିଛନ୍ତି କୋଭିଡ ରୋଗୀଙ୍କୁ ହୋମ ଆଇସୋଲେସନରେ ଥିବା ବେଳେ ସ୍ୱତନ୍ତ୍ର କିଟ ଦିଆଯାଉଛି । ଏଥିରେ ଭିଟାମିନ-ବି, ଭିଟାମିନ-ସି, ଭିଟାମିନ-ଡି, ପାରାସିଟାମଲ, ଆଣ୍ଟିବାୟୋଟିକ ରହୁଛି । ଏଥିରେ ଏକ ସୂଚନା ଭିତ୍ତିକ ଚାର୍ଟ ରହୁଛି, ଯାହାକି ରୋଗୀ ଅସୁବିଧା ଅନୁଭବ କଲେ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରି ଅଧିକ ପରାମର୍ଶ ନେଇପାରିବେ । ହୋମଆଇସୋଲେସନ ଅବଧି ପୂର୍ଣ୍ଣ ହେବା ପରେ ସ୍ୱାସ୍ଥ୍ୟ ଜନିତ ଉନ୍ନତି ଆସି ନ ଥିଲେ ଆହୁରି କିଛି ଦିନ କୋଭିଡ ଗାଇଡଲାଇନ ପାଳନ କରିବାକୁ ପଡ଼ିବ । କୋଭିଡ ପରୀକ୍ଷା କରାଇବେ ।

ସମ୍ବନ୍ଧିତ ଖବର